Sunday 29 August 2021

Competitive Examination Preparation : Part-2

ସର୍ବପ୍ରଥମେ ପ୍ରିୟ ପାଠକ ମାନଙ୍କୁ ମୋର ଶୁଭେଚ୍ଛା। ଗତଥରର କାହାଣୀଟି ଆପଣମାନଙ୍କୁ ଭଲ ଲାଗିଲା। ସେଥିପାଇଁ ମୁଁ ବହୁତ ଖୁସି। ଜଣେ ଗରିବ ମଧ୍ଯବର୍ତ୍ତୀ ପରିବାରରୁ ଆସି ନିଜ ଉଦ୍ୟମରେ ରାଜଧାନୀରେ ନିଜକୁ ନିଜେ ବଂଚିବାର ରାସ୍ତା ଖୋଜି ଆଗକୁ ଚାଲିବା କେତେ ଯେ କଷ୍ଟକର ତାର ଅନେକ ନିଚ୍ଛକ ଉଦାହରଣ ମୋ ପାଖରେ ଅଛି। ଆଜି ସମୟ ଅଛି, ମାଧ୍ଯମ ଅଛି। ସେଥିପାଇଁ ଆପଣଙ୍କ ସହ ଅନୁଭୁତି ବାଣ୍ଟିବାର ପ୍ରୟାସ କରୁଛି। 

ରାତି ୭ଟା । ଜଣେ ଦାଦାଙ୍କ ଫୋନ ଆସିଲା, ୩ ୟୁନିଟ ରକ୍ତ ଜରୁରୀ ଦରକାର। ବିଜୟର ଅବସ୍ଥା ଭଲ ରହୁନି। ସାଙ୍ଗେ ସାଙ୍ଗେ ସବୁ ହ୍ୱାଟସଆପ ଗ୍ରୁପ ରେ ମେସେଜ କଲି। ଚିହ୍ନା ପିଲାମାନଙ୍କୁ ଫୋନ କଲି। ବହୁତ କମ୍ ସମୟ ମଧ୍ୟରେ ରକ୍ତ ଦାନ ପାଇଁ ପିଲା ଯୋଗାଡ ହେଇଗଲେ। ଏକ ଘରୋଇ ହସ୍ପିଟାଲରେ ଦୀର୍ଘ ୭୫ଦିନ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ। ମନରେ ପାପ ଛୁଉଁ ଥାଏ, କିଛି ଅଘଟଣ ଘଟିବନି ତ? ସକାଳ ହେଲେ ରକ୍ତ ଦିଆଯିବ। ରାତି ସାରା ମୋତେ ଆଉ ନିଦ ନାହିଁ। ନିଜର ରକ୍ତ ସଂପର୍କୀୟ ନହେଲେ ବି, ମୋ ସହିତ କିଛି ନିଆରା ସଂପର୍କ ତା ପୁଣି ଦୀର୍ଘ ୨୦ ବର୍ଷର। ଶେଯରେ ଶୋଇ ରହି ଆଖି ଆଗରେ ନାଚି ଗଲା ତାଙ୍କ ସହ କଟି ଥିବା ଅତୀତର ସେଇ କେତୋଟି ବର୍ଷ। ଗତ ୩ମାସ ତଳେ ମୋ ସରକାରୀ କ୍ୱାର୍ଟର ରେ ମଧ୍ଯ ହୋଇଥିଲା ୨୦-୩୦ ମିନିଟର ଆଳାପ। ଆଉ ବିଳମ୍ବ କରିବିନି। ତାଙ୍କର ସେଇ ଚାକିରୀ ପାଇଁ ପ୍ରସ୍ତୁତିର କିଛି ପ୍ରତ୍ଯକ୍ଷ ଅନୁଭବ ଆପଣମାନଙ୍କ ଆଗରେ ରଖିବି। 
 
ବିଜୟ କୁମାର ରାଉତ (ଛଦ୍ମ ନାମ) , ଶିକ୍ଷା : +୩ କଳା (ବିଜ୍ଞାନ) 
ବାପା ମାଆଙ୍କ ଦୁଇ ପୁଅ, ଗୋଟିଏ ଝିଅ। ବଡ ପୁଅ ହିସାବରେ ସବୁ ଦାୟିତ୍ୱର ବୋଝ। ସବୁ ବାପା ମାଆ ଚାହାଁନ୍ତି ପିଲାମାନଙ୍କୁ ବଡ ମଣିଷ କରିବେ। ଝିଅକୁ ଭଲ ଘରେ ବାହା ଦେବେ। କିନ୍ତୁ ବେଳେ ବେଳେ ଭଗବାନଙ୍କ ଦୁନିଆ ପରିଚାଳନା ନୀତି ଦେଖିଲେ ମନରେ ରାଗ ଆସିଯାଏ। ଭଗବାନ ଯେତେବେଳେ ତେଲିଆ ମୁଣ୍ଡରେ ତେଲ  ଆଉ ଗରିବମାନଙ୍କୁ ଉପହାସ କରନ୍ତି, ସେତେବେଳେ ଇଛା ହୁଏ ଜାଣି ଜାଣି କିଛି ଭୁଲ କରି ବସିବାକୁ। ସର୍ବଜ୍ଞାନୀ ହୋଇ ମଧ୍ୟ ଭଗବାନ  ଏମିତି କିଛି ଘଟାଇ ଦିଅନ୍ତି, ଯାହା ଫଳରେ ମଣିଷର ସବୁ ଯୋଜନା ଓଲଟପାଲଟ ହେଇଯାଏ। ଏଇ ଯେମିତି, ମାତ୍ର ୧୦ ବର୍ଷ ବୟସରେ ବିଜୟର ବାପା ଚାଲିଗଲେ। କାହାଣୀର ଶେଷରେ ଜାଣିବା, ଏତେ କମ ବୟସରୁ ନିଜେ ବାଟ ଚାଲିବା ଶିଖିଥିବା ବିଜୟ ଜୀବନରେ କେତେ ବାଟ ଯାଇପାରିଲା। 

ବାପା ମରିବା ପରେ, ଦୁଇ ସାନ ଭାଇ ଭଉଣୀ ପାଇଁ ବିଜୟ ଥିଲା ପିତା ସଦ୍ରୁଶ। ତିନି ଭାଇ ଭଉଣୀ ପାଖ ଗ୍ରାମରେ ଥିବା କଲେଜରେ +୨ ଓ +୩ ସମାପ୍ତ କଲେ। ଭଉଣୀ ବହୁତ ଭଲ ପଢେ। କିନ୍ତୁ ଅର୍ଥାଭାବ ଯୋଗୁଁ ବେଶୀ ଆଗକୁ ବଢିଲାନି । ଏପଟେ ବାହା ହେବା ବୟସ ଆସିଯାଇଥିଲା। ସାନ ଭାଇ ସହଜେ ପାଠରେ ଟିକେ ଦୂର୍ବଳ।  ତେଣୁ ପାନ ଗୁଟଖା ଖାଇ ଗାଁରେ ବୁଲିଲା। ଏପଟେ ମାଆ ଦେହ ଧିରେ ଧିରେ ଖରାପ ହେଲା।

ପ୍ରାୟ ୫ କିମି ଦୂରରେ ମାମୁଁ ଘର। ଅଜା ଜଣେ ଧନୀଲୋକ । ଜଣେ ମାମୁଁ ଅଧ୍ଯାପକ, ଆଉ ଜଣେ ଓୟୁଏଟିର ଲ୍ୟାବ ଆସିଷ୍ଟାଣ୍ଟ୍। ମଉସା ମଧ୍ଯ ଭୁବନେଶ୍ୱର ରାଜଧାନୀର ଘରଦ୍ବାର କରି ପ୍ରତିଷ୍ଠିତ। କିନ୍ତୁ କଥାରେ ଅଛି, ନଥିବା ଲୋକର କେହି ନାହିଁ। ତଥାପି ଗୋଟିଏ ବର୍ଷ ମାମୁଁ ଘର ଗାଁରେ ବିଜୟ ଟ୍ୟୁସନ ଆରମ୍ଭ କଲା। ସେଥିରେ କୋଉ ପରିବାର ଚଳେ? ଅନ୍ଯପଟେ କେମିତି କେଜାଣି ବିଜୟ ମାମୁଁ ଘର ଗାଁରେ ଗୋଟିଏ  ୧୦ମ ଶ୍ରେଣୀ ଝିଅକୁ ପ୍ରେମ କରି ବସିଲା। ତା ପୁଣି ଧନୀ ଘର ଝିଅ। କୁହାଯାଏ, ପ୍ରେମରେ ସଫଳତା ହାର ବେଶୀ, ବିଫଳତା କମ୍। ଜଣେ ଗରିବ ପୁଅ ଧନୀ ଝିଅ କୁ ପ୍ରେମ କରିବା ସହଜ କିନ୍ତୁ ବିବାହ ବେଳକୁ ବହୁତ ପ୍ରତିବନ୍ଧକ ଆସେ। ବିଜୟ ଜୀବନରେ ମଧ୍ଯ ସେଇଆ ଘଟିଲା। ଝିଅ ଘର ଲୋକେ ଧମକ ଦେଲେ। ଗୋଟିଏ ପଟେ ପ୍ରେମିକାର ପଢାରେ ବ୍ୟାଘାତ ନହେଉ, ଅନ୍ୟ ପଟେ ନିଜର ରୋଜଗାର ନଥିବାରୁ ବିଜୟ ନିଜକୁ ପ୍ରକୁତିସ୍ଥ କରି କିଛି କରିବା ପାଇଁ ଚିନ୍ତା କଲା। 
ଅନେକ ସାଙ୍ଗ ବାଣୀବିହାର ରେ ପିଜି କରିବା ପାଇଁ ଗଲେ। ହେଲେ ଏପଟେ ଘର ସମସ୍ୟା -  ଗୋଟିଏ ପଟେ କ୍ଯାରିଅର ପାଇଁ ଭୁବନେଶ୍ୱର ରେ ରହି ପାଠ ପଢିବା - ସେପଟେ ପ୍ରେମିକା । ବହୁତ ଭାବି ଚିନ୍ତି ବିଜୟ ବସ୍ ଧରିଲା ରାଜଧାନୀ ମୁହାଁ। ରାଜଧାନୀର ମାୟା ନଗରୀରେ କେହି କାହାର ନୁହନ୍ତି। ସମସ୍ତଙ୍କ ପରାମର୍ଶ କ୍ରମେ ପିଜି କରିବା ସହିତ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲା। ଯଦିଓ ମାମୁଁ ଓ ମଉସା କିଛି ସହଯୋଗ କରିଥାନ୍ତେ, କିନ୍ତୁ ସ୍ୱାଭିମାନୀ ବିଜୟ ନିଜ ଉଦ୍ଯମ ରେ ଚଳିବା ଆରମ୍ଭ କଲା। ଏଇଠାରୁ ଜଣେ ସାଧାରଣ ପରୀକ୍ଷାର୍ଥୀ ର ଜୀବନ ଆରମ୍ଭ ହେଲା। 
ନୟାପଲ୍ଲୀ ବେହେରା ସାହିର ଏକ ଛୋଟିଆ ଆଜବେସ୍ଟସ ଘର। ଆଉ ଦୁଇ ଜଣ ରୁମ୍ ମେଟ । ପାଖରେ ଆଉ ତିନିଟା ରୁମରେ ୩*୩=୯ ଜଣ ପିଲା।ଘର ମାଲିକ ରହୁନଥିଲା । ପ୍ରାୟ ସମସ୍ତ ପିଲା ବାଣୀବିହାର ରେ ପିଜି କରିଥିଲେ। ତେଣୁ ସମସ୍ତେ ମିଶି ସେ ମେସ୍ ର ନାମ "ଉତ୍କଳ ନିବାସ" ରଖିଲେ। ସମସ୍ତଙ୍କ ଲକ୍ଷ୍ଯ ସରକାରୀ ଚାକିରୀ ଖଣ୍ଡେ। ରାଜ୍ଯର ବିଭିନ୍ନ ଜିଲ୍ଲାରୁ ଆସିଥିଲେ ମଧ୍ଯ ଏକ ମନ ନେଇ ଅଭିଯାନ ଆରମ୍ଭ କଲେ। ସେତେବେଳେ ପ୍ରାୟତଃ ରେଲୱେ ଚାକିରୀ ବେଶୀ ବାହାରୁଥିଲା। ଭୋର ୪ଟାରୁ ସବୁ ରୁମରେ ଲାଇଟ ଅନ ହେଉଥିଲା। କିଏ ଛାତ ଉପରେ ଯାଇ ପ୍ରାଣାୟାମ କରୁଥିଲା, ଆଉ କିଏ ରୁମର ଗୋଟିଏ କଣରେ କମ୍ବଳ ଘୋଡାଇ ହନୁମାନ ଚାଳିଶା ଜପୁଥାଏ। ଆଉ କିଛି ଚତୁର ବାଳକ ଏକମାତ୍ର ପାଇଖାନା ହେତୁ, ସକାଳର ପୋଖରୀ ପାଣି (ଝାଡାଯିବା) କାର୍ୟ୍ଯ ଟା ସାରିଦେଉଥିଲା। ସେପଟେ ଜଣେ ମଶାରୀ ଭିତରେ ରହି ଘଣ୍ଟାଏ ଭିତରେ ୧୦୦ଟି ସାଧାରଣ ଜ୍ଞାନ ପ୍ରଶ୍ନ ଘୋଷିବାରେ ବ୍ଯସ୍ତ। ଏପରି ଭାବରେ, ସକାଳ ୫ଟା ବେଳକୁ ପ୍ରାୟ ମେସ୍ ଚଳଚଂଚଳ ହୋଇଉଠେ। ସତେ ଯେମିତି ଏକ ଗୁରୁକୂଳ ଆଶ୍ରମ। ୧୨ ଜଣ ଅନ୍ତେବାସୀ। ଗୋଟିଏ ପାଇଖାନା। ୫ଟା ରୁ ୬ଟା ଗାମୁଛା ପିନ୍ଧି ଲାଇନ ରେ ରୁହ। ଗୋଟିଏ ଗାଧୁଆ ଘର ତା ପୁଣି ବିନା କବାଟ। କୂଅରୁ ପାଣି କାଢି ଗାଧୋଇବା। ସେଇ ଦାନ୍ତଘଷା, ପାଇଖାନା, ଗାଧୁଆ ସମୟରେ ଯାହା ଟିକେ ଗପସପ, ଥଟାତାମସା। 
ବାସ୍ ୬ଟା ବାଜିଗଲେ ସମସ୍ତେ ପ୍ରାୟ ଚୁଡା ଖାଇଦିଅନ୍ତି । ଧିରେ ଧିରେ ସାଇକେଲ ଖଣ୍ଡିଏ ଧରି ସମସ୍ତେ ବାହାରି ଯାଆନ୍ତି ପାର୍କ। ପ୍ରାତଃ ଭ୍ରମଣ ପାଇଁ ନୁହେଁ ବରଂ ପଢିବା ପାଇଁ। କିଏ ଇନ୍ଦିରା ପାର୍କ, ଆଉ କିଏ ଏମ୍ଏଲ୍ଏ ପାର୍କ। ସକାଳ ଗାଧୁଆ, ପେଟରେ ଚୁଡା ଗଣ୍ଡିଏ, ପାର୍କ ର ଶୀତଳ ପରିବେଶ। ମନରେ ଚାକିରୀ ନିଶା। ସକାଳର ଖରା ଟାଣ ହେଇ ଆସିଲା ବେଳକୁ ଦୁଇ ଘଣ୍ଟାର ପଢା ଖୁବ ଉପାଦେୟ ହୋଇସାରିଥାଏ। ଥଣ୍ଡାମୁଣ୍ଡରେ ୫୦ଟି ଗଣିତ କରିବା ଟାର୍ଗେଟ ରଖି ଯେତିକି ପାରନ୍ତି କରନ୍ତି। ନଆସିଲେ ପଚରାପଚରି କରନ୍ତି। 

ଏବେ ସମସ୍ତେ ପୁଣି ଘରକୁ ଯାଆନ୍ତି। ମୁଖ୍ଯ କାରଣ ରୋଷେଇ ହେବ। ପୁଣି ସପ୍ଲାଇ ପାଣି ବୋତଲରେ ଭରି ରଖିବାକୁ ପଡିବ। କାଲି ସକାଳ ଯାଏ ସମସ୍ତେ ପିଇବେ। ରୋଷେଇ ପାଠ ମଧ୍ଯ ବେଶ ଶ୍ରୁଙ୍ଖଳିତ। ସମୟ ବଂଚାଇବା ପାଇଁ ଡାଲମା ହିଁ ଏକମାତ୍ର ଉପାୟ। ସମସ୍ତଙ୍କ ରୁମରେ ଗୋଟିଏ ଗୋଟିଏ ଷ୍ଟୋଭ। ସରକାରୀ କଣ୍ଟ୍ରୋଲ ଦୋକାନରୁ କେହି ଚିହ୍ନା ଜଣା ଲୋକର କାର୍ଡ ଥିଲେ, କିଛି ଅଧିକ ପଇସା ଦେଇ କିରୋସିନ ଆଣି ରଖାଯାଏ। କେହି କେହି ଗାଁରୁ ମଧ୍ଯ ଆଣିଥାନ୍ତି। ଚାଉଳ ଏମିତିରେ ପାଳି କରି ସମସ୍ତେ ଗାଁରୁ ବସରେ ମଗାନ୍ତି । କିନ୍ତୁ ଗାଁ ଉଷୁନା ଚାଉଳ ଭାତ ପାଇଁ ଘଣ୍ଟାଏ ଲାଗେ। ତେଣୁ ସମସ୍ତେ ଭାତ ମଧ୍ଯ ପ୍ରେସର କୁକରରେ କରନ୍ତି। ସେଥିପାଇଁ ପାଣି-ଚାଉଳର ଭାଗମାପ ଜାଣିବା ଦରକାର । ପ୍ରତି ରୁମର ୩ ଜଣ ପାଳି କରି ରୋଷେଇ କରନ୍ତି। ଦୁଇ ଓଳି କେବଳ ରୋଷେଇ ହୁଏ। ସକାଳ ଓଳି ଯିଏ ରୋଷେଇ କରେ, ସଂଧ୍ଯାରେ ମଧ୍ଯ ସିଏ କରିବ। କିନ୍ତୁ ଦିନେ ଛଡା ଦିନେ। ବାସନ ମାଜିବାକୁ ବି ସେମିତି ପାଳି। ଯାହାର ରୋଷେଇ ଥିବ, ଅନ୍ୟ ଜଣେ ବାସନ ମାଜିବ। ସେଥିପାଇଁ ବିଧିବଦ୍ଧ ଭାବେ ରୁଟିନ ଚାଟ ମଧ୍ଯ ଲାଗେ। ଠିକ ୧୨ଟା ଭିତରେ ରୋଷେଇ ସାରି ଖିଆପିଆ କରନ୍ତି। ପୁଣି ଆରମ୍ଭ ହୁଏ ପାଠପଢା। କିନ୍ତୁ ଘରେ ନିଦ ହେଇଯିବା ଭୟରେ ୭-୮ ଜଣ ରାଜ୍ଯ ଲାଇବ୍ରେରୀ କୁ ପଳାନ୍ତି ପଢିବାକୁ।ମାତ୍ର ୧୦୦ ଟଙ୍କା ଦେଇ ମେମ୍ବରଶିପ୍ କରିବାକୁ ପଡେ। ସେଠି ସମସ୍ତ ପ୍ରାକାର ଖବରକାଗଜ ଆସେ। ତେଣୁ Current Affairs ପାଇଁ ସାହାଯ୍ୟ ମିଳେ। ସେଠାରେ ନିୟମିତ ପଢୁଥିବା ପିଲାମାନେ ନିଜ ଭିତରୁ କେହି ନା କେହି କୌଣସି ଚାକିରୀ ପାଇଲେ, ଅନ୍ୟ ମାନେ ପ୍ରେରଣା ପାଆନ୍ତି। କେତେବେଳେ କେଉଁ ଚାକିରୀ ବାହାରିଲେ, ଲାଇବ୍ରେରୀ ରୁ ଆଗେ ଖବର ମିଳେ। ସେତେବେଳେ ଏମପ୍ଲୟମେଣ୍ଟ ନିଉଜ ନାମକ ପତ୍ରିକାରେ ମଧ୍ଯ ସବୁ ଚାକିରୀ ବିଷୟରେ ଜାଣିପାରୁଥିଲେ। ରଫ ହିସାବ ତଥା ପ୍ରାକ୍ଟିସ ପାଇଁ ସମାଜ ଅଫିସ ତରଫରୁ ୫ଟଙ୍କାରେ ଗୋଟିଏ ଗୋଟିଏ ଖାତା ମିଳେ। ସମସ୍ତଙ୍କ ପାଖରେ ପ୍ରାୟ ସେଇ ଖାତା ଥାଏ। 
ଠିକ୍ ୫ଟା ପରେ ସମସ୍ତେ ଲାଇବ୍ରେରୀ ରୁ ବାହାରି ଯାଆନ୍ତି। ଖୁବ ଅଳ୍ପ ପିଲା ମେସ୍ କୁ ଯାଆନ୍ତି। ମାତ୍ର ବେଶୀ ପିଲା ଯାଆନ୍ତି ନିଜ ନିଜ ଟ୍ୟୁସନ ପାଇଁ। ହୋମ ଟ୍ୟୁସନ କରି ଯାହା କିଛି ମିଳେ ସେଥିରେ ମେସ୍ ଖର୍ଚ୍ଚ, ଘର ଭଡା, ପରୀକ୍ଷା ଫିସ୍ ତଥା ଅନ୍ୟାନ୍ୟ ଖର୍ଚ୍ଚ ଭରଣା କରିବାକୁ ପଡେ। ତଥାପି ବେଳେ ବେଳେ ଘରୁ କିଛି ମାଗିବାକୁ ପଡେ। ପିଲାଙ୍କୁ ପଢାଇଲେ, ପୂର୍ବ ପାଠର ଆଲୋଚନା ବି ହେଇଥାଏ, ଯାହା କି ପରୀକ୍ଷା ରେ ସାହାଯ୍ୟ କରେ। ଅନେକ ଟ୍ୟୁସନ ରେ ଅଭିଭାବକ ମାନେ ଖାଇବାକୁ ମଧ୍ଯ ଦିଅନ୍ତି । ଫଳରେ ଗୋଟିଏ ଓଳି ମେସ୍ ଖାଇବା ଖର୍ଚ୍ଚ ବଂଚିଯାଏ। ଫେରିଲା ବେଳେ ଯଦି କୋଉ ପର୍ବରେ ମନ୍ଦିର କିମ୍ବା କ୍ଲବ ତରଫରୁ ଭୋଜି ଥାଏ, ତେବେ ଡକାଡକି  ହେଇ ସମସ୍ତ ପିଲା ରାତି ରୋଷେଇ ବନ୍ଦ କରି ସେଇଠି ମାଗଣା ଭୋଜନର ଫାଇଦା ଉଠେଇ ଦିଅନ୍ତି। 

ରାତି ୯ଟା ବେଳକୁ ଗୋଟିଏ ପରେ ଗୋଟିଏ ସାଇକେଲ ଉତ୍କଳ ନିବାସକୁ ଫେରେ। ସମସ୍ତେ କ୍ଲାନ୍ତ। ଜଣକ ପରେ ଜଣେ କୂଅ ପାଖରେ ମିଞ୍ଜି ମିଞ୍ଜି ଆଲୁଅରେ ଧୁଆଧୋଇ ହୁଅନ୍ତି। ଠାକୁରଙ୍କୁ ଧୂପ ଲଗାନ୍ତି। ଦିନସାରା ନିସ୍ତବ୍ଧ ଥିବା ପରିବେଶ ହଠାତ୍ ରାତି ୯ଟା ପରେ ସତେଯେମିତି ସଂଧ୍ଯା ଭଳି ଲାଗେ। ସବୁ ରୁମ ସାମ୍ନା ବାରଣ୍ଡାରେ ଷ୍ଟୋଭ୍ ର ଭୁରୁ ଶବ୍ଦ ଏବଂ ପ୍ରେସର କୁକର ହୁଇସିଲ ଶୁଣାଯିବା ଆରମ୍ଭ ହୁଏ। ବିଶେଷ ଭାବରେ କୌଣସି ରୁମ ପାଇଁ ରୋଷେଇ ଘର ନାହିଁ। ସେଇ ୮/୧୦ ଫୁଟ ଘର ଭିତରେ ସବୁ। ବରଣ୍ଡାରେ ରୋଷେଇ। ପ୍ରାୟ ୧୦ଟା ବେଳକୁ ମେସ୍ ର ଶେଷ ରୁମ୍ ରେ ସମସ୍ତ ରୁମ ପିଲା ନିଜ ନିଜ ଥାଳି ଧରି ହାଜର। ୪ଟା ରୁମ୍ ର ୪ଟା କଡେଇରେ ଡାଲମା। ପରିବା ଅନୁପାତ ଯାହା ଟିକେ ଅଲଗା। ସେହିପରି ୪ଟା ପ୍ରେସର କୁକର ରେ ଭାତ। ଗୋଲ ହୋଇ ବସି ଯାଆନ୍ତି ୧୨ ଜଣ ଥାଳି ଓ ଗିନା ଧରି । ମଝିରେ ଭାତ ଡାଲମା। ଯଦି କିଏ ଜଣେ ଭଜା କରିଥିବ, ସମସ୍ତେ ଟିକେ ଟିକେ ପ୍ରସାଦ ଭଳି ପାଇବେ। ତଥାପି ସେଇ ପଙ୍କ୍ତି ରେ ବସି ଖାଇଲେ, ଦିନ ଯାକର ଥକ୍କା ମେଣ୍ଟିଯାଏ। ସବୁ କଥା ଆଲୋଚନା ହୁଏ। ସେଇ ଦୁଇଘଣ୍ଟା ଗହଳ ଚହଳ ପରେ, ୧୧ଟା ବେଳକୁ ସବୁ ପୁଣି ଶୂନଶାନ୍। 
କିନ୍ତୁ ରୁମ୍ ଲାଇଟ ଜଳୁଥାଏ। ୧୨ଟା ଯାଏ ଓଡିଆ କିମ୍ବା ଇଂରାଜୀ ବ୍ୟାକରଣ ପଢା ହଏ। ଧିରେ ଧିରେ ସମସ୍ତେ ଶୋଇ ଯାଆନ୍ତି ପୁଣି ଏକ ସକାଳ ଆରମ୍ଭ କରିବା ପାଇଁ। 

ରବିବାର ଦିନଟି କିନ୍ତୁ ଟିକେ ଅଲଗା ଭାବେ କଟିଥଲା। ଲାଇବ୍ରେରୀ ବନ୍ଦ ଥିବାରୁ, ସମସ୍ତେ ପ୍ରାୟ ଘରେ ରୁହନ୍ତି। କିଛି ପିଲା ପାର୍କ ଯାଆନ୍ତି। ଆଉ କିଏ କପଡା ସଫା ପାଇଁ ରୁହନ୍ତି। ଛାତ ଉପରେ ୪ଟା ବେଳେ ବିଭିନ୍ନ ଦ୍ୱନ୍ଦ୍ୱ ବିଷୟରେ ଆଲୋଚନା ହୁଏ। ଛାତ ଉପରୁ କଳିଙ୍ଗ ଷ୍ଟାଡିୟମରେ ମଣିଂ ୱାକ କରୁଥିବା ଲୋକ ମାନଙ୍କକୁ ଦେଖି ଇଛା ହୁଏ, ମୁଁ ବି ସରକାରୀ ଚାକିରୀ କରିବି। ସକାଳ ସଂଜ ଏମିତି ବ୍ୟାୟାମ କରିବି। କହିବାକୁ ଗଲେ, କେବଳ ଆଲୋଚନା ମାଧ୍ୟମରେ ଅନେକ ଜ୍ଞାନ ହାସଲ ହୋଇଥାଏ। ସାଧାରଣତଃ ରବିବାର ଦିନରେ ଫର୍ମ ପୂରଣ, ଟ୍ରେଜରୀ ଚାଲାଣ ଲେଖିବା, ପ୍ରିଣ୍ଟ ଆଉଟ କାଢିବା ଇତ୍ୟାଦି କାମ କରାଯାଏ। 
ସେତେବେଳେ ରେଲୱେ ପରୀକ୍ଷା ବିଭିନ୍ନ ବୋର୍ଡ ତରଫରୁ ଅଲଗା ଅଲଗା ହେଉଥିଲା। ଫଳରେ ରାଜ୍ଯ ବାହାରକୁ ଯାଇ ପରୀକ୍ଷା ଦେବାକୁ ପଡୁଥିଲା। କେବଳ ଅନୁସୂଚିତ ଜାତି /ଜନଜାତି ପିଲାମାନଙ୍କୁ ଟ୍ରେନ ଯାତ୍ରା ମାଗଣାରେ ମିଳୁଥିଲା। ତେଣୁ ଅକାଳେ ନିୟମ ନାସ୍ତି ପରି, ବିଭିନ୍ନ ସଂରକ୍ଷିତ ଜାତିର ସାଙ୍ଗମାନଙ୍କ ନାମରେ ଆବେଦନ କରାଯାଏ। ସେମାନଙ୍କର ଆଡମିଟ କାର୍ଡରେ ନିଜ ଫଟୋ ମାରି ଟ୍ରେନ ଖର୍ଚ୍ଚ ବଂଚାଇବାକୁ ପଡେ। ସାଇକେଲ ଷ୍ଟେସନ ରେ ରଖି ପରୀକ୍ଷା ଦେବାକୁ ଯାଆନ୍ତି ଓ ପୁଣି ଫେରିଲେ ସାଇକେଲ ରେ ଘରକୁ ଫେରନ୍ତି। ଅଧିକାଂଶ ପରୀକ୍ଷା ରେ ଟାଇପ୍ ଟେଷ୍ଟ ଥିବାରୁ ମେସ୍ ରେ ଏକ ପୁରୁଣା ଟାଇପ ମେସିନ ରଖାଯାଇଥିଲା। ଟିକିଏ ସମୟ ମିଳିଲେ, ୫-୧୦ ମିନିଟ ଟାଇପିଙ୍ଗ ଅଭ୍ଯାସ ମଧ୍ଯ କରାଯାଏ। ଏପରିକି ବିନା କମ୍ପ୍ୟୁଟର ରେ କେବଳ କି-ବୋର୍ଡ ରେ ମଧ୍ଯ ଅଭ୍ଯାସ କରନ୍ତି। 
ମେସ୍ ଗଳିର ପ୍ରବେଶ ଯାଗାରେ ଏକ  STD Booth  ଥିଲା। ନିଜ ପରିବାର ସହ ୧୦-୧୫ ଦିନରେ ଥରେ ଦରକାର ପଡିଲେ ଫୋନ କରାହୁଏ। ଗାଁରୁ କେହି ଫୋନ କଲେ ଉତ୍କଳ ନିବାସ ର ଅମକ କୁ ଏଇ ଖବର ଦିଅ ବୋଲି କହୁଥିଲେ। ଡାକବାଲା ପ୍ରତ୍ୟେକ ଦିନ ୪-୫ ଚାକିରୀ ସମ୍ବନ୍ଧୀୟ ଚିଠି, ଆଡମିଟ ଆଣି ଦିଏ। ସବୁ ଚିଠିର ଠିକଣା ଉତ୍କଳ ନିବାସ। ବେଲ ବାଜିଲେ ସମସ୍ତେ ଭାବନ୍ତି ସେମାନଙ୍କ ଚିଠି। ଆଜିର Log in - Download ଅପେକ୍ଷା ସେ ଚିଠିର ଉତ୍ସାହ କିଛି ନିଆରା। 

ସମୟ କ୍ରମେ ଜଣକ ପରେ ଜଣେ ରେଲୱେ ରେ ଚାକିରୀ ପାଇଗଲେ। ଷ୍ଟେସନ ମାଷ୍ଟର, ଗୁଡ୍ସ ଗାର୍ଡ, ଗ୍ରୁପ-ଡି, ସିଗନାଲ ଇଂଜିନିୟର ଇତ୍ୟାଦି ପଦବୀରେ ପ୍ରାୟ ପିଲା ଚାକିରୀ ପାଇ ଚାଲିଗଲେ। କାହିଁକି କେଜାଣି ଉତ୍କଳ ନିବାସ ସରକାରୀ ଚାକିରୀ ପାଇଁ ଏକ ଶୁଭ ପରିବେଶ ବୋଲି ବିଶ୍ବାସ ହେଲା। ପରେ ପରେ ଅନ୍ୟ ମାନେ ମଧ୍ଯ ସେ ମେସ୍ ରେ ପଢାପଢି କଲେ। ସମୟ ପରିବର୍ତ୍ତନ ହେବା ସହିତ ମେସ୍ ରେ ଆଜି କୂଅରୁ ପାଣି କାଢିବାକୁ  ପଡୁନି। ମୋଟର ଯୋଗେ ପାଣି ଉଠୁଅଛି। ଷ୍ଟୋଭ ଯାଗାରେ ଗ୍ଯାସ, ଟାଇପ ମେସିନ ଯାଗାରେ କମ୍ପ୍ୟୁଟର ହେଇଗଲାଣି। ବାଚେଲର ଯାଗାରେ ଫାମିଲି ରହିଲେଣି। 

ବିଜୟ ମଧ୍ଯ ଏହିଭଳି ଜୀବନଚର୍ଯ୍ୟାର ଏକ ଅଂଶ ଥିଲା। କିନ୍ତୁ ନିଜ ରାସ୍ତା ଥିଲା ଅଲଗା। ପ୍ରଥମେ ପୋଲିସ  ସବ-ଇନ୍ସପେକ୍ଟର ଚାକିରୀଟିଏ ପାଇଲା।  ପରିବାର ସାଙ୍ଗସାଥୀ ଟିକେ ଆସ୍ୱସ୍ଥି ପାଇଲେ ହେଲେ ମନରେ ସେତେ ସ୍ପ୍ରୁହା ନାହିଁ। ବଦଳୀ ଚାକିରୀ। ଭଉଣୀ ବାହାଘର ଆଗେ କରିବାକୁ ପଡିବ। ତାପରେ ନିଜର।ସେପଟେ ପ୍ରେମିକା ଇଂଜିନିୟରିଂ ପଢିସାରିବା ପରେ ଆଉ ଅପେକ୍ଷା ନକରି ଅନ୍ୟତ୍ର ବିବାହ କରିଗଲା।ଜୀବନର ମାନେ ତ ଏଇଆ। ପରିବାରର ବୋଝ ମୁଣ୍ଡାଉଥିବା ବ୍ଯକ୍ତି କେବେ ନିଜ ଜୀବନ କୁ ଭଲରେ ଭୋଗ କରିପାରେନି। ଏମିତିରେ ପ୍ରେମିକା ମାନେ ତ ଖଣ୍ଡିଆ ବିଡି ସହିତ ସମାନ। ଟାଣୁଥିବା ଯାଏ ଥିବ। ଟିକେ ଛାଡିଦେଲେ ଲିଭିଯିବ। ବିଜୟ ପୁଣି ନିଷ୍ପତ୍ତି ନେଲା। ଦୁଇ ଭାଇ ଭଉଣୀକୁ ସେଇ ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତ କରାଇଲା। ଭଗବାନଙ୍କ କ୍ରୁପାରୁ ସାନଭାଇକୁ ଅବକାରୀ ବିଭାଗ ସବ୍-ଇନ୍ସପେକ୍ଟର ଚାକିରୀ ମିଳିଗଲା। ପରବର୍ତ୍ତୀ ସମୟରେ ସାନ ଭଉଣୀ ଓ ବିଜୟ ACTO ଚାକିରୀ ପାଇଗଲେ। ଦୀର୍ଘ ଦିନର ଅଭାବୀ ପରିବାର ବେଶ ଖୁସିରେ ଚାଲିଲା। ମାଆ କିନ୍ତୁ ଧିରେ ଧିରେ ଅସୁସ୍ଥ ହେଲେ। ତେଣୁ ଭଉଣୀର ବିବାହ କରାଇବା ସହିତ ବିଜୟ ନିଜେ ବିବାହ କରିଗଲା। କିନ୍ତୁ ଅସୁସ୍ଥ ମାଆର ସେବା କରିବା ପାଇଁ, ନିଜର ଉଚ୍ଚ ଶିକ୍ଷିତ ସ୍ତ୍ରୀ କୁ କୌଣସି ଚାକିରୀ କରାଇଦେଲା ନାହିଁ। ରାଜଧାନୀରେ ଭଲ ଘରଟିଏ ଭଡା ନେଇ ସ୍ତ୍ରୀ ଓ ମାଆ ସହ ରହିଲା। ସାନ ଭାଇ ଛୁଟିରେ ଆସିଲେ ଏଇଠି ରହେ। ଧିରେ ଧିରେ ବୁଲେଟ୍ ଗାଡି, କାର୍ ଓ ଦୁଇଟି ପ୍ଲଟ କିଣି ଭୁବନେଶ୍ୱର ରେ ବେଶ ଆରାମରେ ଦିନ କାଟୁଥିଲେ। ଦୀର୍ଘ ୮ ବର୍ଷ ଧରି ପିଲାପିଲି ନ ହେବାରୁ ସାମାନ୍ଯ ଚିନ୍ତିତ ଥିଲା ବିଜୟ। ଚିନ୍ତା କଲା ସାନ ଭାଇର ବିବାହ କରାଇଦେବାକୁ। ଭାଗ୍ୟର ବିଡମ୍ବନା ଦେଖ। ସବୁ ଥାଇ ବି, ମନ ଭଲ ରହୁନି। ବିଜୟ ଥିଲା କୋରାପୁଟ ରେ। ସାନଭାଇ ଅଜୟ ଭୁବନେଶ୍ୱର ଆସିଥିଲା ଛୁଟିରେ। ହଠାତ୍  ରାତି ୩ଟାରେ ଦେହ ଅସୁସ୍ଥ ହେଲା, ହ୍ରୁଦଘାତରେ କ୍ଷଣିକ ମଧ୍ଯରେ ଜୀବନ ଚାଲିଗଲା। ସକାଳୁ ସକାଳୁ କ୍ଯାପିଟାଲ ହସ୍ପିଟାଲ ସାମ୍ନାରେ ଭିଡ। ଦୁଇ ଭାଇଙ୍କର ସବୁ ପରିଚିତ ଲୋକମାନେ ଅଜୟ ମ୍ରୁତ୍ୟୁ ପାଇଁ ଯେତିକି ଚିନ୍ତିତ ନୁହଁନ୍ତି, ବିଜୟ ପାଇଁ ଅଧିକ ଚିନ୍ତିତ। 

ଗାଡି ଭଡାକରି କୋରାପୁଟ ରୁ ଫେରୁଛି ବିଜୟ। ସତେ ଯେମିତି ଏକ ବଜ୍ର ପଡିଗଲା ତା ମୁଣ୍ଡରେ। ମନେ ମନେ ଭାବୁଥାଏ, ସତରେ କଣ ସବୁ ନିଷ୍ପତ୍ତି ଭଗବାନ ନିଅନ୍ତି? ମଣିଷ ହାତରେ କିଛି ନାହିଁ? ସେ ଏବେ କରିବ କଣ? ପୂର୍ବ ଜନ୍ମରେ ତା ପରିବାର କିଛି ଅଭିଶାପ ପାଇଛି କି? 

ମୋର ମନେଅଛି, ଯେତେବେଳେ ମୁଁ ସେଇ ମେସରେ ରହିବାକୁ ଗଲି, ସବୁ ପୁରୁଣା ଜିନିଷ ପତ୍ର, ଅଳିଆ ବାହାର କରି ସିଡି ଘରେ ରଖିଦେଲି। ହଠାତ୍ ଦିନେ ବିଜୟ ଆସି ତାର ଜିନିଷ ସବୁ ଖୋଜିଲା। ପୁରୁଣା ସାଇକେଲ ଟା ଗ୍ୟାରେଜରେ ଥିଲା କିନ୍ତୁ ପୁରୁଣା ବ୍ୟାଗଟିିଏ ମିଳିଲାନି । ମୋତେ ବହୁତ ଗାଳି କଲା। ଯେନତେନ  ଉପାୟରେ ଖୋଜିବାକୁ କହିଲା । ସେେେଇଟା କୁଆଡେ ତା ସ୍ମ୍ରୁତି। ଜୀବନ ସାରା ଦେଇଥିବା ପରୀକ୍ଷା ଆଡମିଟ କାର୍ଡ ସେଇ ବ୍ୟାଗରେ। ସାଇକେଲ ଓ ସେହି ବ୍ୟାଗ ଧରି ଭୁବନେଶ୍ୱର ଆସିଥିବା ବିଜୟ ପାଖରେ କାର, ବାଇକ, ଘର ସବୁ ଅଛି। ହେଲେ କୋଳକୁ ସନ୍ତାନ ଟିଏ ନଦେଇ ଓଲଟା ସାନ ଭାଇଟିକୁ ଛଡାଇ ନେଲେ। ଜୀବନର ଦୁଃଖ ସମୟରେ ନିଜକୁ ଆଶ୍ୱାସନା ଦିଏ ଯେ, ମରିବା ପର୍ୟ୍ଯନ୍ତ ନିଜକୁ ବହୁତ କିଛି ହରାଇବାକୁ ପଡେ। ସେ ହେଉ ଚାକିରୀ, ପ୍ରେମିକା ଅବା ଭାଇ। 
ଏମିତି ଗୋଟିଏ ପରେ ଗୋଟିଏ ଅତୀତ ଆଖି ଆଗରେ ଭାସି ଆସୁଥିଲା। କେତେବେଳେ ଯେ ସକାଳ ହେଇଗଲାଣି ମୋର ଧାରଣା ନାହିଁ। ସକାଳୁ ସକାଳୁ ପୁଣି ଫୋନ ରିଂ ହେଲା। ଭାବିଲି ରକ୍ତ ଯୋଗାଡ କଥା କହିବେ। 
ପଚାରିଲି : କେତେବେଳେ ପିଲା ପଠାଇବି? 
ଦାଦା : ଥାଉ ଦରକାର ନାହିଁ। ହେଇଗଲା
ମନରେ କାହିଁକି ପାପ ଛୁଇଁଲା। ସାଙ୍ଗେ ସାଙ୍ଗେ ବାହାରିଲି ହସ୍ପିଟାଲ ଯିବାକୁ। ଅଧା ବାଟରେ ପହଞ୍ଚିଛି , ପୁଣି ଦାଦାଙ୍କ ଫୋନ ଆସିଲା : ବିଜୟ ଚାଲିଗଲା

ଓ ମାଇଁ ଗଡ୍ 
ୟେ କି ବିଚାର ଭଗବାନଙ୍କର? ଗାଡି ଆଗକୁ ନେବି ନା ପଛକୁ। ବୟସ ମାତ୍ର ୪୫ । କରୋନାରେ  ଆକ୍ରାନ୍ତ ହୋଇ ପ୍ରାୟ ୭୫ ଦିନ ଚିକିତ୍ସା ହେଲା। ଏହି ୭୫ ଦିନ ପରିବାର ଲୋକ କେମିତି ବଂଚିଥିବେ ଜଣାନାହିଁ। କିନ୍ତୁ ଶେଷ ପରିଣତି ମଧ୍ଯ ଏଇଆ। ସବୁ କିଛି ହାସଲ କରି ବି କିଛି ଭୋଗ କରିବା ପୂର୍ବରୁ ମହାମାରୀରେ ଚାଲିଗଲା। ବିଚାରୀ ସ୍ତ୍ରୀ ଆଉ ମାଆ ଏକୁଟିଆ ହେଇଗଲେ। ସମସ୍ତେ ନିର୍ବାକ୍। ଲୋକମାନେ କଥା ହେଲେ, ଯେ ପରିବାର ଯେମିତି ଉନ୍ନତି କରି ଆସିଥିଲା, ଠିକ୍ ସେମିତି ତଳକୁ ଖସିଗଲା। 

ସେଥିପାଇଁ କୁହାଯାଏ;
କିଏ କହିବ, ଆକାଶରେ ସୁନାଖରା ଚିକଚିକ କରୁଥିବା ବେଳେ, କଳାହାଣ୍ଡିଆ ମେଘ ଘୋଟି  ନ ଆସିବ। 
କିଏ କହିବ, ଜୀବନରେ ସବୁ କିଛି ଠିକ ଠାକ୍ ଚାଲୁଥିବା ବେଳେ, ହଠାତ୍ ମ୍ରୃତ୍ୟୁ ନ ଆସିବ।। 

ଆଜିକାଲି ସେସମୟର କଷ୍ଟ ସ୍ୱୀକାର କରି ପଢିବାକୁ ପଡୁନି କିନ୍ତୁ ପରିଶ୍ରମ ତ କରିବାକୁ ହିଁ ପଡିବ। ସରକାରୀ ଚାକିରୀ ପାଇଁ କେବଳ ନିଜର ଇଛା ଶକ୍ତି ଓ ପରିଶ୍ରମ ଦରକାର। କିନ୍ତୁ ରାଜକୋଷ ଅର୍ଥ କେତେଦିନ ଭୋଗ କରିବ ତାହା ଭଗବାନଙ୍କ ଇଛା ଶକ୍ତି ଉପରେ ନିର୍ଭର କରେ। 

3 comments:

BollywoodTimes said...

Great....speechless

Samir Ranjan said...

ପ୍ରେମିକାମାନେ ତ ଖଣ୍ଡିଆ ବିଡି ସହିତ ସମାନ 👌👌👌👌
କଥାଟି ମନକୁ ପାଇଲା👍👍
କାହାଣୀଟି ସତରେ ହୃଦୟସ୍ପର୍ଶୀ।
ସତରେ ସରକାରୀ ଚାକିରୀ ପାଇବା କେତେଯେ କଷ୍ଟ ସେ ହିଁ ଜାଣିଛି, ଯିଏ ବହୁତ କଷ୍ଟ କରିକରିଛି।

Asit said...

Nice real story,such a beautiful man, god bless his family.who knows today or tomorrow he wiil die but every moment one should do his duty for achieving his success.thank u....govt job,govt job,govt job...