Monday, 24 May 2021

ସରକାରୀ କର୍ମଚାରୀ ଙ୍କ କାର୍ଯ୍ୟ ଦକ୍ଷତା

ବର୍ତ୍ତମାନ ପରିସ୍ଥିତିରେ ସରକାରୀ କର୍ମଚାରୀଙ୍କର କାର୍ଯ୍ୟ ଦକ୍ଷତା ପ୍ରତି ସାଧାରଣ ଜନତା ଆଙ୍ଗୁଳି ନିର୍ଦ୍ଦେଶ କରିବାକୁ ସାହସ କରୁଛନ୍ତି। କିନ୍ତୁ ବ୍ୟକ୍ତିଗତ  ସ୍ତରରେ କୌଣସି ଅଧିକାରୀ ଠାରୁ ନିଜର ଆଶା ମୁତାବକ ସେବା ନ ପାଇବା ଦ୍ବାରା ସମଗ୍ର ସରକାରୀ କଳକୁ ସେହି ନଜରରେ ମୂଲ୍ୟାୟନ କରିବା କେବେ ମଧ୍ଯ ଠିକ୍ ନୁହେଁ। 

କିନ୍ତୁ ହଁ, ସମୟ ଆସିଛି ପରିବର୍ତ୍ତନର। ଜଣେ ସରକାରୀ କର୍ମଚାରୀ ର କାର୍ଯ୍ୟ ଦକ୍ଷତା ଶାସନ କଳ ପରିଚାଳନା ତଥା ସାଧାରଣ ଜନତା ର ସେବା ପାଇଁ ପ୍ରାଥମିକ ମାନଦଣ୍ଡ। ଆଉ ସେ ଦକ୍ଷତାର ବିକାଶ ପାଇଁ ଏକାଧାରରେ ନିଯୁକ୍ତି ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା, ଭଲ କାର୍ଯ୍ୟ ପାଇଁ ପୁରସ୍କାର ବ୍ୟବସ୍ଥା, କର୍ମଚାରୀ ମାନଙ୍କୁ ପ୍ରେରିତ କରିବା ତଥା କାର୍ଯ୍ୟ କ୍ଷେତ୍ରରେ ଟେକ୍ନୋଲୋଜି ବ୍ଯବହାର କରିବା ଉପରେ ଧ୍ଯାନ ଦେବାକୁ ପଡିବ। 

ନିକଟରେ ଓଡିଶା ସରକାର ପ୍ରଶାସନିକ ବ୍ୟବସ୍ଥା ରେ ସାଧାରଣ ଜନତାକୁ ପ୍ରାଧାନ୍ଯ ଦେଇଛନ୍ତି। ସେଥିପାଇଁ ରାଜ୍ଯ ସଚିବାଳୟ କୁ ଲୋକସେବା ଭବନ, ପୋଲିସ କମିଶନର କାର୍ଯ୍ୟାଳୟ କୁ ପୋଲିସ ସେବା ଭବନରେ ନାମକରଣ କରିବା ସହିତ ମୋ ସରକାର ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଲକ୍ଷ୍ଯ ଅଛି, ସରକାର ଲୋକଙ୍କ ନିକଟତର ହେବେ। 

ଆଜି ଦୈନିକ ଖବରକାଗଜ କିମ୍ବା ଟିଭି ଚ୍ୟାନେଲ ଖୋଲିଲେ ସରକାରୀ କର୍ମଚାରୀ ଜଣେ ସାଧାରଣ ଜନତାକୁ ହଇରାଣ କରିଥିବା କିମ୍ବା ଭିଜିଲାନ୍ସ ଦ୍ୱାରା ଗିରଫ ହେବାର ଖବର ନିଶ୍ଚୟ ମିଳିବ। ସେହିପରି କେଉଁଠି ଜଣେ ଶିକ୍ଷକ କାର୍ଯ୍ୟ ରେ ଅବହେଳା କରିବା (ପ୍ରାୟ ସମୟ ଅନୁପସ୍ଥିତ ରହିବା), ଅସାଧୁ କର୍ମଚାରୀ ସରକାରୀ ଅର୍ଥ କୁ ନିଜ ପକେଟସ୍ଥ କରିବା (ସିଂହ ଭାଗ ଅର୍ଥ ହିତାଧିକାରୀ ପାଖରେ ନ ପହଞ୍ଚିବା), ଦକ୍ଷତା ଅଭାବରୁ ଜନତା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଠିକରେ ପରିଚାଳନା କରି ନ ପାରିବା ଏବଂ ଗରିବମାନଙ୍କ ର କ୍ଷତି କରିବା ଇତ୍ୟାଦି ର ଉଦାହରଣ ପ୍ରତି ଅଞ୍ଚଳରେ ଉପଲବ୍ଧ। 

ତେଣୁ ସରକାରୀ ଶାସନ କଳର ମାନବ ସମ୍ବଳ ଏବଂ ସେମାନଙ୍କ ର ଚୟନ ପଦ୍ଧତି, କାର୍ଯ୍ୟ କ୍ଷେତ୍ର ତଥା ଭିତ୍ତିଭୂମି ହିଁ  ଲୋକସେବାର ମାନ ନିର୍ଧାରଣ କରିଥାଏ ଏବଂ ରାଜ୍ଯ ତଥା ଦେଶର ଅର୍ଥନୈତିକ ଅଗ୍ରଗତିରେ ସହାୟକ ହୋଇଥାଏ। କିନ୍ତୁ ବାସ୍ତବିକତା ଏକ ଚ୍ୟାଲେଞ୍ଜ। ଏକ ସଂସ୍କାର ଆଣିବାକୁ ହେଲେ କ୍ଷେତ୍ରୀୟ ସ୍ତରରେ କାର୍ଯ୍ୟରତ କର୍ମଚାରୀ (ଶାସନ କଳର ପ୍ରାୟ ୮୦%) ମାନଙ୍କ କାର୍ଯ୍ୟ ଶୈଳୀ ପରିବର୍ତ୍ତନ ଯେତିକି ଆବଶ୍ଯକ, ଉପର ସ୍ତରରେ ନିୟମ ତିଆରି କରୁଥିବା ଅଭିଜ୍ଞ ପ୍ରଶାସନିକ ଅଧିକାରୀ ଙ୍କ ଶାସନ ଖସଡା ଅଧିକ ଗୁରୁତ୍ବପୂର୍ଣ୍ଣ। 

ସଚିବାଳୟରେ ପ୍ରସ୍ତୁତ ନିୟମକାନୁନର କାର୍ଯ୍ୟକାରୀତା ତଥା ଏହାର ଉପଭୋକ୍ତା ନିକଟରେ ପହଞ୍ଚିବା ପାଇଁ ଏକ ପ୍ରଶାସନିକ ବ୍ୟବସ୍ଥା ଅଛି। ଆଜି ଅନେକ ସଂସ୍କାର ଆସିଛି। ମୁଖ୍ଯ ମନ୍ତ୍ରୀ ସଚିବାଳୟରେ ରିମୋଟ ଟିପିଲେ କିଛି କ୍ଷଣ ମଧ୍ୟରେ କିଷାନ ର ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇପାରୁଛି। ଏହିପରି ଅନ୍ୟ ଯୋଜନାର ଅର୍ଥ ମଧ୍ଯ ସିଧାସଳଖ ହିତାଧିକାରୀ ନିକଟରେ ପହଞ୍ଚି ପାରୁଛି। କିନ୍ତୁ ଏହା ଦ୍ୱାରା ଯେ ଦଲାଲ ପ୍ରଥା ଲୋପ ପାଇଯାଇଛି, ଏହା କହିବା ଠିକ୍ ହେବ ନାହିଁ। ମାତ୍ର ସଂସ୍କାର ଆସିଛି ନିଶ୍ଚିତ। 

ଏଥି ସହିତ ଚିରାଚରିତ ପ୍ରଥାରେ ଚାଲି ଆସୁଥିବା ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିବାକୁ ପଡିବ। କେବଳ ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ନିର୍ଦ୍ଦିଷ୍ଟ ଚାକିରୀ ପାଇଁ ବୈଷୟିକ ଦକ୍ଷତା କୁ ବିଚାରକୁ ନିଆଯିବା ଦରକାର। ଯେପରିକି, ଆଜିକାଲି ପ୍ରାୟ ସବୁ ଅଫିସ କାର୍ଯ୍ୟ ରେ କମ୍ପ୍ୟୁଟର ବ୍ଯବହାର କରାଯାଉଛି। ମାତ୍ର ନିଯୁକ୍ତି ପ୍ରକ୍ରିୟା ରେ କମ୍ପ୍ୟୁଟର ପରୀକ୍ଷା କୁ କେବଳ କ୍ୱାଲିଫାଇଙ୍ଗ ସ୍ତରୀୟ କରାଯାଉଛି। ଫଳରେ ଅଫିସ ରେ ସେତିକି ଫଳପ୍ରଦ ହେଉନାହିଁ। ମାତ୍ର ଖୁବ୍ କମ୍ ଦରମା ପାଉଥିବା ଡାଟା ଏଣ୍ଟ୍ରି ଅପରେଟର  (ଠିକା ନିଯୁକ୍ତି) କୁ ଖୁବ ଭଲ ଭାବରେ ଟାଇପ ଟେଷ୍ଟ ଦେବାକୁ ପଡୁଛି। 

ତେବେ ସବୁ କ୍ଷେତ୍ରରେ କର୍ମଚାରୀ ଅଭାବ ଏକ ମୁଖ୍ଯ ସମସ୍ୟା। ଆଉ ତା ପଛରେ ଥିବା ମୂଳ କାରଣ ହେଲା ବଜେଟର ଅଭାବ। ଏବେ ସରକାରୀ କାର୍ଯ୍ୟ ରେ ଠିକା କର୍ମଚାରୀ ତଥା ବୈଷୟିକ ଜ୍ଞାନ ଧାରୀ ଅଭିଜ୍ଞ କର୍ମଚାରୀ ନିୟୋଜିତ ହେଉଛନ୍ତି। ଫଳରେ ସରକାରୀ ଖର୍ଚ୍ଚ କମ୍ ହେଉଛି, କାର୍ଯ୍ୟର ମାନ ଏବଂ ପରିପକ୍ବତା ରହୁଛି। ସେମାନେ କାର୍ଯ୍ୟରେ କମ ସମୟ ଅନୁପସ୍ଥିତ ରହୁଛନ୍ତି। ଚାକିରୀ ଚାଲିଯିବା ଭୟରେ ନିଜର କାର୍ଯ୍ୟ ରେ ଯଥାସମ୍ଭବ ନିଜର ଜ୍ଞାନ ତଥା ସମୟ ଉପଯୋଗ କରୁଛନ୍ତି। 

ନିଯୁକ୍ତି ପରେ କର୍ମଚାରୀ ମାନେ କିପରି ଉସ୍ଚାହିତ ହେବେ ଓ କାର୍ଯ୍ୟ ରେ ମନୋନିବେଶ କରିବେ ସେଭଳି ବ୍ୟବସ୍ଥା ରହିବା ଆବଶ୍ଯକ। ଏଥିପାଇଁ କେବଳ incentive (or disincentive) ଏକମାତ୍ର ଉପାୟ। ମାତ୍ର ଏହି ବ୍ଯବସ୍ଥା ନିୟମିତ ଭାବେ ଯାଞ୍ଚ କରିବା ଓ କାର୍ଯ୍ୟକାରୀ କରିବା ଏକ ଚ୍ୟାଲେଞ୍ଜ। 

କର୍ମଚାରୀ ମାନଙ୍କୁ ନିୟମିତ ଭାବେ ତାଲିମ ଶିବିର ମାଧ୍ୟମରେ ବର୍ତ୍ତମାନ ସମୟର ଆବଶ୍ଯକତା ଅନୁଯାୟୀ ପ୍ରଶିକ୍ଷଣ ମିଳିବା ଦରକାର। ନିୟମ କାନୁନ ବିଷୟରେ ଅବଗତ ହେବା ଦରକାର। ଏପରିକି କାର୍ଯ୍ୟ ରେ ଅବହେଳା ପାଇଁ ଦ୍ରୁଷ୍ଟାନ୍ତମୂଳକ ଦଣ୍ଡ ବିଧାନ ହେବା ଦରକାର। ମାତ୍ର ଏ ସବୁ କାର୍ଯ୍ୟ ପାଇଁ ଏ ସୁସଂଗଠିତ ବ୍ୟବସ୍ଥା ଦରକାର। 

ଶେଷରେ ଯଦି ଭିତ୍ତିଭୂମି ନାହିଁ, ତେବେ କାର୍ଯ୍ୟର ମାନରେ ଉନ୍ନତି ଆଶା କରିବା ବ୍ୟର୍ଥ। ଦୂର୍ନୀତିର ହାର କମାଇବା ପାଇଁ ଟେକ୍ନୋଲୋଜି ଏକ ବଡ ଅସ୍ତ୍ର। ଆଜିର ବାୟୋମେଟ୍ରିକ୍ ବ୍ୟବସ୍ଥା ଏକ ବଡ ଉଦାହରଣ। ଏପରିକି ସରକାରୀ ଫାଇଲ ମଧ୍ଯ  ଅନଲାଇନ ହୋଇଗଲାଣି। ଫଳରେ ସମୟାନୁସାରେ ଅଫିସ ନଆସିଲେ ବାୟୋମେଟ୍ରିକ୍ ବ୍ୟବସ୍ଥାରେ ଜାଣି ହେଉଛି ତଥା ଟେବୁଲ ଉପରେ ଚଷମା ରଖି ବାବୁମାନେ ଆଉ ଲୋକମାନଙ୍କୁ ଠକି ପାରୁନାହାନ୍ତି। ଫାଇଲ କାହା ପାଖରେ କେତେ ଦିନ ପଡି ରହିଲା, କେତେ ଚିଠି ଆସିଲା ତାହା ମଧ୍ଯ ଅନଲାଇନ ବ୍ୟବସ୍ଥାରେ ଜାଣି ହେଉଛି। ତଥାପି ଆହୁରି ସଂସ୍କାର ଆବଶ୍ଯକ। 

In sum, the productivity of government workers is a major public management problem that can be addressed by simultaneously improving the recruitment and selection of public officials; enforcing incentives to reward performance or finding other ways to motivate staff; and leveraging technology to streamline delivery. The existing evidence have given us some ideas on how to do some of this but more research is needed. Ultimately public personnel reform requires changing a deep-rooted status quo – this needs strong political will along with the willingness to continuously test and evaluate ideas. 

* My personal opinion

No comments: