Monday, 6 December 2021

ପଇସା ଦେଲେ ସରକାରୀ ଚାକିରୀ ମିଳେ କି?

ସମସ୍ତଙ୍କୁ ଗୋଟିଏ ସାଧାରଣ ପ୍ରଶ୍ନ ; 
ଟଙ୍କା ଦ୍ୱାରା ସରକାରୀ ଚାକିରୀ କିଣି ହୁଏ କି? 

କଥାଛଳରେ ଆଲୋଚନା ହୁଏ ଯେ, ପିଲାଙ୍କୁ ପାଠ ପଢାଯାଏ ବେସରକାରୀ ସ୍କୁଲରେ ମୋଟା ଅଙ୍କର ଫିସ୍ ଦେଇ। କିନ୍ତୁ ବଡ ହେଲେ କୁହନ୍ତି ସରକାରୀ ଚାକିରୀ କରିବାକୁ। ଅର୍ଥାତ୍ ସରକାରୀ ଚାକିରୀରେ କିଛି ମହତ୍ତ୍ବ ଅଛି। ତେବେ ସେ ମହତ୍ତ୍ବ ର ପରିଭାଷା ସମସ୍ତଙ୍କ ପାଇଁ ସମାନ ନୁହେଁ। 
ଏଇ ଯେମିତି ୟୁଟ୍ୟୁବରେ ଯଦି  benefits of Government job  ଲେଖି Search କରାଯାଏ, ତେବେ ଯେଉଁସବୁ ପାରମ୍ପରିକ ଉଦାହରଣ ମିଳିବ ତାହା ସମସ୍ତେ ଜାଣନ୍ତି। ଚାକିରୀ କଲାପରେ ନିଜର ପଦବୀ ଅନୁଯାୟୀ ଯାହା କିଛି ମିଳିବା କଥା ତାହା ତ ନିଶ୍ଚିତ ମିଳିବ। କିନ୍ତୁ ବିଚରା କିରାଣୀ ପଦବୀରେ ଯଦି ଜିଲ୍ଲାପାଳ ପଦବୀକୁ ମିଳୁଥିବା ସରକାରୀ ସୁବିଧା ସୁଯୋଗ ଆଶା କରାଯିବ, ତେବେ ସରକାରୀ ଚାକିରୀ ମହତ୍ତ୍ବର ଦ୍ୱିତୀୟ ଦିଗକୁ ଯିବାକୁ ପଡିବ। ଯଦିଓ କୁହାାଯାଏ ଟଙ୍କା ହିଁ ବଞ୍ଚିବା କୁ ସହଜ ସରଳ କରାଏ ତଥାପି ଆତ୍ମସମ୍ମାନର ସହିତ ବଞ୍ଚିବା ଏକ ଭିନ୍ନ ଦିଗ। ଇଏ ହେଲା ଚାକିରୀ ପାଇବା ପରବର୍ତ୍ତୀ ସମୟ କଥା। ଆମେ କିନ୍ତୁ ଚାକିରୀ ପାଇବା ପାଇଁ କଣ ଆବଶ୍ଯକ ତାହା ଆମେ, ଆଲୋଚନା କରିପାରିବା। 

ସାରା ଭାରତବର୍ଷ ରେ ପ୍ରାଥମିକ ଶିକ୍ଷା କୁ ୧୪ ବର୍ଷ ପର୍ୟ୍ଯନ୍ତ ବାଧ୍ୟତାମୂଳକ କରାଯାଇଛି। ଏହା ସରକାରୀ ବିଦ୍ୟାଳୟ ରେ ସଂପୂର୍ଣ୍ଣ ମାଗଣା ମଧ୍ଯ। ପିତାମାତା ଯଦି ଚାହିଁବେ, ବେସରକାରୀ ବିଦ୍ୟାଳୟ ରେ ଟଙ୍କା ଦେଇ ପଢାଇ ପାରନ୍ତି। ତେବେ ଦଶମ ପରେ ପିଲାଙ୍କର ଗତି କୁଆଡେ? ନିଜର ଯୌବନ ଚପଳତାରେ ଅନେକ ସମୟରେ ପିତାମାତାଙ୍କୁ ଖାତିର ନକରି ନିଜ ସାଙ୍ଗ ସାଥୀମାନଙ୍କୁ ପ୍ରାଧାନ୍ଯ ଦେଉଥିବା ଏହି ବୟସର ପିଲାମାନେ ଭବିଷ୍ଯତ ରେ କଣ ପଢିବେ, କଣ କରିବେ ତାହା ନିଜର ସଙ୍ଗ ଦୋଷ ଉପରେ ନିର୍ଭର କରେ। ମନୁଷ୍ଯ ମଦ ପିଇଲେ ନିଶା ହୁଏ, ହିତାହିତ ଜ୍ଞାନ ଭୁଲିଯାଏ। କ୍ଷୀର ପିଇଲେ ଶରୀରରେ ବଳ ଆସେ, ଜ୍ଞାନ ବ୍ରୁଦ୍ଧି ହୁଏ। ବିଷ ପିଇଲେ ମ୍ରୁତ୍ୟୁ ହୁଏ। କିନ୍ତୁ ପିଲାମାନଙ୍କୁ ଏହି କଥା କେହିଜଣେ ନ ବୁଝାଇଲେ ସେ ବୁଝିବ କେମିତି? ବରଂ ସଂଗ ଦୋଷରୁ ସେ ଓଲଟା ପରାମର୍ଶ ପାଇଥାଏ। ଯଥା ମଦ ପିଇଲେ ମରଦ ହେବ ଏବଂ ଦୁଃଖ କଷ୍ଟ ଭୁଲିହେବ । କ୍ଷୀର ପିଇଲେ ପତଳା ଝାଡ଼ା ହେବ। ବିଷ ପିଇ ପିତାମାତା / ପ୍ରେମିକା କୁ ଡରାଇ ସବୁ କିଛି ହାସଲ କରିହେବ। ବୋଧହୁଏ ସେଥିପାଇଁ ସମାଜରେ ୨୦ ବର୍ଷ ତଳେ ପ୍ରତି ଗାଁରେ ଜଣେ ଦୁଇଜଣ ମଦୁଆ ଥିଲାବେଳେ, ଏବେ କିନ୍ତୁ ମଦ ପିଉନଥିବା ଲୋକଙ୍କ ସଂଖ୍ଯା ଏକ ଦୁଇ ରେ ସୀମିତ। ତେବେ ସବୁବେଳେ ନିଶାରେ ଚୁର୍ ରହୁଥିବା ଏହି ବର୍ଗର ପିଲାମାନଙ୍କୁ ନୈତିକତା କିଏ ଶିଖାଇବ ? ପ୍ରତି ୪୦ ବର୍ଷରେ ଗୋଟିଏ ପିଢୀର ମାନସିକତା ତଥା ଚଳଣିରେ ପରିବର୍ତ୍ତନ ଆସିଥାଏ। ତେଣୁ ଯୁଗୋପଯୋଗୀ ଶିକ୍ଷା ତଥା ପରାମର୍ଶର ଆବଶ୍ଯକତା ରହିଛି। ଆମେ ଏଠାରେ ସେହି ଯୁଗ ଅବା ପିଢୀ କୁ ନେଇ କିଛି ଆଲୋଚନା କରିପାରିବେ। 

ଏହି ଆଲେଖ୍ୟର ଶିରୋନାମା ଚାକିରୀ କୁ ନେଇ ହୋଇଥିବାରୁ, ଗତ ୫୦ ବର୍ଷ ଭିତରେ ଚାକିରୀ କରିବାର ପରିଭାଷା ବିଷୟରେ ଆଲୋଚନା କରିବା। 
୧ମ ପିଢୀ (୧୯୯୦ ମସିହା ପୂର୍ବରୁ) : 
ସେତେବେଳେ ଜମିଦାର ଘରେ ଚାକର ଥିବା ବ୍ଯକ୍ତି ମଧ୍ଯ ନିଜ ଗାଁରେ ଚାକିରୀ କରିଛି ବୋଲି କହୁଥିଲା। ସରକାରୀ ଚାକିରୀ ପାଇଁ ଲୋକମାନେ ରାଜି ହେଉନଥିଲେ। ପୁଅକୁ ଦୂରକୁ ପଠାଇବାକୁ ବାପା ମା ପ୍ରସ୍ତୁତ ନଥିଲେ। କିନ୍ତୁ ଯେଉଁମାନେ ନିଜର ଅଭାବ ପାଇଁ ଚାକିରୀ ବେସରକାରୀ ଚାକିରୀ କରୁଥିଲେ, ସେମାନଙ୍କୁ ମାଲିକ ଗୋଇଠା ମାରି ବିଦା କଲେ ମଧ୍ଯ, ଭ୍ରୁତ୍ୟମାନେ ଯାଉନଥିଲେ। ଲକ୍ଷ୍ଯ ଥିଲା ମାଡ ଗାଳି ମିଳୁ ପଛେ, ଏକା ଥରକେ କିଛି ପଇସା ହେଲେ ଘରକୁ ଯିବ। ସେମାନଙ୍କର ନା ଭଲ ଜମିବାଡି ଥିଲା ନା ଘରେ ଚଳଣି ଭଲ ଥିଲା। ତେଣୁ ପର ପାଖରେ ମୁଣ୍ଡ ବିକିବାକୁ ପଡୁଥିଲା। 
୧୯୯୦ ରୁ ୨୦୧୦ ମସିହା -
ଏହି ସମୟର ପିଢୀକୁ ବେଶ ସଂଘର୍ଷ କରିବାକୁ ପଡିଛି। ଏମାନଙ୍କ ପୁର୍ବ ପିଢୀ କିଛି ନହେଲେ ବି, ଜମି ବାଡି କିଛି ରଖିଦେଇ ଯାଇଛନ୍ତି। କିନ୍ତୁ ବଡ ପରିବାର। ଏମାନେ ନିଜ ପରିବାରର ସୁଖ ଦୁଃଖ ରେ ସାମିଲ ହୋଇ ବେଶ ଦାୟିତ୍ୱବାନ ଥିଲେ। ବେଶୀ ନହେଲେ ବି ସମସ୍ତେ ପ୍ରାୟ ମାଇନର ପଢିଛନ୍ତି। ଆଉ ପ୍ରତି ପରିବାରରେ ଅନ୍ତତଃ ଜଣେ ପୁଅ ନିଜର ଅଭାବୀ ପରିବାର ଭିତରେ ସଂଘର୍ଷ କରି ଗୋବର ଗାଡିଆର କଇଁ ଭଳି ମୁଣ୍ଡ ଟେକେ । ସ୍କୁଲରେ ମେଧାବୀ ଛାତ୍ର ହିସାବରେ ଗଣାହୁଏ। ବିଭିନ୍ନ ବ୍ରୁତ୍ତି ପାଏ। ନିଜର ଉଦ୍ୟମ ବଳରେ ସରକାରୀ ଚାକିରୀ ଖଣ୍ଡିଏ କରି ନିଜ ବଂଶର ନାଁ ରଖେ। ହେଲେ ନିଜ ଉପରେ ଥାଏ ସଂପୂର୍ଣ୍ଣ ପରିବାରର ଦାୟିତ୍ୱ। ରୋଗୀଣା ବାପା ମାଙ୍କ ଔଷଧ, ଉପର ତଳ ଦୁଇ ତିନି ଭଉଣୀର ବାହାଘର। ଅଳ୍ପ ଶିକ୍ଷିତ ଭାଇର ପରିବାର ପୋଷଣ। ଏତେ ଭିତରେ ବିଚରା ନିଜ ପାଇଁ କିଛି କରିପାରେନି। ପାଠପଢାର ମୂଲ୍ଯ କୁ ବେଶ ପାଖରୁ ଅନୁଭବ କରିଥିବା ଏହି ପିଢୀଟି ଆଶା କରେ ତା ପିଲାମାନେ ଯେପରି ଅର୍ଥ ଅଭାବରୁ ତା ଭଳି ସଂଘର୍ଷ ନ କରୁ। ସେଥିପାଇଁ ନିଜ ସଂଚୟ ରୁ ଭଲ ଘର ଦୁଇ ବଖରା ଗାଁରେ କରିଦିଏ। କିଛି ଘରବାଡି ଯାଗା କିଣିରଖେ । ଚାକିରୀ ସରିବାର କିଛି ବର୍ଷ ପୂର୍ବରୁ ପିଲାମାନେ ପ୍ରାୟ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତ ହୋଇଗଲେଣି। ଯେତେବେଳେ ମାଟ୍ରିକ ପରେ +୨ ପାଇଁ ବିଷୟ ଚୟନ କରାଯାଏ, ସେତେବେଳେ  ପିଲାମାନଙ୍କୁ କୁହାଯାଏ ବିଜ୍ଞାନ ଭଲ ହେଲେ ଡାକ୍ତର ହେବ, ଗଣିତ ହେଲେ ଇଂଜିନିୟରିଂ। କିନ୍ତୁୁ କଳା ନେଲେ ପ୍ରସାଶନିକ ସେବାରେ ନିଯୁକ୍ତି ପାଇପାରିବ। କିଏ କେତେ ସଫଳ ହୁଏ ନହୁଏ ତା ଅଲଗା କଥା କିନ୍ତୁ ବାପାର ଜିପିଏଫ୍ ଟଙ୍କା ରେ ବାହାଘର ଓ ଉଚ୍ଚଶିକ୍ଷା ହେଇପାରୁଥିଲା । ଯାହାର ପାଠ ହଉନି, ସେ ବାପାର ଜମିବାଡି କରି ମଧ୍ଯ ଭଲରେ ଚଳିପାରୁଥିଲା। ନହେଲେ ବିଭିନ୍ନ କମ୍ପାନୀରେ ଛୋଟ ମୋଟ ଚାକିରୀ କରୁଥିଲା। କିଛି ନହେଲେ ଗାଡି ଡ୍ରାଇଭର ରହୁଥିଲେ। 

୨୦୧୦ ପରବର୍ତ୍ତୀ ପିଢୀ -
ଏମାନଙ୍କର ଜେଜେ ବାପା ଭଲ ଜମିବାଡି ରଖିଦେଇ ଯାଇଛନ୍ତି। ବାପାଙ୍କ ସରକାରୀ ଚାକିରୀରେ ଗାଁରେ ଭଲ ଘର ଦୁଇ ବଖରା ଅଛି। ଘରେ କାର୍, ମଟର ସାଇକେଲ ଭି ଅଛି। ତେଣୁ ନିଜର କିଛି ଅସୁବିଧା ନାହିଁ। ମେଜିଆ ବହୁତ ଟାଣ ଅଛି। ବାପା ମାଆଙ୍କ ଗୋଟିଏ ବା ଦୁଇଟି ପିଲା। ତେଣୁ ସବୁ ସୁଖ, ଯତ୍ନ ସହିତ ଭଲ ଖାଦ୍ୟ, ଭଲ ପୋଷାକ, କାର୍ ମଟର ସାଇକେଲ ମଧ୍ଯ ଅଛି। ୩ ବର୍ଷ ରୁ ଦାମୀ ସ୍କୁଲରେ ବିଲାତି ପାଠ ପଢା, ହାତରେ ଦାମୀ ଘଣ୍ଟା, ମୋବାଇଲ। ସଂଧ୍ଯାରେ ଉଚ୍ଚ ଶିକ୍ଷିତ ପରସୋନାଲ ଟ୍ୟୁସନ ଇତ୍ୟାଦି। ଏମାନେ ଚାକିରୀ କରନ୍ତି ନିଜ ଫେସନ ପାଇଁ। ପରିବାର ପୋଷଣ ପାଇଁ ନୁହେଁ। ଏମାନେ ସରକାରୀ ଚାକିରୀ ଅପେକ୍ଷା, ବିଜିନେସ କୁ ପ୍ରାଧାନ୍ଯ ଦିଅନ୍ତି। ନିଜ ପସନ୍ଦର ଚାକିରୀ ନହେଲେ, ରାଜି ହୁଅନ୍ତି ନାହିଁ। କିନ୍ତୁ ଠିକ୍ ଏହି ପିଢୀର ଆଉ ଗୋଟିଏ ଗୋଷ୍ଠୀ ଖୁବ ହିନସ୍ତା ହୁଅନ୍ତି। ଏମାନେ ମଧ୍ୟବିତ୍ତ ପରିବାରର। ଏମାନେ ଗାଁରେ ବେଶ ପ୍ରତିଷ୍ଠିତ କିନ୍ତୁ ପିଲାମାନେ ଷଷ୍ଠ ରୁ ନଷ୍ଟ। ସମସ୍ତଙ୍କ ପାଖରେ ଡିଗ୍ରୀ ସାର୍ଟିଫିକେଟ। ଅଥଚ ଜ୍ଞାନ କମ୍। ବାପାମାଆ କିନ୍ତୁ କଳେବଳେ  କୌଶଳେ ପୁଅ ପାଇଁ ଗୋଟିଏ ସୁନ୍ଦର ଝିଅ ପାଇବା ଲକ୍ଷ୍ଯରେ ପ୍ରଥମେ ଚାହାଁନ୍ତି କମ୍ ଦରମା ହେଉପଛେ ସରକାରୀ ଚାକିରୀ ଖଣ୍ଡେ ମିଳିଯାଉ। 

ଏଇଠୁ ଆରମ୍ଭ ହୁଏ ମାୟା ମରଚିକା ଖେଳ। ଜଣେ ଡାକ୍ତର ହେବା ପାଇଁ ଯେମିତି +୨ ପରେ ଗୋଟିଏ ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବାକୁ ପଡେ, ସେମିତି ଯେକୌଣସି ସରକାରୀ ଚାକିରୀ ପାଇଁ ବିଭିନ୍ନ ଆୟୋଗଙ୍କ ଦ୍ବାରା କରାଯାଇଥିବା Competitive Examination ଉତ୍ତୀର୍ଣ୍ଣ ହେବାକୁ ପଡେ। ଏଥିପାଇଁ ବହୁତ ଗୁଡିଏ ଅବସ୍ଥା ବ୍ୟବସ୍ଥା ଆବଶ୍ଯକ ପଡେ। ୧) ପିଲାର ଦଶମ ପର୍ୟ୍ଯନ୍ତ ମଜଭୁତ ଜ୍ଞାନ ଥିବା ଦରକାର। ୨) ନିର୍ଦ୍ଦିଷ୍ଟ ପରୀକ୍ଷା ପାଇଁ ଆବଶ୍ଯକ ଯୋଗ୍ୟତା ୩) ସିଲାବସ ଅନୁଯାୟୀ ପ୍ରସ୍ତୁତି ୪) ଦେଢ ଲକ୍ଷ ପିଲାରୁ ଦେଢ ଶହ ପଦବୀ ପାଇଁ ନିଜକୁ ଯୋଗ୍ୟ କରାଇବାର ଆତ୍ମବିଶ୍ୱାସ ୫) ସବୁପରେ ଅକ୍ଲାନ୍ତ ପରିଶ୍ରମ

କିନ୍ତୁ କିଛି ପିଲା ଏବଂ ସେମାନଙ୍କ ବାପା ମାଆ ଉପର ୫ଟି ଲକ୍ଷଣ ନଥିବା ସତ୍ତ୍ବେ ମନରେ କିନ୍ତୁ ବହୁତ ଆଶା ରଖନ୍ତି ସରକାରୀ ଚାକିରୀ କରିବାକୁ। ଏହି ଅଳସୁଆ ଗୋଷ୍ଠୀ କୁ ଭୁଆଁ ବୁଲେଇବା ପାଇଁ ଆଉ ଗୋଟିଏ ଠକ ଗୋଷ୍ଠୀ ଅଛନ୍ତି। ଚାକିରୀ କରାଇଦେବାର ପ୍ରଲୋଭନ ଦେଖାଇ ବିନା ପରିଶ୍ରମ ରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରନ୍ତି। ଟଙ୍କା ନଉଥିବା ଲୋକ ନିଜର କଥା ଚାତୁରୀରେ ସବୁ ପ୍ରକାର ଆଶ୍ୱାସନା ଦେଇଥାଏ। ନିଜକୁ ପ୍ରମାଣ କରିବା ପାଇଁ ସବୁ ପ୍ରକାର ନକଲି ଦସ୍ତାବିଜ ଦେଖାଏ, ବିଭିନ୍ନ ମହଲରେ ନିଜର ପରିଚୟ ଅଛି ବୋଲି କହେ। ହେଲେ ଟଙ୍କା ଦେଉଥିବା ଲୋକ ଜଣେ ସଂପୂର୍ଣ୍ଣ ଅପରିଚିତ କୁ ନିଜର ଅର୍ଜିତ ଅର୍ଥ ଦେବା ପୂର୍ବରୁ କେବେ ହେଲେ ଚିନ୍ତା କରେନି କି ବିନା ଯୋଗ୍ୟତା ରେ ମୋ ପୁଅ ଚାକିରୀ କେମିତି ପାଇବ। ସାମ୍ନାରେ ଲୋକଟି ଯଦି ଏତେ ଚାକିରୀ କରାଇପାରିବ, ସେ ନିଜେ କାହିଁକି ଚାକିରୀ କରିନି। ତା ନିଜ ପରିବାର, ବନ୍ଧୁମାନଙ୍କୁ କେତେଟା ଚାକିରୀ ଦେଇଛି। ମ୍ୟାଜିକ ବାଲା ଯଦି ନିଜ ମୁଣିରୁ କାଗଜ ଚିରି ନୋଟ ବାହାର କରିପାରୁଛି, ତେବେ ସେ ବୁଲି ବୁଲି ମ୍ୟାଜିକ ସୋ କାହିଁକି କରୁଛି। 
ଶହ ଶହ ଚାକିରୀ ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କରି ରେଜଲ୍ଟ ବାହାରିବା ଦିନ ନିଜେ କରାଇ ଦେଇଛି କହି ୨-୪ ଜଣଙ୍କ ପଇସା ରଖିଦିଏ। ବାକି କିଛି ଲୋକଙ୍କୁ ଫେରାଇ ଦିଏ। ଅର୍ଦ୍ଧାଧିକ ଲୋକଙ୍କୁ ଆଉ ଗୋଟିଏ ଚାକିରୀ କରାଇଦେବ କହି ଟଙ୍କା ଫେରାଏ ନାହିଁ। ଠକାମୀର ଚରମ ସୀମା ରେ ପହଞ୍ଚି ଶେଷରେ ଠକ ଜଣକ ଗିରଫ ହୁଏ। ଏଠି ଠକର ଶିକାର ହେଉଥିବା ପିଲା ତଥା ବାପାମାଆଙ୍କୁ କହିବାକୁ ଚାହେଁ, ଯଦି ପୁଅର ଚାକିରୀ ପାଇଁ ଆପଣ ଲକ୍ଷ ଲକ୍ଷ ଟଙ୍କା ଗଣି ପାରୁଛନ୍ତି ତାହା ଯଦି ପାଠ ପଢା ବେଳେ ଖର୍ଚ୍ଚ କରିଥାନ୍ତେ, ବୋଧହୁଏ ପିଲାଟି ଯୋଗ୍ୟ ହୋଇ ନିଜେ ଚାକିରୀ କରି ପାରିଥାନ୍ତା। ସେହି ଟଙ୍କା ଯଦି ପୁଅକୁ କୌଣସି ବଣିଜ୍ୟ ପାଣି ଦେବେ, ସିଏ ମଧ୍ଯ ସରକାରୀ ଚାକିରୀ ଠାରୁ ଅଧିକ ରୋଜଗାର କରିବ। ଯଦିବା ଅସତ୍ ଉପାୟରେ କିଏ ଚାକିରୀ କରାଇଦିଏ, ତେବେ ଚାକିରୀ ରେ ରହି ଅସତ୍ ଉପାୟରେ ରୋଜଗାର କରିବା ତାର ମୁଖ୍ଯ ଲକ୍ଷ ହେବ। ସାଧାରଣ ଜନତା ପାଇଁ ସେ ଧରଣର ସେବା ତା ଠାରୁ ମିଳି ପାରିବ ନାହିଁ। 
ନିକଟରେ ରାଜ୍ଯ ସଚିବାଳୟରେ ଏଏସ୍ଓ ପଦବୀ ପାଇଁ ନିଯୁକ୍ତି ବାହାରିବାକୁ ଯାଉଛି। ବହୁତ ଲୋକ ଭାବନ୍ତି ବୋଧହୁଏ ୭୯୬ ରୁ ୫୦୦ ପଦବୀ ବିକ୍ରୀ ସରିଛି। ଯେତେ ପଢିଲେ ବି ଚାକିରୀ ମିଳିବନି। ଏଥିପାଇଁ ଗାଁ ଗହଳିରେ ଦଲାଲ ସକ୍ରିୟ ହେଇ ସାରିବେଣି। ୧୦- ୧୫ ଲକ୍ଷ ଲାଞ୍ଚ ପାଇଁ ଲେକମାନେ ମଧ୍ଯ ପ୍ରସ୍ତୁତ। ନିକଟରେ ଜାଣିଥିବେ, ଜଣେ ଠକ ବ୍ଯକ୍ତି ନିଜକୁ ସଚିବାଳୟ କର୍ମଚାରୀ କହି ନକଲି ପାସ୍ ଦେଖାଇ ପ୍ରାୟ ଦେଢ କୋଟି ଟଙ୍କା ଠକେଇ କରି ଗିରଫ ହୋଇଛି। ଏହି ଠକାମୀର ଶିକାର ହୋଇଥିବା ଅନେକ ପିଲା ଲୋକଲଜ୍ଜା ଭୟରେ ଥାନାରେ ଜଣାଉ ନାହାନ୍ତି। 

ତେଣୁ ଅନୁରୋଧ ରହିବ, ଏପରି ଠକାମୀରୁ ଦୂରେଇ ରୁହନ୍ତୁ। ଏଏସ୍ଓ ଚାକିରୀ ଜୀବନର ଏକମାତ୍ର ଲକ୍ଷ୍ଯ ନ ହେଉ। ସଫଳତାର ସଂଜ୍ଞା ବ୍ୟାପକ। ଅକ୍ଲାନ୍ତ ପରିଶ୍ରମ କରି ନିଜକୁ ପ୍ରଥମେ ଯୋଗ୍ୟ କରନ୍ତୁ, ଫଳ ଆପଣଙ୍କ ପାଖକୁ ଆପେଆପେ ଆସିବ। 

1 comment:

Subrat Kumar Mishra said...

Rightly explained by taking the example of the magician. Nice Article