ଆଜି ସାରା ରାଜ୍ଯରେ ଯୁବପିଢି ସରକାରୀ ଚାକିରୀ ଖଣ୍ଡିଏ ପାଇବା ପାଇଁ ଆଶା ରଖି ସବୁପ୍ରକାର ଚେ଼ଷ୍ଟାରେ ନିଜକୁ ଲଗାଇ ଦେଇଛନ୍ତି । ଏହି ଆଲେଖ୍ୟରେ ମୁଁ ସେହିପରି ଜଣେ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ପିଲାର ଜୀବନ ଶୈଳୀ ଆଲୋଚନା କରିବି। ଏଠାରେ ମୋ ଅନୁଭବରୁ ୪ଟି ଚରିତ୍ର ର ଅବତାରଣା କରିବି। ଭାବୁଛି ପାଠକ ମାନଙ୍କ ମଧ୍ୟରେ ଅନେକ ଏହି ଚରିତ୍ର ମାନଙ୍କ ମଧ୍ୟରେ ନିଜକୁ ପାଇପାରିବେ। ପ୍ରକାରାନ୍ତରେ କାହାକୁ ତାତ୍ସଲ୍ଯ କରିବା କିମ୍ବା କାହାକୁ ଉପହାସ କରିବା କିମ୍ବା ବ୍ୟବସ୍ଥା କୁ ସମାଲୋଚ଼ନା କରିବା କିମ୍ବା ମତାମତ ଦେବା ମୋର ଉଦ୍ଦେଶ୍ଯ ନୁହେଁ। ଅନୁରୋଧ, ସମସ୍ତ ଚରିତ୍ର କୁ କାଳ୍ପନିକ ଭାବେ ଗ୍ରହଣ କରିବେ।
ପୂର୍ଣ୍ଣଚନ୍ଦ୍ର ନାୟକ : ବୟସ ୩୪, ଶିକ୍ଷାଗତ ଯୋଗ୍ୟତା : +୩ (କଳା)
ପରିବାରର ଏକମାତ୍ର ପୁଅ। ଭଉଣୀର ବିବାହ ସରିଛି। ବାପାଙ୍କ ସାଙ୍ଗ ରେ ଚାଷବାସ କରି ପରିବାର ଚଳେ। ଅନୁସୂଚିତ ଜାତିର ହେବା ସହିତ ଗାଁରେ କେହି ସରକାରୀ ଚାକିରୀଆ ନାହାଁନ୍ତି। ତେଣୁ ପିଲାଦିନୁ ଚାକିରୀ ପାଇଁ କେହି ସ୍ୱପ୍ନ ଦେଖାଇ ନହାନ୍ତି। ହଠାତ ଜଣେ ପଡିଶା ଘରର ପୁଅ ବ୍ୟାଙ୍କ ରେ ଗୋଟିଏ ଠିକା ଚାକିରୀ ପାଇଗଲା। ଭୁବନେଶ୍ୱର ରେ ଟ୍ଯୁସନ୍ କରି ଚଳୁଥିବା ପିଲାଟି ମାତ୍ର ଦେଢ ବର୍ଷରେ ଏଭଳି ସଫଳତା ପାଇବା ଦେଖି, ପୂର୍ଣ୍ଣଚନ୍ଦ୍ର ମନସ୍ଥ କଲେ ଭୁବନେଶ୍ୱର ଆସି ବ୍ୟାଙ୍କ ଚାକିରୀ ପାଇଁ ପଢିବେ। ବାସ୍ତବରେ ପାଠପଢାରେ ସେ ଦୂର୍ବଳ। ଘୋଷାଘୋଷି କରି ଯାହା କିଛି ମନେ ରଖି ପାରିବେ। କେବଳ ବ୍ୟାଙ୍କ ଚାକିରୀ କରିବାର ମନସ୍ଥ କରି ଅନ୍ୟ କୌଣସି ସରକାରୀ ଚାକିରୀ ପାଇଁ ଫର୍ମ ପକାନ୍ତି ନାହିଁ। ଯଦିଓ ଫର୍ମ ପାଇଁ ଦେୟ ଦେବାକୁ ପଡେ ନାହିଁ (ଅନୁସୂଚିତ ଜାତି ଯୋଗୁଁ), ତଥାପି ଘରଭଡ଼ା, ଖାଇବା ଖର୍ଚ୍ଚ ପାଇଁ ଟ୍ଯୁସନ୍ କରିବାକୁ ପଡେ। ଭଗବାନଙ୍କ ଶୁଭ ଦ୍ରୁଷ୍ଟି ନପଡିବାରୁ ଦୀର୍ଘ ୫ ବର୍ଷ ଯାଏଁ ଚାକିରୀ ଟିଏ ହୋଇପାରିଲା ନାହିଁ। ଇତିମଧ୍ୟରେ ବ୍ଯାଙ୍କ ପରୀକ୍ଷାର ନିୟମ କାନୁନ, ପଦ୍ଧତି ସବୁକିଛି ବଦଳିଗଲା। ଫଳରେ ବାଧ୍ଯ ହୋଇ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା। ଏହି ନୂତନ ରାସ୍ତାରେ ପାଦ ରଖି ଦେଖିଲା ଯେ, ପରୀକ୍ଷା ସିଲାବସ ସଂପୂର୍ଣ ଅଲଗା। କିନ୍ତୁ ଲଢିବାର ପ୍ରତିଜ୍ଞା କରି ପ୍ରସ୍ତୁତି ଆରମ୍ଭ ହେଲା।
ଗୋଟିଏ ସରକାରୀ ପଦବୀ ପାଇଁ ବିଜ୍ଞାପନ ବାହାରିବା ଠାରୁ ଫାଇନାଲ ତାଲିକା ପାଇଁ ଅତି କମରେ ଦେଢରୁ ଦୁଇବର୍ଷ ସମୟ ଲାଗୁଥିଲା। ଏମିତିରେ ଅନେକ ପରୀକ୍ଷା ୩ ବର୍ଷ ମଧ୍ଯ ଲାଗୁଥିଲା। ଏପଟେ ବୟସ ବଢିବା ସହିତ ପରିବାରର ସମସ୍ଯା ବଢିଚାଲିଛି। ତଥାପି ନା ଚାକିରୀ ଗୋଟେ ହେଇପାରୁଚି ନା ଏହି ରାସ୍ତାକୁ ଛାଡି ହେଉଛି। ଟ୍ଯୁସନ୍ ରେ ପ୍ରାୟ ୮-୧୦ ହଜାର ମିଳି ଯାଉଛି। ହେଲେ ଏଥିପାଇଁ ପାଠପଢା ସେତେ ଭଲ ହେଇପାରୁନି। ଏପଟେ ବାହାଘର ପାଇଁ ଯୋଜନା କରି ହେଉନି। କହିବାକୁ ଗଲେ ନିଜର ଯୌବନ ସମୟ ଏମିତି କେବଳ ଚାକିରୀ ପଛରେ ଚାଲିଗଲା। ସକାଳୁ ଉଠିଲେ Current Affairs, Mathematics, Reasoning. ପୁଣି କେତେବେଳେ History, English, Odia. ସେହି ବହି, ସେହି ବିଷୟ କୁ ସବୁ ପରୀକ୍ଷା ପୂର୍ବରୁ ପଢି ପଢି ଯେତିକି ପରିପକ୍ବ ହେବାକଥା ବୟସ ବଢିବା ସହ ସେତିକି ବିମୁଖତା ମଧ୍ଯ ଆସିଗଲାଣି। ଦିନ ୯ଟା ହେଲେ ରୋଷେଇ ଚିନ୍ତା। ପାଠପଢା ପାଇଁ କଷ୍ଟେ ମଷ୍ଟେ ଭାତ ଡାଲମା ହେଇଗଲେ ବଡ କଥା। ନିଜେ ରୋଷେଇ କରି, ବାସନ ମାଜି ପଢିବା ପାଇଁ ବହି ଧରି ବସିଲା ବେଳକୁ ଆଖି ଲାଗିଯାଏ। ହଠାତ୍ ପ୍ରକୁତିସ୍ଥ ହେଲାବେଳକୁ ୪ଟା ବାଜି ଗଲାଣି। ୬ଟା ରେ ଟ୍ଯୁସନ୍। ଗୋଟିଏ ନୟାପଲ୍ଲୀରେ ତ ଅନ୍ଯଟି ବାୟାବାବା ମଠ ଗଳିରେ। ସାଇକେଲ ରେ ୫-୬ କିମି ବୁଲି ୩ଘଣ୍ଟା ପିଲାଙ୍କ ପାଇଁ ଗପିଲେ ଦରମା ଗଣ୍ଡିକ ମିଳେ। ରାତି ୯ରେ ଘରକୁ ଫେରିଲେ ପୁଣି ଖାଇବା ଚିନ୍ତା। ତଥାପି ବାଧ୍ଯରେ ଡାଲମା କିମ୍ବା ଭଜା ଟିକେ କରିବାକୁ ପଡେ। ନିଦ ନହେବା ପାଇଁ ବାଧ୍ଯ ହୋଇ ଦୋକାନରୁ ୩-୪ଟି ରୁଟି ଆଣିବାକୁ ପଡେ। ରାତ୍ର ଭୋଜନ ସରୁସରୁ ରାତି ୧୦-୧୧ । ଆଉ ଦୁଇ ଘଣ୍ଟା ବହି ଧରୁ ଧରୁ ପୁଣି ନିଦ ଆସିଯାଏ।
ଦିନେ ହଠାତ୍ ନିଜେ ନିଜେ ଭାବିଲା, ଭୁବନେଶ୍ୱର ଆସି ମୁଁ କରୁଛି କଣ? ରୋଷେଇ ଏବଂ ଟ୍ଯୁସନ୍ ରେ ବହୁତ ସମୟ ଚାଲିଗଲାପରେ ମୂଳ ଲକ୍ଷ୍ଯ ରେ ପହଞ୍ଚିବି କେମିତି? ୧୦ ବର୍ଷ ହେଲା ସେଇ ଦୁଇହଳ ପ୍ଯାଣ୍ଟ ସାର୍ଟ। ସେଇ ୨୪ ଇଂଚିଆ ସାଇକେଲ। ଇତି ମଧ୍ଯରେ ଗୋଟେ ଜେନେରେସନ ବଦଳି ଗଲାଣି। ଭୁବନେଶ୍ୱର ଆସିଲାବେଳକୁ ଯେମିତି ଗାଁ ବସରେ ବୋଉ ଚାଉଳ ଡାଲି ପଠାଉଥିଲା, ଏବେ ମଧ୍ଯ ପଠାଉଛି। ହେଲେ ଜୟଦେବ ବିହାର ଛକର ଷ୍ଟାଡିୟମ ବସ୍ତିରେ ଆଉ ବସ୍ ରହୁନି । ଜାତୀୟ ରାଜପଥରେ ୪-୫ଟି ଓଭରବ୍ରିଜ ହେଇଗଲାଣି। ଦଇବ ର ଆକ୍ରୋଶ। ସେଇ ଚାଉଳ ଆଣିବାକୁ ସାଇକେଲ ପେଲି ପେଲି ସିଆରପି ଛକ ନହେଲେ ବରମୁଣ୍ଡା ଯିବାକୁ ପଡୁଛି। ଆଜିକାଲି ଫୋନ ପେ, ପେଟିଏମ ସୁବିଧା ଥାଇ ମଧ୍ଯ ମୋତେ ଘରଖର୍ଚ୍ଚ ସେଇ ଗାଁ ପାଖ ବସ୍ କଣ୍ଡକ୍ଟର ଚଗଲା ଦାଦା ହାତରେ ହିଁ ଦେବାକୁ ପଡେ। କାରଣ ବାପା ମା ଙ୍କ ପାଖରେ ସେଇ ନୋକିଆ ୧୧୦୦ ଫୋନ। ଶେଷ ୫ ବର୍ଷ ରେ ଗାଁ କୁ ମାତ୍ର ୫ ଥର ଯାଇଥିବ। ତା ପୁଣି ବାପାଙ୍କ ଦେହ ଖରାପ ଏବଂ ଆଉଥରେ ଜେଜେ ମା'ର ଦଶାହରେ। ପର୍ବ ପର୍ବାଣି ସବୁ ଯେମିତି ଭୁଲି ଗଲାଣି। ରାଜଧାନୀର ଚାକଚକ୍ୟରେ ନିଜର ଯୌବନ ସମୟଟା କେବଳ ଅନ୍ୟ କୁ ଦେଖି ଦେଖି କଟିଗଲାଣି।
ଗୋଟିଏ ଗୋଟିଏ ଛୁଆ ଜନ୍ମ କରି ଚେହେରାରେ ୫୦ ବର୍ଷ ପର୍ୟ୍ଯନ୍ତ ଯୌବନ ସଂଚୟ କରିବାକୁ ପ୍ରଚେଷ୍ଟା କରୁଥିବା ସମ୍ଭ୍ରାନ୍ତ ପରିବାରର ବାପା ମା' ମାନେ ମାତ୍ର ତିନି ବର୍ଷରୁ ଛୁଆକୁ ପ୍ଲେ ସ୍କୁଲ, ଗୀତ, ଆର୍ଟ, ଆବାକସ୍, ମୋବାଇଲ ଗେମ୍ ଆଦି ସବୁକିଛି ଦେଇ ଗୋଟେ ସୁପରମ୍ଯାନ କରିବାର ସ୍ୱପ୍ନ ଦେଖୁଛନ୍ତି। ଛୁଆକୁ ଭ୍ଯାନ ଆସି ସ୍କୁଲ ନଉଛି । ବାପା ମା' ତାର ଯତ୍ନ ନିଅନ୍ତୁ କି ନ ନିଅନ୍ତୁ। କିନ୍ତୁ ଯତ୍ନ ନେବାକୁ ଧାଇ ମାଆ ଅଛି। ନହେଲେ ପ୍ଲେ ସ୍କୁଲ ରେ ପିଲାକୁ ଛାଡି ଦେଇ ବାପା ମା ସିସିଟିଭି ଲାଇଭରେ ଦେଖୁଛନ୍ତି। ପାଟିରେ ସୁନା ଚାମଚ ନେଇ ଜନ୍ମ ନେଇଥିବା ଏଭଳି ଛୁଆକୁ ଟ୍ଯୁସନ୍ କଲାବେଳେ ପୂର୍ଣ୍ଣ ବେଳେ ବେଳେ ନିଜକୁ ପ୍ରଶ୍ନ କରେ। ଏ ପିଲା ଭବିଷ୍ଯତ ରେ କଣ ହେବ। ବାପା ମାଆ ଏକାଧାରାରେ ପିଲାଟିକୁ ଅବଦୁଲ କାଲାମ, ଲତା ମଙ୍ଗେସକର, ତେନ୍ଦୁଲକର ଏବଂ ଅନିଲ ଅମ୍ବାନି କରିବାକୁ ଚାହୁଁ ଛନ୍ତି। ଯେଉଁ ପାଠ ମୁଁ ନବମରେ ବୁଝିପାରିଲିନି ବୋଲି ଟ୍ଯୁସନ୍ ଯାଉଥିଲି, ଏଠି ସେଇ ପାଠ ୫ମ ଶ୍ରେଣୀ ରେ ପଢା ହଉଛି। ତେବେ ୯ମ ୧୦ମ ରେ କଣ ପଢାହେବ? ଏମାନେ ତ IAS ପରୀକ୍ଷା କୁ ଚୁଟକିରେ ପାସ କରିଯିବେ ।
ରାତିରେ ଖାଇସାରି ଟିକେ ୟୁଟ୍ୟୁବରେ ଗୀତ ଶୁଣୁ ଶୁଣୁ ନିଦ ଆସିଗଲା। ହଠାତ୍ ସ୍ୱପ୍ନରେ ଦେଖିଲା ଦୀର୍ଘ ୪ ବର୍ଷ ତଳେ ପରୀକ୍ଷା ଦେଇଥିବା ସଚିବାଳୟ ଏଏସ୍ଓ ଚାକିରୀ ହେଇଯାଇଛି। ମନରେ ଅଜସ୍ର ଖୁସି। ବାରମ୍ବାର ଚେନ ଖସିଯାଉଥିବା ସାଇକେଲ କୁ ବସ୍ ରେ ଲଦିଲା। ଗାଁରୁ ଆଣିଥିବା କଳଙ୍କି ଲଗା ଟ୍ରଙ୍କ ବାକ୍ସ ରେ ଡ୍ରେସ, ଗାମୁଛା ପୁରାଇ ସକାଳ ୫ଟା ବସରେ ଗାଁକୁ ବାହାରିଲା। ଜୀବନରେ କିଛି ପାଇବାର ଅଜସ୍ର ସୁଖ କେବଳ ସେ ହିଁ ଜାଣି ପାରୁଛି। ତାର ଆଖପାଖ ଲୋକଙ୍କୁ କିଛି ଫରକ ପଡୁନି କିନ୍ତୁ ଆଜି ସେ ପ୍ରଫୁଲ୍ଲିତ। ମାତ୍ର ୮୮୦୦ ଟଙ୍କିଆ ଠିକା କିରାଣୀ ଚାକିରୀ ପାଇଁ ସଂଘର୍ଷ କରୁଥିବା ପୂର୍ଣ୍ଣଚନ୍ଦ୍ର ଆଜି ଯେତେବେଳେ ନିୟମିତ ବେତନ ବାଲା ସରକାରୀ ଚାକିରୀ ପାଇଛି, ଖୁସି ହେବା ସ୍ୱଭାବିକ। ଗାଁରେ ପହଞ୍ଚିବା ପରେ ବାପା ମାଙ୍କ ଆଖିରେ ଅଜସ୍ର ଖୁସି। ଆଖିରେ ଆଖିରେ ଲୁହ। ଏ ଲୁହ ପୁଅର ଚାକିରୀ ପାଇଁ ନୁହେଁ। ବରଂ ୧୦ ବର୍ଷ ଧରି ଚିନ୍ତା ରେ ବୁଡି ରହୁଥିବା ପୁଅ, ଆଜି ଟିକେ ହସୁଥିବା ଦେଖି । ହାତ ଗୋଡ ଧୋଇ ବାପାଙ୍କ ସାଙ୍ଗ ରେ ପଖାଳ ସାଙ୍ଗ କୁ ବାଇଗଣ ପୋଡା ଓ ଜହ୍ନି ଭଜା ଖାଇ ଦାଣ୍ଡ ପଟ ଅଗଣାରେ ଟିକେ ଗପସପ କରୁ କରୁ ଆଖିକୁ ନିଦ ଆସି ଯଉଥାଏ। ବାପା ଧିର ସ୍ୱରରେ ଡାକିଲେ, ପୁନିଆ ସୋଇପଡିଲୁ କି। ପୁଅ ଅଳ୍ପ ନିଦରେ ଉତ୍ତର ଦେଲା, କଣ କହୁଛ?
ବାପା : ବହୁତ ଦିନ ପରେ ଆସିଲୁ। କୋଉ ଚାକିରୀ ପାଇଲୁ?
ପୂର୍ଣ୍ଣ : ଆସିଷ୍ଟାଣ୍ଟ୍ ସେକ୍ସନ ଅଫିସର
ବାପା : ଇଏ କୋଉ ଅଫିସରେ କି?
ପୂର୍ଣ୍ଣ : ରାଜ୍ୟ ସଚିବାଳୟରେ
ବାପା : ଏମିତିଆ ଚାକିରୀ ତ ମୁଁ କେବେ ଶୁଣିନି
ପୂର୍ଣ୍ଣ : (ମନେ ମନେ ଭାବିଲା, ବାପା ବେଶୀ କିଛି ନ ଜାଣିଲେ ବି, କମ୍ଯୁନିଷ୍ଟ ପାର୍ଟିରେ ରହି ରୁଷ୍ ଆମେରିକା କଥା ବେଶୀ ଜାଣନ୍ତି। ସବୁେବେଳ ପୁଞ୍ଜି ବାଦ ସାମ୍ରାଜ୍ଯ ବାଦ କଥା ବୁଝାନ୍ତି। କିନ୍ତୁ ୧୦ ବର୍ଷ ଧରି ମୁଁ ଯେ କେତେ କେତେ ଅନାମଧ୍ୟେୟ ଚାକିରୀ ପାଇଁ ଫର୍ମ ପକେଇଚି, ତାର ହିସାବ ନାହିଁ। ବୋଉ ମୋର ସ୍କୁଲ ମାଡିନି । କେମିତି ବୁଝାଇବି। ) ଶେଷରେ କହିଲା, ତମେ କଣ ସବୁ ଚାକିରୀ ଜାଣିଛ?
ବାପା : ନାଇଁ ଯେ, ଲୋକମାନେ ପଚାରିଲେ, କିଛି ତ ଗୋଟେ କହିବି।
ପୂର୍ଣ୍ଣ : (ପୁଣି ଭାବିଲା, ଏଇ ଲୋକମାନେ କିଏ? ସେମାନଙ୍କୁ ଉତ୍ତର ଦେବାକୁ ମୋ ବାପା କଣ ବାଧ୍ଯ? ଭୁବନେଶ୍ୱର ପଖାଳ, ଆଳୁଭଜା ଖାଇ ଶୋଇବା ବେଳେ ହଠାତ୍ ନିଦ ଭାଙ୍ଗିଲେ ଭାବୁଥିଲି ବାପାଙ୍କୁ ଆଶ୍ୱାସନା ଦେବି ଯେ, ଅଳ୍ପ ଦିନରେ ଚାକିରୀ ହେଇଯିବ। କିନ୍ତୁ ଗାଁ ରେ ପଖାଳ ଖାଇ ଶୋଇବାର ୧୫ ମିନିଟ ହେଇଛି, ବାପା ଚିନ୍ତା ରେ ଅଛନ୍ତି, ମୁଁ ଭଲ ଚାକିରୀ ଟିଏ ପାଇଛି କି ନାହିଁ। ଲୋକମାନଙ୍କୁ ଭଲ ଦରମା କଥା କହି ପାରିବେ କି ନାହିଁ। ) ତଥାପି ବୁଝିବା ଭାଷାରେ ଉତ୍ତର ଦେଲା, ବାପା ଆମ ମୁଖ୍ଯମନ୍ତ୍ରୀ ନବୀନ ପଟନାୟକ ଯେଉଁ ଅଫିସରେ ବସନ୍ତି, ମୁଁ ତାଙ୍କ ତଳ ମହଲାରେ ବସିବି। ତାଙ୍କର ଥାର୍ଡ ଫ୍ଲୋର, ମୋର ଫାଷ୍ଟ ଫ୍ଲୋର।
ବାପା : (ଏବେ ଖୁସି ହେଇ ଗାମୁଛା ଖଣ୍ଡିଏ କାନ୍ଧରେ ପକାଇ ଦାଣ୍ଡକୁ ବାହାରିଲେ। ମନେ ମନେ ଭାବନ୍ତି, କିଏ ଜଣେ ପଚାରନ୍ତା , ପୁନିଆ କୋଉ ଚାକିରୀ ପାଇଲା କି? ଉତ୍ତର ରେ କୁହନ୍ତା, ମୋ ପୁଅ ସଚିବାଳୟରେ ଅଫିସର ହେଲା। ହେଲେ, କାହିଁକି କେଜାଣି କେହି କିଛି ପଚାରୁ ନାହାଁନ୍ତି। କାହାର ବା କଣ ଯାଏ। କୁହାଯାଏ ଆମେ ହସିଲେ ଦୁନିଆ ଟିକେ ଟିକେ ହସେ , କିନ୍ତୁ ଆମେ କାନ୍ଦିଲେ ଦୁନିଆ ମୁହଁରେ ଲୁଗା ଦେଇ ଜୋରରେ ହସେ।)
ପୂର୍ଣ୍ଣ : ପ୍ରାୟ ୨ଟା ବେଳକୁ ବୋଉ ଭାତ ଖାଇବାକୁ ଉଠାଇ କହିଲା, ଆରେ ପୁନିଆ କେତେ ଶୋଉଛୁ। ଯା, ଦାଣ୍ଡରୁ ବାପାଙ୍କୁ ଡାକେ, ଗରମ ଭାତ ହେଇଗଲାଣି। ମୁଁହ ହାତ ଧୋଇ ଦେ। ପୂର୍ଣ୍ଣ ଭାବିଲା, ଭୂବନେଶ୍ୱର ରେ ନିଦ ହଉନଥିଲେ ବି ଜାଣି ଜାଣି ଶୋଇ ରହୁଥିଲି, କାଳେ ଉଠିଲେ ପରିସ୍ରା ଯାଇ ଆସିଲା ବେଳକୁ ପୁଣି ଭୋକ ହେବ ବୋଲି। ପୁଣି ରୋଷେଇ କରିବାକୁ ପଡିବ ବୋଲି। ହେଲେ ଏଠି ଘର ଆଉ ମାଆର ଉପସ୍ଥିତି କେତେ ଯେ ନିଆରା, ଛୋଟ ବେଳେ ସେତେଟା ଅନୁଭବ କରିନଥିବା ପୂର୍ଣ୍ଣ, ଆଜି ବେଶ ଜାଣି ପାରୁଛି।
ବୋଉ : ପୁଣି ଥରେ ଡାକ ପକାଇଲା, ଆରେ ବାପାଙ୍କୁ ଡାକିଲୁ? ଜଲଦି ଖାଇଦେଲେ, ସେପଟେ ବିରି ଦିଟା ବତୁରେଇଛି। ସଂଜ ବଳେ ବରା ଟିକେ ଛାଣିଲେ ଖାଇବୁ।
ପୂର୍ଣ୍ଣ : (ରାଜଧାନୀ ରେ ତ ୧୦ ବର୍ଷ ହେଲା ସେଇ ବରା ଇଟିଲି କୁ ହିଁ ପେଟ ଚିହ୍ନିଚି। କେବଳ ପାର୍ଥକ୍ଯ, ବେହେରା ସାହି ପାଣୁଆ ର ୨ଟଙ୍କିଆ ଏବଂ ଗାନ୍ଧୀ ମାର୍କେଟ ର ୫ଟଙ୍କିଆ ଗାଙ୍ଗୁରାମ ବରା-ଚକୁଳି ) ଆଖି ମଳି ମଳି କହିଲା, ହୁଁ ଯାଉଛି ବୋଉ, ବାପାଙ୍କୁ ଡାକି ଆଣୁଛି।
ବୋଉ : ପୁଣି କହିଲା, ଡେରି କରିବୁନି, ଭାତ ବାଢିଲିଣି। ଥଣ୍ଡା ହେଇଯିବ।
ପୂର୍ଣ୍ଣ : (ମନେ ମନେ) ରାଜଧାନୀ ରେ ସକାଳ ର ଭାତ ପରଦିନ ସକାଳୁ ପଖାଳ କରି ଖାଉଥିଲି। ଏବେ ଯାହା ଉଷୁମ ତ ରହିଛି।
ବୋଉ : (ମୁଁ ବାପାଙ୍କ ସହିତ ଦୁଇ ଗୁଣ୍ଡା ପାଟିରେ ନଉ ନଉ), ହେଇଟି ଶୁଣୁଚ, ରବି ମାଷ୍ଟ୍ରେ କହୁଥିଲେ, ପୁନିଆ ପାଇଁ ଆମ ଗାଁ ସଭାପତି ଜାଗି ସଅରର ଝିଅ କୁ ପ୍ରସ୍ତାବ ଦେଲେ କେମିତି ହୁଅନ୍ତା?
ପୂର୍ଣ୍ଣ : (ଏତେ ବଡ ଘରର ପ୍ରସ୍ତାବ ଅଥଚ ନିଜକୁ ସେତେଟା ଅନୁଭବ ଆସୁନଥିଲା। ବୟସର ଠିକ ୨୫ ରୁ ୩୫ ଥିଲାବାଲା ଘରର ପୁଅମାନେ ରାଜଧାନୀର ରାସ୍ତାକଡରେ ଦିନ ଦ୍ୱିପହରେ ପ୍ରେମିକା ସହିତ ଖୁଲମଖୁଲା ଜୀବନ ଉପଭୋଗ କରୁଥିବା ବେଳେ ପୁନିଆ ସେହି ରାସ୍ତାରେ ନିଜ ଉପରେ ଲଜ୍ଜା, ଭଗବାନଙ୍କ ଉପରେ ରାଗ ତଥା ଭାଗ୍ଯ କୁ ଦୋଷ ଦେଇ ଟ୍ଯୁସନ୍ ବିଳମ୍ବ ନହେବା ପାଇଁ ଖୁବ ଜୋରରେ ସାଇକେଲ ଚଳାଏ। ଘରେ ହଠାତ୍ ଏମିତି କଥା ଶୁଣି, ଭିତରର ପୁରୁଷ ପଣିଆ ଉଙ୍କିମାରିଲା। ) ବୋଉକୁ ପଚାରିଲା, ସେ ଝିଅ କଣ କରୁଛି?
ବୋଉ : ଭୁବନେଶ୍ୱର ରେ ଡାକ୍ତରୀ ପାଇଁ ପଢୁଥିଲା। ଏବେ କରୋନା ଯୋଗୁଁ ଘରେ ଅଛି। ଆମ ଘର ବାଟେ କାଲି ମନ୍ଦିର ଯିବ। ଥରେ ଦେଖିଦେ। ତେଣିକି ତୋ ଇଛା।
ପୂର୍ଣ୍ଣ : ମନେ ମନେ ଭାବୁଥିଲା, ବଡ ବଡ ଘର ଝିଅ ମାନେ କଲେଜ ପଢାପରେ ଘରେ ନରହି ଏମିତି ରାଜଧାନୀରେ କୋଚିଂ ନେଇଥାନ୍ତି। ଏପଟେ ସେହି ସମୟରେ ବାହା କାମ ସାରି ଦେବାକୁ ଚେ଼ଷ୍ଟା କରନ୍ତି। ଚାକିରୀ ନଥିଲା ବେଳେ, ମୋ ଗାଁ ର ଅନେକ ଲୋକ / ପିଲା ରାଜଧାନୀରେ ଛୋଟ ବଡ ରୋଜଗାର କରୁଥିଲେ ବି କେହି ଆହା କରିନାହାନ୍ତି। କିନ୍ତୁ ଘରକୁ ଆସିବାର ଗୋଟିଏ ଦିନ ହେଉଛି, ସମସ୍ତେ ଯେମିତି ମୋ ମାଉସୀ ପୁଅ ଭାଇ। ଏପଟେ ଗାଁ ମନ୍ଦିର ପାଇଁ ବଡ ଚାନ୍ଦା, ମଦୁଆ ଦାଦା/ମାମୁଁ ଙ୍କ ପାଇଁ ୩୦-୫୦ ପକେଟ ଖର୍ଚ୍ଚ। କିନ୍ତୁ ବର୍ଷ ବର୍ଷ ଧରି ବସ୍ ରେ ଚାଉଳ ପଠାଉଥିବା ବାପା, ମା ଟଙ୍କାଟିଏ ମାଗି ନାହାନ୍ତି। ବରଂ ପୁଅ ପାଇଁ ନିଜର ପାରୁ ପର୍ୟ୍ଯନ୍ତ ତିନି ଓଳି ଭଲ ଖାଇବା ବନେଇବାରେ ବ୍ୟସ୍ତ। ତାହେଲେ ଏଇ ବାପା ମା' କୁ ଭୁଲିବି କେମିତି? ଚାକିରୀ ନହେବା ବେଳେ, ବାପା ମା ଦିନେ ହେଲେ ପଚାରି ନାହାଁନ୍ତି କିନ୍ତୁ ଅନ୍ୟମାନେ ସୁବିଧା ଦେଖି ପ୍ରଶ୍ନଟିଏ କରିଦିଅନ୍ତି। ପୁଅ ର ଚାକିରୀ ହେଇନି?
ବୋଉ : ଆରେ ଖାଉନୁ, କଣ ଭାବୁଚୁ, ଆଗେ ଖାଇଦେ। ତୋର ଆଉ ଯେଉଁଠି ପସନ୍ଦ କରିଛୁ ଯଦି କହ। ଆମର କଣ ଅଛି। ତୋରାଣି ଢୋକେ ମିଳିଗଲେ, ଆମର ଆଉ କିଛି ଚିନ୍ତା ନାହିଁ। ନାନି ତୋର ବହୁତ ହଇରାଣ ହଉଛି। ସେ ନାତିଟା ତୋତେ ଲାଗିଲା। ବାପାଙ୍କୁ ଟିକେ ଥରେ ଡାକ୍ତର ଙ୍କୁ ଦେଖେଇଦେବୁ। ଦିହ ୩ ବର୍ଷ ହେଲା ଭଲ ରହୁନି। ତୋତେ ଆଜି ଯାଏ କହିନଥିଲୁ। କୁନା ଦୋକାନରୁ କଣ ଟିକେ ଓଷଦ ଆଣି ଖାଉଛନ୍ତି।
ବାପା : ହେ, ସେଗୁଡା କାହିଁକି ତାକୁ କହୁଛୁ। ସେ କଣ ଛୋଟ ପିଲା ହେଇଛି। ଏବେ ସିଏ ସଚିବାଳୟରେ ବସି ରାଜ୍ଯ ଚଳେଇବ। ଦରମାଟା ଆଗେ ମିଳିଯାଉ। ସେ ଆଗେ ଭଲ ସାର୍ଟ ପ୍ଯାଣ୍ଟ ଜୋତା ହଳେ ଭଲରେ କରୁ। ଯାହା ଇଛା ପେଟେ ପେଟେ ଖାଇ କାମରେ ମନ ଦେବୁ। ରାଜକୋଷ ଟଙ୍କା ସମସ୍ତଙ୍କ ଭାଗ୍ୟରେ ନଥାଏ। ଆଗେ ରାଜକାର୍ୟ୍ଯ। ପରେ ଅନ୍ୟ କଥା। ତା ପର ମାସରେ ଲୋନ ହଉ ପଛେ, ମଟର ସାଇକେଲ ଟିଏ କିଣିବୁ। ହଜାରେ ଅଧିକା ପଡୁ ପଛେ, ଭଲ ଘର ଖଣ୍ଡେ ଭଡା ନବୁ। ଦେହ ଭଲ ରହିଲେ ସବୁ ଭଲ। ଆମ କଥା ଜମାରୁ ଚିନ୍ତା କରନା।
ପୂର୍ଣ୍ଣ : ବାପା ସେଇ ଭୁବନେଶ୍ୱର ରେ ଚାକିରୀ। ଏତେ ସବୁ କଣ ଦରକାର? ଯେମିତି ରହୁଥିଲି, ସେମିତି ରହିବି। ଏବେ ପଇସା ମୁଁ ଘରକୁ ପଠାଇବି। ତୁମେ ଦୁଇ ଜଣ ଭଲରେ ଟିକେ ଖାଅ, ପିନ୍ଧ।
ବାପା : ଆରେ ପୁଅ ତଥାପି କେତେ ମିଳିବ, ଅଫିସର ମାନେ ୫୦-୬୦ ହଜାର ତ ମିଳିବ ନା? ଏ ମାସ ନହେଲେ ନାହିଁ, ଆର ମାସରେ ସେ ସନ୍ତୋଷ କରଜ ଟା ସୁଝିଦେଲେ ଭଲ ହୁଅନ୍ତା। ନାନୀ ବାହାଘରକୁ ଦେଇଥିଲା । କେତେ ସୁଧ ହେଇଥିବ କେଜାଣି। ଏପଟେ ଚାଳଘର କୁ ଆଉ ଛପର କରି ହେଉନି। ଭାବୁଛି ଛାତ ପକେଇଦେବା । ନହେଲେ ଅତି କମରେ ଆଜବେସ୍ଟସ ପକେଇଦେବା।
ବୋଉ : ଏସବୁ ପରେ ହବ। ଆଗେ ନିଜ ବାହାଘର ପାଇଁ ଝିଅଟେ ଦେଖେ। ସେପଟେ ୫-୧୦ ଲକ୍ଷ ଦରକାର ହବ। ଜମା ଇଆଡେ ସିଆଡେ ଖର୍ଚ୍ଚ କରିବୁନି।
ପୂର୍ଣ୍ଣ : ହେ ଭଗବାନ, ଜମାରୁ ପଇସା ନଥିଲା, ଚଳୁଥିଲା। ଏବେ ଏତେ ସବୁ କଣ ନିହାତି ଜରୁରୀ? ମୋତେ ଲାଗୁଛି ଆଉ ୧୦ ବର୍ଷ ସଂଘର୍ଷ କରିବାକୁ ପଡିବ। ପର ଘର ଝିଅ ମୋ ଭଳି ଅଫିସରର ସ୍ତ୍ରୀ ହେଇ ଚଳି ପାରିବ ତ? ଆମ ସାହି ନରିଆ ଭାଇ ତା ସ୍ତ୍ରୀ ପିଲା ଧରି ରାଜଧାନୀ ରେ ଦହିବରା ବେପାର କରି ବେଶ ଶାନ୍ତି ରେ ଅଛି। କିନ୍ତୁ ମୋ ଠାରୁ ମୋ ପରିବାର ଯେତିକି ଆଶା ରଖିଛି, ପୂରଣ କରିବା ପାଇଁ ବାଧ୍ଯ ହୋଇ କେବେ ନା କେବେ ଅସତ୍ ଉପାୟ ଖୋଜିବାକୁ ପଡିପାରେ।
ବାପା : ମୋ ମନରେ ସଂଶୟ ଦେଖି, ବାପା ପଚାରିଲେ, ଆରେ ତୋ ଠାରୁ ୨-୩ ବର୍ଷ ସାନ ହବ, ସେପଟେ ସାହି ମଦନୀ ପୁଅ କୋଉ ଚାକିରୀ କରିଛି। ୨ ବର୍ଷ ରେ ଘର ଦ୍ବାର କରି ଦିଟା ଭଉଣୀ ବାହା କରିସାରିଲାଣି। ଏବେ ଗୋଟେ କାର ଉଠାଇଛି?
ପୂର୍ଣ୍ଣ : ସିଏ ପରା ମୋ ଭଡାଘର ଗଳିରେ ରହୁଥିଲା। ଏବେ ଭଲ ଘରଟେ ନେଇଛି। ସେ ତ, ଅତି ବେଶୀରେ ୮୮୮୦ ଟଙ୍କା ପାଇବ। କାରଣ ତାର ଗ୍ରୁପ-ସି ଚାକିରୀ। ପୁଣି କଣ୍ଟ୍ରାକଚୁଆଲ କିରାଣୀ ବୋଧେ, ଭଲରେ ଜାଣିନି।
ବାପା : ତାହେଲେ ଭଲ ଉପୁରି ହଉଥିବ।
ପୂର୍ଣ୍ଣ : (ରାଗିକରି) ବାପା, ରାଜଧାନୀ ସହଜରେ ମାୟା ନଗରୀ ବୋଲି ମୁଁ ଜାଣିଛି। କିନ୍ତୁ ସଂସାରର ସମସ୍ତ ସଂପର୍କ ବି ଗୋଟେ ପ୍ରକାରର ମାୟା ଭଳି ମୋତେ ଲାଗିଲାଣି। ୧୦ ବର୍ଷ ଧରି ଯାହା ପଛରେ ଦୌଡୁଥିଲି, ତାକୁ ପାଇବା ପରେ ମୋତେ ପୁଣି ଗୋଟେ ମାୟା ପଛରେ ଦୌଡିବାକୁ ପଡିବ। ସେ ସୁନ୍ଦରୀ ସ୍ତ୍ରୀ ହେଉ କିମ୍ବା ଼ଭଲ ଷ୍ଟାଟସ ହଉ । ଟଙ୍କା ହିଁ ଦରକାର। ନହେଲେ ବାପା ମଧ୍ଯ ପର ପୁଅକୁ ଅଧିକ ଭଲ କହିବ।
ବୋଉ : ବାରିପଟୁ ଆସି ବଡ ପାଟିରେ କହିଲା, ବାପା ପୁଅ ସେତେବେଳୁ ଖାଇ ସାରିନ? ଏ ବୋପା ଖଣ୍ଡିକ ଗପ ଲମ୍ବେଇଥିବ ଯେ ସରିବନି।
ପୂର୍ଣ୍ଣ - ମୋର ସରିଲାଣି। ବାପା ଖାଇଦିଅ। ମୁଁଉଠିଲି।
ହାତ ଧୋଇବାକୁ ଟ୍ୟାପ୍ ପାଖକୁ ଗଲାବେଳେ, ହଠାତ୍ କେହିଜଣେ ପଚାରିଲେ, ପୂର୍ଣ୍ଣ ବାବୁ ଯୋର ନିଦରେ ଶୋଇ ପଡିଥିଲ କି। ଦୁଇ ଥର ଯାଇ ଡାକିଲିଣି । ଉଠିଲ ନାହିଁ। ଘର ଭଡାଟା ଏ ମାସର ଦେଲନି। ଆସିବାକୁ ପଡିଲା।
ପୂର୍ଣ୍ଣ ପ୍ରକୁତିସ୍ଥ ହେଇ ଦେଖିଲା ସାମ୍ନାରେ ଘର ମାଲିକ।
ଓ ମାଇଁ ଗଡ୍ । ସବୁ ସ୍ୱପ୍ନ ଥିଲା?
ଗୋଟେ ଦ୍ରୁଷ୍ଟି ରୁ ଭଲ ହେଲା। ଏତେ ଟେନସନ ଚାକିରୀ ପରେ? ଚାକିରୀ କରିବ ତ, ବଡ ଚାକିରୀ। ଯେମିତି ଅନ୍ୟର ସାହାଯ୍ୟ କରିପାରୁଥିବ। ନହେଲେ ପୁରା ଛୋଟ ଚାକିରୀ, ଯେମିତି ଅନ୍ୟ ମାନେ ତମ ଠାରୁ ବଡ ଆଶା ରଖିବେନି।
ମଝିମଝିଆ ସବୁ ଜାଗାରେ ହିନସ୍ତା - ଅଳପ ଧନ ବିକଳ ମନ
କିନ୍ତୁ ହଁ, କେହି ଜଣେ କହିଥିଲେ, ଆଜି ଆମେ ଯେଉଁ ସ୍ତରରେ ଅଛେ, ସମାଜର ଅନେକ ଲୋକ ସେହି ସ୍ଥାନ କୁ ଆସିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡୁଛି । ତେଣୁ ନିଜର ବର୍ତ୍ତମାନ ସ୍ଥିତିୁ କୁ ସମ୍ମାନ ଦେଇ ଶିଖିବା ମଧ୍ଯ ଦରକାର।
ଏବେ ପୂର୍ଣ୍ଣ ବାବୁ ବାହାରିଲେ -
ପୁଣି ସାଇକେଲ ରେ ବାୟାବାବା ମଠ ଟ୍ଯୁସନ୍!!
ପୁଣି ବାବର କେବେ ମରିଥିଲେ!!
ପୁଣି download admission letter!!
ଅନ୍ୟ ଏକ ଚରିତ୍ର ସହ ଆଗାମୀ ଅଧ୍ଯାୟରେ।।
3 comments:
Really its true for all those who got a just 8880/- type job that to in capital.Heart touching
ସତ ଘଟଣା ଉପରେ ଆଧାରିତ ଏ କାହାଣୀ ଟି ପଢି ମନମୁଗ୍ଧ ହୋଇଗଲା।ଅନୁରୋଧ ଆଗକୁ ଏପରି କାହାଣୀ ଲେଖନ୍ତୁ।
Harsh Truth of Life... A small but very heart touching story sir.
Post a Comment