Thursday, 6 May 2021

ଆ ଫେରିଯିବା ଗାଆଁ କୁ ...

ଆ ଫେରିଯିବା ଗାଆଁ କୁ ...

ଆ ଫେରିଯିବା ଗାଆଁ କୁ, ଆପଣେଇ ମାଟି ମାଆ କୁ
ସହରୀ ଜୀବନ ସଙ୍କଟ ରେ ଏଠି, ରୋଗୀ ସେବା ଖାଲି ନାଆଁ କୁ ।
ଅମ୍ଳଜାନ କିଲୋ ହଜାରେ, ସହଜେ ମିଳୁନି ବଜାରେ
ପ୍ରଦୂଷିତ ବାୟୁ ପ୍ରଶ୍ୱାସରେ ନେଉ, ତୁଣ୍ଡି ବାନ୍ଧି ନିଜ ମୁହଁରେ ।

କଳ କାରଖାନା ଚାଲୁନି, ଦୋକାନ ବଜାର ଖୋଲୁନି
ଖଟିଲେ ଖାଇବୁ ଘରଭଡା ଦେବୁ, କାମକୁ କେହିବି ଡାକୁନି ।

ଭୋକ ଉପାସରେ ମରୁଛୁ, କରୋନା ଭୟରେ ଥରୁଛୁ
ଲକ ଡାଉନ, ସଟ ଡାଉନ, ପୋଲିସି ପାହାର ଡରୁଛୁ ।

ଗାଁ ଟା ଆମର ବଢ଼ିଆ, ଚାରିକଡେ ଖୋଲା ପଡ଼ିଆ
ଚଲା ବୁଲା ପାଇଁ କଟକଣା ନାହିଁ, ନାହିଁ ଗଣ୍ଡଗୋଳ ଅଡୁଆ ।

ସକାଳ ସିନାନ ନଈ ରେ, ଖରାବେଳେ ତୋଟା ଛାଇରେ
ସଜ ପଖାଳକୁ ସଜନା ଛୁଇଁ, ଖାଇକି ମାରିବା ହାଇରେ ।

କଷି ତାଳ ସଜ ଡାକୁଛି, ନାଲି କୃଷ୍ଣଚୂଡା ହସୁଛି
ଠାକୁରାଣୀ ମାଳ କାଠ ଚମ୍ପାଫୁଲ, ମହ ମହ ହୋଇ ବାସୁଛି ।

ସଞ୍ଜୁଆ ଶୀତଳ ପବନ, ଦେହକୁ ମଳୟ ଚନ୍ଦନ
ଯୁଇ, ଜାଇ, ହେନା, ମଲ୍ଲୀ, ମାଳତୀ ରେ, ସାଉଁଟିବା ସୁଖ ସପନ ।

ଚାଉଳ ମିଳୁଛି ଟଙ୍କାରେ, ବିରି ଓ କୋଳଥ ଛୁଙ୍କରେ
ଚେପଟା କଦଳୀ, ପଣସ କଠା, ଅମୃତଭଣ୍ଡା ବାଡ଼ିରେ ।

ତାତି ଲାଗିବନି ଗାଆଁ ରେ, ମାଟି ଘର ନଡ଼ା ଛାଆରେ
ଘରେ ଘରେ କୂଅ ବାଡ଼ିରେ ପୋଖରୀ, ସୁଲୁ ସୁଲିଆ ବାଆରେ ।

ପ୍ରକୃତି କୋଳରେ ବଞ୍ଚିବା, ବିଷ ବଳୟରୁ ଘୁଞ୍ଚିବା
ମୁକ୍ତ ଆଲୋକ, ଶୁଦ୍ଧ ଅମ୍ଳଜାନ, ବଳକା ଆୟୁଷ ସଞ୍ଚିବା ।

ଖଟିବା ଆପଣା ଭୂଇଁରେ, ଦାଦନ କୁ ଯିବା କାହିଁରେ
ପରିଶ୍ରମ କରି ସୁନା ଫଳାଇବା, ଅଭାବ ରହିବ ନାହିଁରେ ।

ଜନମିଛି ଯେଉଁ ମାଟିରେ, ଅଭାବ ହେବନି ରୁଟିରେ
ସାଇ,ଭାଇ,ବନ୍ଧୁ ଶହେ କାନ୍ଧ ଦେବେ, ମରିଗଲେ ତା' ର ପିଠିରେ ।

ପରିବାର ପିଲା ଛୁଆଙ୍କୁ, ଦେଖୁଥିବା ତାଙ୍କ ମୁହଁକୁ
ଦିନକୁ ପଛକେ ବଖତେ ଖାଇବା, ଆ ଫେରିଯିବା ଗାଆଁ କୁ । 

Source: forwarded message from Whatsapp

No comments: