Tuesday 4 October 2022

Abolish New Pension System (NPS) and Contractual Appointment Rules 2013

ପାନ ଦୋକାନରେ ବସି ଜ୍ଞାନ ବାଣ୍ଟିବା ବହୁତ ସହଜ। ସେମାନେ ଅତି ଅନାୟାସରେ ନରେନ୍ଦ୍ର ମୋଦୀ ଙ୍କୁ ରାଜନୀତି,  ଜୟଶଙ୍କରଙ୍କୁ ବିଦେଶନୀତି, ଶକ୍ତିକାନ୍ତ ଦାସଙ୍କୁ ଅର୍ଥନୀତି, ରତନ୍ ଟାଟାଙ୍କୁ ଶିଳ୍ପନୀତି  ଓ ସେନା ମୁଖ୍ୟଙ୍କୁ ଯୁଦ୍ଧନୀତି ର ବିଷଦ ଶିକ୍ଷା ଦେଇ ପାରନ୍ତି।  ନିଜେ କିଛି କରି ପାରିବାର ଯୋଗ୍ୟତା ନଥାଇ ବଡ ବଡ ଭାଷଣ ଦେଉଥିବା ଏମାନେ ହେଲେ ସେଇ ପାନ ଦୋକାନ ବିଶାରଦ।

ହଁ, ଆମେ କହୁଛୁ ସେଇମାନଙ୍କ କଥା, ଯେଉଁ ମାନେ ଚଳିତ କ୍ୟାବିନେଟରେ ଚୁକ୍ତି ଭିତ୍ତିକ ନିଯୁକ୍ତି ବିଷୟରେ ନିଷ୍ପତ୍ତି ନହେବା ପରେ ସଂଘ ନେତ୍ରୁତ୍ଵ କୁ ବିଷଦଗାର କରୁଛନ୍ତି। ସେହି ବିଷୟରେ ଏହି ଆଲେଖ୍ୟ। 

ତା ୩୦.୦୯.୨୦୨୨ ରିଖ (ଶୁକ୍ରବାର) ସନ୍ଧ୍ଯା ୫ ଘଟିକାରେ ରାଜ୍ଯ କ୍ୟାବିନେଟ ବସିବାର ଥିଲା। ଅତୀତରେ ଅନେକ କ୍ୟାବିନେଟ ବସି ଅନେକ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହେଲେ, ସେଦିନ ଥିଲା ଟିକେ ନିଆରା। ୨୦୧୩ ରୁ ରାଜ୍ଯରେ ପ୍ରଚଳିତ ଗ୍ରୁପ୍ ବି ଓ ସି ଚୁକ୍ତି ଭିତ୍ତିକ ନିୟମ ସଂପୂର୍ଣ୍ଣ ଉଚ୍ଛେଦ ହେବାର ଆଶ୍ୱାସନା Odisha Government Contractual Employees Association (OGCEA) ର ନେତ୍ରୁତ୍ଵ ମାନେ ସାରା ରାଜ୍ଯର ଚୁକ୍ତି ଭିତ୍ତିକ କର୍ମଚାରୀ ମାନଙ୍କୁ ଦେଇଥିଲେ। ରାଜ୍ୟର ପ୍ରାୟ ୭୦,୦୦୦ କର୍ମଚାରୀ ତଥା ସେମାନଙ୍କ ପରିବାର ଚାତକ ଭଳି ଅପେକ୍ଷା କରି ରହିଲେ। ହେଲେ ଶେଷରେ ନିରାଶ ହେବାକୁ ପଡିଲା। ସବୁ ସ୍ତରରେ ନୈରାଶ୍ୟ ଖେଳିଗଲା। ସମସ୍ତେ ଭାବିଥିଲେ, ବୋଧହୁଏ ସଂଘ ନେତ୍ରୁତ୍ଵ ଦ୍ରୁଢ ନିଶ୍ଚିତ ଯେ, କ୍ୟାବିନେଟରେ ପାରିତ ହେବାପାଇଁ ସଂପୂର୍ଣ୍ଣ ସରକାରୀ ପ୍ରକ୍ରିୟା ସରି ଯାଇଛି। 

ସୂଚନାଯୋଗ୍ୟ,  ଗତ ୧୧ ସେପ୍ଟେମ୍ବର ଆନ୍ଦୋଳନରେ ଢୁ ଢୁ ବର୍ଷାରେ ଏତେ ମାତ୍ରାରେ ଚୁକ୍ତି ଭିତ୍ତିକ କର୍ମଚାରୀ ମାନଙ୍କ ଅଂଶଗ୍ରହଣ ହେତୁ ସରକାର ବାଧ୍ଯ ହୋଇଥିଲେ ଆଲୋଚନା କରିବାକୁ। ଆଲୋଚନାରୁ ଫେରିବା ପରେ ୧୫ ଦିନର ଅପେକ୍ଷା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିବା କଥା ଆନ୍ଦୋଳନକାରୀଙ୍କୁ ବୁଝାଇ ଦିଆଗଲା। ସବୁ ଆନ୍ଦୋଳନ ପରି ଏଥିରେ ମଧ୍ଯ ସେୟା ହେଲା। ପୂଜା ପୂର୍ବରୁ ସରକାର ଭେଟି ଦେବେ ବୋଲି ଆଶା କରି ଲୋକେ ଘରେ ରହି ଅପେକ୍ଷା କଲେ। ଠିକ୍ ୨୬ ତାରିଖରେ ପ୍ରଶ୍ନ କରାଗଲା, ଆମ କଥା କଣ ହେଲା। ଉତ୍ତର ଆସିଲା ୩୦ ତାରିଖ କ୍ୟାବିନେଟକୁ ଅପେକ୍ଷା କର। ୨୯ ତାରିଖଠାରୁ ସୋସିଆଲ ମିଡିଆ - ହ୍ୱାଟ୍ସଆପ, ଫେସବୁକ, ଟୁଇଟର ରେ ସେହି ଗୋଟିଏ ଖବର - "ରାଜ୍ୟ ରୁ ଚୁକ୍ତି ଭିତ୍ତିକ ନିୟମ ସଂପୂର୍ଣ୍ଣ ଉଚ୍ଛେଦ ହେବ"। ୩୦ ତାରିଖ ସଂଧ୍ଯାରେ ଖବର ଆସିଲା, ରାଜ୍ୟ କ୍ୟାବିନେଟ ମୋଟ ୮ଟି ପ୍ରସ୍ତାବ ଉପରେ ମୋହର ମାରିଲେ। ହେଲେ ଏଥିରେ ଅସଲ ନିଷ୍ପତ୍ତି ଟି ନଥିଲା। ସମସ୍ତଙ୍କୁ ଗୋଟିଏ ପ୍ରକାର ଉପହାସ ଭଳି ଲାଗିଥିଲା। ଏମିତି ତ କାର୍ଯ୍ୟ କ୍ଷେତ୍ରରେ ଠିକା କର୍ମଚାରୀ କହି ପାତରଅନ୍ତର କରି ବ୍ଯବହାର ମିଳୁଛି। ତେଣୁ ଯିଏ ଯାହା ପାରିଲା କମେଣ୍ଟସ୍ ଦେଇ ଚାଲିଲେ। ଗୋଟିଏ ଦିନ ପୂର୍ବରୁ ଏକ ନମ୍ବର ମୁଖ୍ଯମନ୍ତ୍ରୀ କହି ପ୍ରଶଂସା କରୁଥିବା ଲୋକମାନେ ଠକ ମୁଖ୍ଯମନ୍ତ୍ରୀ କହିଲେ। ସଂଘ ନେତ୍ରୁତ୍ଵ କୁ ପଇସା ଖାଇ ଚୁପ୍ ରହିଲ ବୋଲି କହିଲେ। ଫଳରେ ବାଧ୍ଯ ହୋଇ ସଂଧ୍ଯା ରେ ଭିଡିଓ ବାର୍ତ୍ତା ମାଧ୍ଯମରେ ଯେଉଁ ସୋସିଆଲ ମିଡିଆରେ ନିଜର ଦାବୀ ସରକାର ଙ୍କ ନିକଟରେ ପହଞ୍ଚାଇବା ପାଇଁ ଡିଜିଟାଲ ଆନ୍ଦୋଳନ ର ଡାକରା ଦେଇଥିଲେ, ସେହି ଡିଜିଟାଲ ମିଡିଆରେ କୌଣସି ପ୍ରକାର ଆଲୋଚନା, କମେଣ୍ଟସ୍ ନକରିବାକୁ ସମସ୍ତଙ୍କୁ ଅନୁରୋଧ କରାଗଲା। ଏହା ଏକ ସୁ-ପଦକ୍ଷେପ। ସମସ୍ତେ ଜାଣନ୍ତି, ସରକାର ଏତେବଡ ନିଷ୍ପତ୍ତି ନେବେ ଯାହା ଇତିହାସ ସ୍ରୁଷ୍ଟି କରିବ। ସେଥିପାଇଁ ସମୟ ନିଶ୍ଚିତ ଦରକାର। ସବୁ ଦିଗକୁ ବିଚାର କରି ନିର୍ଦ୍ଦେଶନାମା ନକଲେ, ଭବିଷ୍ଯତ ରେ ବହୁତ ଗୁଡିଏ ଅଦାଲତିକ ମାମଲାରେ ଛନ୍ଦିହେବାକୁ ପଡିବ। ସେ ଯାହା ହେଉ, ସଂଘ ନିଶ୍ଚିତ ଭାବରେ ସେ କାମରେ ଲାଗିଥିବ। ନିଯୁକ୍ତି କ୍ଷେତ୍ରରେ ଏକ ବିପ୍ଲବ ଆସିବ। 

ଏହି ଅବସରରେ ଓଡିଶା ସରକାରଙ୍କ ଅଧୀନରେ କାର୍ୟ୍ଯ କରୁଥିବା କର୍ମଚାରୀ ମାନଙ୍କ ବିଭିଧତା ବିଷୟରେ ଆଲୋକପାତ କରିବା। 
ଗୋଟିଏ ସାଧାରଣ ଉଦାହରଣ ଦେଲେ ଜାଣିପାରିବେ। ଆପଣ ଯଦି ଗୋଟିଏ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍ ଯିବେ ସେଠାରେ ବିଭିନ୍ନ ପ୍ରକାର କର୍ମଚାରୀ ଦେଖିବାକୁ ମିଳିବେ। 
୧) ଜିଲ୍ଲାପାଳ : An IAS Officer (Recruited directly Or promoted from OAS) 
୨) ଡେପୁଟି କଲେକ୍ଟର : An OAS Officer (Recruited directly Or promoted from ORS) 
୩) ଆସିଷ୍ଟାଣ୍ଟ୍ କଲେକ୍ଟର : An ORS Officer (Recruited directly Or promoted from Ministerial Cadre of HOD or District Offices) 
୪) ଅମଲା (ସହାୟକ / କିରାଣୀ / ବଡ ବାବୁ / ସେକ୍ସନ ଅଫିସର ଇତ୍ୟାଦି) : ଏମାନେ ହିଁ କାର୍ଯ୍ୟାଳୟ ର ମେରୁଦଣ୍ଡ। ସମସ୍ତ କାର୍ୟ୍ଯ ଏମାନଙ୍କ ଠାରୁ ଆରମ୍ଭ, ଏମାନଙ୍କ ପାଖରେ ଶେଷ। କିନ୍ତୁ ଏମାନେ ହିଁ ବେଶୀ ଅବହେଳିତ। Level-4 ( BP-5200 + GP-1900) ରେ ଚାକିରୀ ଆରମ୍ଭ କରି କିଏ କେତେ ବାଟ ଯାଇପାରିବ ତାହା କେବଳ ଭାଗ୍ଯ ହାତରେ। ତଥାପି ରାଜ୍ୟରେ ସବୁ ବିଭାଗର ବିଭାଗୀୟ ମୁଖ୍ଯ ଦପ୍ତର (HOD) ଏବଂ ଜିଲ୍ଲା କାର୍ଯ୍ୟାଳୟରେ ଏମାନଙ୍କ ସଂଖ୍ଯା ବହୁତ ଅଧିକ। କିନ୍ତୁ ଏମାନଙ୍କ ମଧ୍ୟରେ ଏକତା ରକ୍ଷା କରିବା କଷ୍ଟକର ବ୍ୟାପାର। କାରଣ ଏହି ବର୍ଗରେ ହିଁ ବେତନର ତାରତମ୍ୟ ସର୍ବାଧିକ। 
(କ) ସେକ୍ସନର ବଡ ବାବୁ : ପଢା ମାଟ୍ରିକ୍ /  ଚାକିରୀ ନିୟମିତ / ବେତନ ପୂର୍ଣ୍ଣ ମାତ୍ରାରେ / ପୁରୁଣା ପେନସନ୍ / ଜିପିଏଫ୍ ସୁବିଧା
(ଖ) ସିନିୟର ଆସିଷ୍ଟାଣ୍ଟ୍ (୧) : ପଢା +୨/+୩ / ନିୟମିତ ଚାକିରୀ / ବେତନ ପୂର୍ଣ୍ଣ ମାତ୍ରାରେ / ପୁରୁଣା ପେନସନ୍ / ଜିପିଏଫ୍ ସୁବିଧା /  ORS ପଦୋନ୍ନତି  ପାଇଁ ଆଶାୟୀ
(ଗ) ସିନିୟର ଆସିଷ୍ଟାଣ୍ଟ୍ (୨) : ପଢା ୧୦ମ / ଚାକିରୀ ନିୟମିତ / ବେତନ ପୂର୍ଣ୍ଣ ମାତ୍ରାରେ / ପୁରୁଣା ପେନସନ୍ / ଜିପିଏଫ୍ ସୁବିଧା / ୧୨-୧୫ ବର୍ଷ ପରେ ପଦୋନ୍ନତି ହେଇଛି / ORS ପଦୋନ୍ନତି  ପାଇଁ ଆଶାୟୀ
(ଘ) ସିନିୟର ଆସିଷ୍ଟାଣ୍ଟ୍ (୩) : ପଢା +୩ କିମ୍ବା ବିଟେକ୍ / ଚାକିରୀ ନିୟମିତ / ବେତନ ପୂର୍ଣ୍ଣ ମାତ୍ରାରେ / ନୂତନ ପେନସନ୍ (NPS) / ଜିପିଏଫ୍ ସୁବିଧା ନାହିଁ / ୬-୭ ବର୍ଷ ପରେ ପଦୋନ୍ନତି ହେଇଛି 
(ଙ୍କ) ଜୁନିଅର ଆସିଷ୍ଟାଣ୍ଟ୍ (୧) : ପଢା +୩ କିମ୍ବା ବିଟେକ୍ / ଚାକିରୀ ନିୟମିତ / ବେତନ ପୂର୍ଣ୍ଣ ମାତ୍ରାରେ / ନୂତନ ପେନସନ୍ (NPS) / ଜିପିଏଫ୍ ସୁବିଧା ନାହିଁ / ୧୦ ବର୍ଷ ପରେ ବି ପଦୋନ୍ନତି ହେଇନି
(ଚ) ଜୁନିଅର ଆସିଷ୍ଟାଣ୍ଟ୍ (୨) : ପଢା +୩ କିମ୍ବା  BTech, MBA, MCA /ଚୁକ୍ତି ଭିତ୍ତିକ ନିଯୁକ୍ତିର ୬ ବର୍ଷ ପରେ ଚାକିରୀ ନିୟମିତ / ବେତନ ପୂର୍ଣ୍ଣ ମାତ୍ରାରେ / ନୂତନ ପେନସନ୍ (NPS) / ଜିପିଏଫ୍ ସୁବିଧା ନାହିଁ 
(ଛ) ଜୁନିଅର ଆସିଷ୍ଟାଣ୍ଟ୍ (୩) : ପଢା +୩ କିମ୍ବା  BTech, MBA, MCA / ଚୁକ୍ତି ଭିତ୍ତିକ ନିଯୁକ୍ତି / ଚାକିରୀ ନିୟମିତ ହୋଇନାହିଁ / ଠିକା ବେତନ  / ନୂତନ ପେନସନ୍ (NPS) ମଧ୍ଯ ନାହିଁ
୫) ପିଅନ (କ) : ପଢା ୫ମ/୭ମ /  ଚାକିରୀ ନିୟମିତ / ବେତନ ପୂର୍ଣ୍ଣ ମାତ୍ରାରେ / ପୁରୁଣା ପେନସନ୍ / ଜିପିଏଫ୍ ସୁବିଧା
ପିଅନ (ଖ) : ପଢା ୧୦ମ /  ବାପା/ମାଙ୍କ ମ୍ରୁତ୍ୟୁ ପରେ ନିୟମିତ ଅନୁକମ୍ପା ଚାକିରୀ / ବେତନ ପୂର୍ଣ୍ଣ ମାତ୍ରାରେ / ପୁରୁଣା ପେନସନ୍ / ଜିପିଏଫ୍ ସୁବିଧା
ପିଅନ (ଗ) : ପଢା +୩ / ବିଟେକ /  ବାପା/ମାଙ୍କ ମ୍ରୁତ୍ୟୁ ପରେ ଅନୁକମ୍ପା ଚାକିରୀ /  ଠିକା ବେତନ / ନୂତନ ପେନସନ୍ (NPS) ମଧ୍ଯ ନାହିଁ
ପିଅନ (ଘ) : ପଢା ୭ମ / ଦୈନିକ ମଜୁରୀ ହିସାବରେ ବିଭିନ୍ନ ବିଭାଗରେ ବହୁ ବର୍ଷ ଧରି କାର୍ୟ୍ଯ କଲାପରେ ସେମାନଙ୍କୁ ଓ୍ୱାର୍କଚାର୍ଜ ହିସାବରେ ରଖାଯାଇଛି। ପଦବୀ ଖାଲି ହେଲେ ନିୟମିତ ନିଯୁକ୍ତି ମିଳିବା ଆଶାରେ ଅପେକ୍ଷା

ଗୋଟିଏ କାର୍ଯ୍ଯାଳୟରେ ୩-୪ ପଦବୀରେ ୧୦-୧୨ ପ୍ରକାର କର୍ମଚାରୀ ନିଜର ଶିକ୍ଷାଗତ ଯୋଗ୍ୟତା, ନିଯୁକ୍ତି ପ୍ରକ୍ରିୟା ( ନିୟମିତ / ଠିକା / ଅନୁକମ୍ପା), ବେତନ (ସମ୍ପୂର୍ଣ୍ଣ / ଚୁକ୍ତି ଭିତ୍ତିକ), ପେନସନ୍ (Old Pension / New Pension / No Pension) ଅନୁଯାୟୀ ନିଜ ନିଜ ଠାରୁ ଭିନ୍ନ। କିନ୍ତୁ କାର୍ଯ୍ୟଧାରା ପ୍ରାୟ ସମାନ। ଯାହାକି ଗୋଟିଏ କ୍ୟାଡରରେ ଏକତା ଆଣିବାରେ ପ୍ରତିବନ୍ଧକ ସାଜୁଛି । 

ଏମାନଙ୍କ ବ୍ୟତୀତ କିଛି ଲୋକ ଆଉଟସୋର୍ସିଙ୍ଗ ମାଧ୍ୟମରେ କାମ କରୁଥିବା ବେଳେ ଆଉ କିଛି ଲୋକ ଅବସର ପରେ ଓଏସଡି ହିସାବରେ କାମ କରନ୍ତି। ଅନେକ ସମୟରେ ଆପଣ କୌଣସି ଅଫିସକୁ ଯାଇ ଏକ ଗୁରୁତ୍ବପୂର୍ଣ୍ଣ କାମ ପାଇଁ କାହାକୁ ନମସ୍କାର କରୁଥଲେ, ସେ ବ୍ଯକ୍ତି ଜଣକ ଏହି ଗୋଷ୍ଠୀର ହୋଇଥାଇପାରନ୍ତି । ତେଣୁ ସରକାର ଏମାନଙ୍କର ବେତନ ମଧ୍ଯ ନିକଟ ଅତୀତରେ ବ୍ରୁଦ୍ଧି କରିଛନ୍ତି। 

ଏବେ ଟିକିଏ ପଛକୁ ଫେରିବା। 

ଓଡ଼ିଶା ସରକାରଙ୍କ ଅଧୀନରେ ବିଭିନ୍ନ କାର୍ଯ୍ୟାଳୟରେ କାର୍ୟ୍ଯ କରୁଥିବା କର୍ମଚାରୀଙ୍କ ମଧ୍ୟରେ ନିଯୁକ୍ତି, ଦରମା ତଥା ଜୀବନଚର୍ଯ୍ୟା ନେଇ ବିବିଧତା ଦେଖାଯାଏ। ବିଭିନ୍ନ ପଦବୀ ନେଇ ଅସମାନତା ରହିବା ସ୍ୱଭାବିକ। ସମୟ ଥିଲା, ୧୯୯୨ ମସିହା ପରେ ପରେ ପ୍ରାୟ କିଛି ବର୍ଷ ଧରି ନିଯୁକ୍ତି ପ୍ରକ୍ରିୟା ବନ୍ଦ ଥିଲା। ଫଳରେ ବି.ଏ. ପଢିଥିବା ପିଲାମାନେ ଗାଁରେ ପାନ ଦୋକାନ ଖୋଲୁଥିଲେ । ସେତେବେଳେ ଚାକିରୀ କହିଲେ କେବଳ ଶିକ୍ଷକ ଚାକିରୀକୁ ସହଜରେ ବୁଝି ହେଉଥିଲା। ସେଥିପାଇଁ ଅନେକ ପିଲା ସିଟି, ବିଇଡି କରିସାରି ଘରେ ଥିଲେ। ଆଉ ଅନ୍ୟ ପଟେ ପୋଲିସ୍, ଆର୍ମି, ନାଭାଲ୍ , ଏୟାରଫୋର୍ସ ଚାକିରୀ ବେଶ ଜଣାଶୁଣା ଥିଲା। ଯେଉଁମାନେ ଭଲ ପାଠ ପଢୁଥିଲେ ସେମାନେ ବଡ ହେଲେ କେବଳ ଡାକ୍ତର କିମ୍ବା ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖୁଥିଲେ। ଏପରିକି ଖାଲି ଡିପ୍ଲୋମା ପଢିଥିଲେ ମଧ୍ଯ ଗାଁରେ ଜଣେ ଇଞ୍ଜିନିୟର ଭାବେ ଗଣାଯାଉଥିଲେ। ପ୍ରାୟ ମନେଥିବ, ୧୯୮୦ ଦଶକରେ ଜନ୍ମିତ ପିଲାମାନେ ସେମାନଙ୍କ ବିଦ୍ୟାଳୟ ପଢାବେଳେ ମାସର ୫-୬ ତାରିଖରେ ଦରମା ଛୁଟି ହେଉଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନ୍ୟ ଜଣେ ଶିକ୍ଷକଙ୍କ ସହିତ ନିକଟସ୍ଥ ତହସିଲ ଅଞ୍ଚଳରେ ଥିବା ବ୍ୟାଙ୍କରୁ ଦରମା ଟଙ୍କା ଉଠାଣ କରି ଅନ୍ୟ ଶିକ୍ଷକ ମାନଙ୍କୁ ବାଣ୍ଟୁଥିଲେ । ଚକ୍ ଖଡି ତଥା ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପିଲାମାନେ ପ୍ରତି ବୁଧବାର ଦିନ ୨୫ ପଇସା ଲେଖାଏଁ ଶ୍ରେଣୀ ମନିଟରକୁ ଦେଉଥିଲେ। ବିଦ୍ୟାଳୟ ଶିକ୍ଷକ ଦିନରେ ୩-୪ ଟି କ୍ଲାସ କରି ପୁଣି ସକାଳ ସଂଧ୍ଯା ଦୁଇଓଳି ସେହି ବିଦ୍ୟାଳୟ ରେ ଟ୍ୟୁସନ କରୁଥିଲେ। 

ଇତିମଧ୍ୟରେ କିନ୍ତୁ ବହୁତ ପରିବର୍ତ୍ତନ ଆସିଛି। ବର୍ତ୍ତମାନର ସରକାର ଖାଲି ପଦବୀ ପୂରଣ ପାଇଁ ବେଶ୍ ତତ୍ପରତା ଦେଖାଉଛନ୍ତି। ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ସେପଟେ କେନ୍ଦ୍ର ସରକାର କର୍ମଚାରୀ ଙ୍କ ଭଳି ସବୁ ସୁବିଧା ପାଇବା ପାଇଁ ରାଜ୍ଯ କର୍ମଚାରୀ ଦାବୀ କରିଆସୁଛନ୍ତି । ଆସନ୍ତୁ ବିଗତ ୨୦ ବର୍ଷରେ ଘଟିଥିବା କିଛି ଉଲ୍ଲେଖନୀୟ ଘଟଣା ଦେଖିବା। 

ନିଯୁକ୍ତି ସଂସ୍ଥା : ପୂର୍ବରୁ କେବଳ ଓଡ଼ିଶା ଲୋକସେବା ଆୟୋଗ (OPSC) ଏବଂ ଓଡ଼ିଶା କର୍ମଚାରୀ ପ୍ରବଣ ଆୟୋଗ  (OSSC) ସବୁ ନିଯୁକ୍ତି କରୁଥିବା ବେଳେ ଗୋଟିଏ ପରୀକ୍ଷା ବିଜ୍ଞାପନର ପ୍ରାୟ ୫-୬ ବର୍ଷ ପରେ ଚୁଡାନ୍ତ ଫଳାଫଳ ବାହାରୁଥିଲା। ତେଣୁ ଶୀଘ୍ର ଫଳାଫଳ ପାଇଁ ନିକଟରେ ଓଡ଼ିଶା ଅଧସ୍ତନ କର୍ମଚାରୀ ପ୍ରବଣ ଆୟୋଗ (OSSSC) ଏବଂ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (OPRB) କୁ ଗଠନ କରାଯାଇ କିଛି କିଛି ଦାୟୀତ୍ୱ ବଣ୍ଟନ କରାଯାଇଛି ଏବଂ  କାର୍ଯ୍ୟଭାର କୋହଳ କରାଯାଇପାରିଛି। 

କମ୍ପ୍ୟୁଟର ଦ୍ୱାରା ପରୀକ୍ଷା (CBT) : ପରୀକ୍ଷା ଗୁଡିକର ସ୍ୱଚ୍ଛତା ରକ୍ଷା ତଥା ସହଜ କରିବା ପାଇଁ ପରୀକ୍ଷା ଗୁଡ଼ିକ ଯଥାସମ୍ଭବ କମ୍ପ୍ୟୁଟର ମାଧ୍ୟମରେ Computer Based Test କରାଯାଉଅଛି। 

ଓଡ଼ିଶା ସିଭିଲ ସର୍ଭିସ : ବହୁତ ଦିନର ଦାବୀ ପରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା କୁ UPSC ଢାଞ୍ଚାରେ କରାଯାଇଛି। ଏହାର ମୁଖ୍ଯ ପରିବର୍ତ୍ତନ ଗୁଡିକ ହେଲା -
୧) ପରୀକ୍ଷା ସୁଯୋଗ : UR=6, SEBC=9, SC/ST= No limit
୨) ମୁଖ୍ଯ ପରୀକ୍ଷା ୨୨୫୦ ବଦଳରେ ୨୦୦୦ ମାର୍କର ହେବ
୩) ଦୁଇଟି ବଦଳରେ ଗୋଟିଏ ପସନ୍ଦର ବିଷୟ ଚୟନ କରିବାକୁ ହେବ
୪) ପରୀକ୍ଷାର୍ଥୀ ଚାହିଁଲେ ଓଡିଆ ଭାଷାରେ ପରୀକ୍ଷା ଦେଇପାରିବେ

ଏକକ ପରୀକ୍ଷା : ସମାନ ରାଙ୍କିଙ୍ଗ୍ ର ପଦବୀ ପାଇଁ ଉଭୟ ଗ୍ରୁପ-ବି ଏବଂ ଗ୍ରୁପ-ସି କ୍ଷେତ୍ରରେ ଏକକ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଫଳରେ ଖୁବ୍ କମ୍ ସମୟରେ ଅଧିକ ପଦବୀ ପାଇଁ ନିଯୁକ୍ତି କରିହେବ। ଏଥିସହିତ ଗୋଟିଏ ପିଲା ଏକାଧିକ ଚାକିରୀ ପାଇ ପୁଣି ଛାଡିବା ଦ୍ୱାରା ପଦବୀ ପୁଣି ଖାଲି ରହିବାର ସମସ୍ୟା ରହିବ ନାହିଁ। ତେଣୁ Combined Graduate Level Examination  ଏକ ଭଲ ପଦକ୍ଷେପ। ବହୁ ବର୍ଷ ଧରି କେନ୍ଦ୍ର ସରକାରଙ୍କର ବିଭିନ୍ନ ପଦବୀ ପାଇଁ ଏହିଭଳି ପରୀକ୍ଷା SSC ମାଧ୍ୟମରେ କରାଯାଉଅଛି। 

ଅନୁକମ୍ପା ମୂଳକ ନିଯୁକ୍ତି : ରାଜ୍ୟରେ ଯେକୌଣସି ସରକାରୀ କର୍ମଚାରୀ ମ୍ରୃତ୍ୟୁ ବରଣ କଲେ ତାଙ୍କର ସ୍ତ୍ରୀ /ପୁଅ/ଝିଅ ଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ଶିକ୍ଷା ଗତ ଯୋଗ୍ୟତା ଏବଂ ମ୍ରୁତକର ପଦବୀ ଅନୁଯାୟୀ ନିର୍ଣ୍ଣୟ କରାଯାଉଥିଲା। କିନ୍ତୁ ୨୦୨୦ ମସିହାରୁ ପ୍ରଣୀତ ନୂତନ ନିୟମ ଅନୁଯାୟୀ କେବଳ ଗ୍ରୁପ-ଡି ପଦବୀରେ ହିଁ ଅନୁକମ୍ପା ମୂଳକ ନିଯୁକ୍ତି ମିଳିପାରିବ। ତାହା ପୁଣି ପ୍ରଚଳିତ ଚୁକ୍ତି ଭିତ୍ତିକ ନିଯୁକ୍ତି ନିୟମ ଅନୁଯାୟୀ। ଏଥିରେ ନିଯୁକ୍ତି ପାଇଁ ଏକ ୧୦୦ ମାର୍କର ମାନଦଣ୍ଡ ରଖାଯାଇଛି। ଯେଉଁଥିରେ ମ୍ରୁତ୍ୟୁ ବେଳକୁ ପରିବାରର ଆର୍ଥିକ ପରିସ୍ଥିତି ତଥା ପିଲାମାନଙ୍କ ବୟସ ତଥା ଶିକ୍ଷାକୁ ବିଚ।ର କରାଯାଉଛି । 

ବୟସ କୋହଳ : କରୋନା ମହାମାରୀ ଯୋଗୁଁ ୧୮ ମାସର ମହଙ୍ଗା ଭତ୍ତା ବ୍ରୁଦ୍ଧିରେ ରୋକ୍ ଲଗାଯାଇଥିଲା। ସେହିପରି ନିଯୁକ୍ତି ପ୍ରକ୍ରିୟା ଏକ ପ୍ରକାର ଠପ୍ ହୋଇଯାଇଥିଲା। ତେଣୁ ରାଜ୍ଯ ସରକାର ଆସନ୍ତା ୩ ବର୍ଷ ପାଇଁ ଉପର ବୟସସୀମାକୁ ୩୨ ରୁ ୩୮ ବର୍ଷ ପର୍ୟ୍ଯନ୍ତ କୋହଳ କରିଦେଇଛନ୍ତି। ଫଳରେ ଯେମିତି କେହି ନିଜର ଚାକିରୀ ସୁଯୋଗ ନହରାଇବେ। 

ସ୍ୱତନ୍ତ୍ର ନିଯୁକ୍ତି ସେଲ୍ : ସବୁ ବିଭାଗର ଖାଲି ପଦବୀ ଗୁଡିକ ଠିକ୍ ସମୟରେ ପୂରଣ ପାଇଁ ସରକାର ସ୍ୱତନ୍ତ୍ର ଧ୍ଯାନ ଦେବାପାଇଁ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଗୋଟିଏ Recruitment Cell  ଗଠନ କରିଛନ୍ତି। ଏକ ଅନଲାଇନ ପୋର୍ଟାଲରେ ସମସ୍ତ ବିଭାଗ ସେମାନଙ୍କ ଖାଲି ପଦବୀ ତଥ୍ଯ  ଅପଲୋଡ କରୁଛନ୍ତି। ଏବଂ ବିଭିନ୍ନ ନିଯୁକ୍ତି ଆୟୋଗକୁ କିପରି ଠିକ୍ ସମୟରେ  requisition ପଠାଯିବା ତାହାର ପ୍ରତିଦିନ ହିସାବ ରଖାଯାଇ ଅବହେଳା କରୁଥିବା ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଉଛି। ତେଣୁ ନିକଟ ଭବିଷ୍ୟତରେ ଅନେକ ଗୁଡିଏ ଚାକିରୀ ବିଜ୍ଞାପନ ବାହାରିବାର ସମ୍ଭାବନା ରହିଛି। 

ସେହିପରି ଚାକିରୀ କରିଥିବା କର୍ମଚାରୀ ମାନଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। 

ମାସର ଶେଷ ଦିନରେ ବେତନ : କେନ୍ଦ୍ର ସରକାର କର୍ମଚାରୀ ଯେପରି ମାସର ଶେଷ କାର୍ୟ୍ଯ ଦିବସରେ ବେତନ ପାଉଥିଲେ, ସେତେବେଳେ ରାଜ୍ଯ ସରକାର କର୍ମଚାରୀ ପରବର୍ତ୍ତୀ ମାସର ପ୍ରଥମ ଦିନରେ ପାଉଥିଲେ। ଆଲଟମେଣ୍ଟ ନଥିଲେ ଆଉ ଦୁଇ ଚାରିଦିନ ଅପେକ୍ଷା କରିବାକୁ ପଡୁଥିଲା। କିନ୍ତୁ ଏବେ ସବୁ ପେମେଣ୍ଟକୁ  centralised କରାଯାଇଛି। ଫଳରେ ନିଜ ନିଜ କାର୍ଯ୍ୟାଳୟର ଆଲଟମେଣ୍ଟ କୁ ଅପେକ୍ଷା କରାଯାଉନାହିଁ। ତଦ୍ ସହିତ ମାସର ଶେଷ ଦିନରେ ହିଁ ବେତନ ସମସ୍ତଙ୍କୁ ଦିଆଯାଉଛି। ନଗଦ ଟଙ୍କା ବଦଳରେ ସିଧାସଳଖ ବ୍ୟାଙ୍କ ଆକାଉଂଟକୁ ବେତନ ପଠାଯାଉଅଛି। ଏ କ୍ଷେତ୍ରରେ  IFMS Software ବହୁତ ସାହାଯ୍ୟ କରୁଛି। 

Human Resources Management System (HRMS) : ଏହା ରାଜ୍ଯ ସରକାରୀ କର୍ମଚାରୀ ମାନଙ୍କ ଜାତକ ତଥା ମାଦଳା ପାଞ୍ଜି କହିଲେ ଅତ୍ୟୁକ୍ତି ହେବ ନାହିଁ। ସର୍ଭିସ ବୁକ କୁ ଡିଜିଟାଲ ଡାଟାରେ ସଂରକ୍ଷିତ ରଖିବା ସହିତ ଦରମା, ଛୁଟି, PAR, Property Statement  ଇତ୍ୟାଦି ପରିଚାଳନା କରାଯାଉଛି। ଫଳରେ ଗୋଟିଏ ଯାଗାରେ ସବୁ ତଥ୍ଯ ମିଳିପାରୁଛି। 

ମହଙ୍ଗା ଭତ୍ତା : ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରୁଥିବା ମହଙ୍ଗା ଭତ୍ତାରୁ କିଛି କମ୍ କରି ରାଜ୍ଯ ସରକାର ଘୋଷଣା କରୁଥିଲେ। ତାହା ପୁଣି ବହୁତ ବିଳମ୍ବରେ। କିନ୍ତୁ ସେ କ୍ଷେତ୍ରରେ ଏବେ ପରିସ୍ଥିତି ରେ ସୁଧାର ଆସିଛି। କେନ୍ଦ୍ର ଘୋଷଣା କରିବାର ୨-୩ ମାସ ଭିତରେ ରାଜ୍ଯ ସରକାର ସମାନ ଅନୁପାତର ହିଁ ମହଙ୍ଗା ଭତ୍ତା ଘୋଷଣା କରୁଛନ୍ତି। 

ପେନସନ ଅଦାଲତ : ରାଜ୍ଯ ସରକାରଙ୍କ ଅର୍ଦ୍ଧେକ କର୍ମଚାରୀ ଅବସର ନେବାର ବହୁଦିନ ଧରି  ସେମାନଙ୍କ ପେନସନ୍ ପାଇବାରୁ ବଞ୍ଚିତ ହେଉଥିଲେ। ଏବେ କିନ୍ତୁ ସବୁ ବିଭାଗରେ ସ୍ୱତନ୍ତ୍ର ଭାବେ ପେନସନ ସେଲ ଗଠନ କରି ଯଥା ସମୟରେ ପେନସନ ଦେବା ପାଇଁ ଧ୍ଯାନ ଦିଆଯାଉଛି। ସେହିପରି ପ୍ରତିବର୍ଷ ପେନସନ ଅଦାଲତ ଆୟୋଜନ କରି ବହୁ ସଂଖ୍ଯକ ବକେୟା ମାମଲା ଫଇସଲା କରି ପେନସନ୍ ଦେବା ପାଇଁ ବ୍ଯବସ୍ଥା କରାଯାଉଛି। 

କ୍ୟାଡର ପୁନଃ ଗଠନ ତଥା ଦରମା ବ୍ରୁଦ୍ଧି : ନିକଟରେ ସରକାର ସବୁ ପ୍ରକାର କର୍ମଚାରୀମାନଙ୍କୁ ଖୁସି କରିବା ପାଇଁ କିଛି କିଛି ଭଲ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ କ୍ୟାଡରର ଆବଶ୍ଯକତା ଅନୁଯାୟୀ, ପଦବୀ ପୁନଃ ଗଠନ କରାଯାଉଛି। ସମୟାନୁସାରେ ମହଙ୍ଗା ଭତ୍ତା ବ୍ରୁଦ୍ଧି କରାଯାଉଛି । ସେହିପରି ନିୟମିତ କର୍ମଚାରୀ ଙ୍କୁ ଛାଡିଦେଲେ ଅନ୍ୟ ୩ ପ୍ରକାର କର୍ମଚାରୀ ମାନଙ୍କ ପାଇଁ ଅନେକ ଉଲ୍ଲେଖନୀୟ ଘୋଷଣା କରିଛନ୍ତି। 
୧) ଚୁକ୍ତି ଭିତ୍ତିକ କର୍ମଚାରୀ ମାନଙ୍କ ପାଇଁ Monthly remuneration ରେ ବ୍ରୁଦ୍ଧି 
୨) Contractual Appointment ବଦଳରେ Initial Appointee ଶବ୍ଦ ବ୍ଯବହାର କରିଛନ୍ତି
୩) ଆଉଟସୋର୍ସିଙ୍ଗ ମାଧ୍ୟମରେ କାର୍ଯ୍ୟ ରତ କର୍ମଚାରୀ ମାନଙ୍କ ମାସିକ ବେତନରେ ବ୍ରୁଦ୍ଧି 
୪) ଅବସପ ପରେ କାର୍ୟ୍ଯ କରୁଥିବା OSD ମାନଙ୍କ ଦରମା ରେ ବ୍ରୁଦ୍ଧି

ତଥାପି କର୍ମଚାରୀ ଅସନ୍ତୋଷ

ଗୋଟିଏ ସରକାର ଅଧିନରେ ଗୋଟିଏ ପଦବୀରେ କାମକରୁଥିବା କର୍ମଚାରୀ ମାନଙ୍କ ମଧ୍ଯରେ ଦରମା ଅସଙ୍ଗତି ରହିବା ଯୋଗୁଁ କାର୍ୟ୍ଯ କ୍ଷେତ୍ରରେ ପାତରଅନ୍ତର ନୀତି ଦେଖାଯାଉଛି। ଜଣେ ସଂପୂର୍ଣ୍ଣ ଦରମା ପାଉଥିବା ବେଳେ ଆଉଜଣେ ଚୁକ୍ତି ଭିତ୍ତିକ କର୍ମଚାରୀ ଭାବେ ଗଣାଯାଏ। ୨୦୧୩ ମସିହାରେ ପ୍ରଣୀତ ଏହି ଚୁକ୍ତି ଭିତ୍ତିକ ନିୟମ ଉଭୟ ଗ୍ରୁପ୍ - ବି ଓ ଗ୍ରୁପ୍ - ସି,ଡି  ପାଇଁ ଲାଗୁ ହୋଇଥିଲେ ମଧ୍ଯ ବିଭିନ୍ନ ଅଦାଲତର କାର୍ଯ୍ୟାଳୟ ତଥା ରାଜ୍ଯ ସଚିବାଳୟ ଏଏସ୍ଓ ପଦବୀକୁ ଏଥିରେ ଅନ୍ତଭୁର୍କ୍ତ କରାଯାଇ ନାହିଁ। ଯେଉଁଥିପାଇଁ ଅଯଥାରେ ଗୋଟିଏ ପ୍ରକାର ପଦବୀ ପାଇଁ ଅହେତୁକ ଭିଡ ହେଉଥିବା ବେଳେ ଅନ୍ୟ ପଦବୀ ପାଇଁ ଅନାଗ୍ରହ ପ୍ରକାଶ ପାଉଛି। 

ବର୍ତ୍ତମାନ ସମୟରେ ଦୁଇଟି ମୁଖ୍ଯ ଦାବୀ ନେଇ ସମଗ୍ର ରାଜ୍ଯରେ ଆନ୍ଦୋଳନ ଜାରି ରହିଛି। 
୧) Abolish NPS - Reintroduce OPS
୨) Abolish Contractual Rules 2013

ଜଣେ କର୍ମଚାରୀର ଚାକିରୀ ପରବର୍ତ୍ତୀ ସମୟ ଅସୁରକ୍ଷିତ ରହିବା ସନ୍ଦେହରେ ପ୍ରଥମ ଦାବୀ କରାଯାଉଛି ଏବଂ  ଚାକିରୀର ପ୍ରଥମ ୬ ବର୍ଷ କମ୍ ଦରମାରେ ବଞ୍ଚିବା ଦୁର୍ବିସହ ହୋଇପଡୁଥିବାରୁ ଦ୍ୱିତୀୟ ଦାବୀ କରାଯାଉଛି । ଏଥିପାଇଁ ଦୁଇଟି ସଂଗଠନ ବେଶ ଚର୍ଚ୍ଚାରେ ଅଛି। ପ୍ରଥମ ପାଇଁ National Movement for Old Pension System (NMOPS) ଏବଂ ଦ୍ୱିତୀୟ ପାଇଁ Odisha GovernmentContractual Employees Association (OGCEA) ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। 

ତେବେ ଏହା ପୂରଣ ହେବା ପର୍ୟ୍ଯନ୍ତ କେତେ ଆନ୍ଦୋଳନ, କେତେ ଆଲୋଚନା, କେତେ ସମୟ ମହଲତ୍ ଏବଂ କେତେ ସଂଘର୍ଷ ଚାଲିଛି, ଚାଲିବ ତାର ହିସାବ ନାହିଁ। କିଛି ରାଜ୍ଯ ନିକଟରେ ପୁରୁଣା ପେନସନ ଲାଗୁ ଘୋଷଣା କରିଥିବାରୁ ଓଡ଼ିଶା ବାସୀ ମଧ୍ଯ ଆଶାୟୀ ଅଛନ୍ତି। 

ସେହିପରି ପ୍ରାୟ ୭୦,୦୦୦ କର୍ମଚାରୀ ନିଜର ଜୀବନ ଜୀବିକା ପାଇଁ ୨୦୧୩ର ଚୁକ୍ତି ଭିତ୍ତିକ ନିୟମ ଉଚ୍ଛେଦ କୁ ଚାତକ ଭଳି ଚାହିଁ ରହିଛନ୍ତି। ତା ଭିତରେ ସଂଘ ନେତ୍ରୁତ୍ଵ କେତେବେଳେ କେଉଁ ଆଶ୍ୱାସନା ଦେଉଛନ୍ତି। ସବୁ କାମ କରିଯାଇଛି। କେବଳ ଅଳ୍ପ କାମ ବାକି ଅଛି। ପୂଜା ପୂର୍ବରୁ ଘୋଷଣା ହେଇଯିବ। ଏପରିକି ୩୦ ତାରିଖ କ୍ୟାବିନେଟରେ ଘୋଷଣା କରାଯିବ। କିନ୍ତୁ ନହେଲା ପରେ ସୋସିଆଲ ମିଡିଆ ରେ କର୍ମଚାରୀ ମାନଙ୍କ ବିଷଦଗାର ସୀମା ଟପିଯାଇଥିଲା । ଟପିବା ମଧ୍ଯ ସ୍ୱଭାବିକ। ପରବର୍ତ୍ତୀ ସମୟରେ ସଂଘ ନେତ୍ରୁତ୍ଵ ସମସ୍ତ ନିବେଦନ କରିଥିଲେ ସୋସିଆଲ ମିଡିଆ ରୁ ବିରତ ରହିବା ପାଇଁ। ସୁଦୂର ମାଲକାନାଗିରି ରେ ଚାକିରୀ କରୁଥିବା କର୍ମଚାରୀ ଜଣକ ଏତେ ଫନ୍ଦିଫିକର ବୁଝିବା ମୁସ୍କିଲ। ତାକୁ କେବଳ ଫଳ ଦରକାର। ଘୋଷଣା କେତେ ବିଳମ୍ବ ହେବ, ତାହା ସରକାରଙ୍କ ଉପରେ ନିର୍ଭର କରେ। କିନ୍ତୁ ଆଜି ମିଳିବ କହି ନମିଳିଲେ, ଉପହାସ ଭଳି ଲାଗିବ। 

ଏହା ନିରାଟ ସତ୍ଯ, ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ମାନଙ୍କ ଏ ଆନ୍ଦୋଳନ ଏତେ ଶ୍ରୁଙ୍ଖଳିତ ଥିଲା ସତେଯେମିତି ଆନ୍ଦୋଳନ ନୁହେଁ, ଅନୁରୋଧ। ବାସ୍ତବିକ ଲୋୟର ପିଏମଜି ଅନେକ ଧାରଣା ଆନ୍ଦୋଳନର ମୁକସାକ୍ଷୀ। ଅତୀତରେ ଏଭଳି ବଡ ସମାବେଶରେ ପୋଲିସକୁ ନାକେଦମ ହେବାକୁ ପଡିଛି। ଅନେକ ଆହତ ହେବାର ଖବର ମିଳିଛି। ହେଲେ ଏତେ ସଂଖ୍ଯ।ରେ (ପ୍ରାୟ ୪୦,୦୦୦) ଶ୍ରୁଙ୍ଖଳିତ ଅଂଶଗ୍ରହଣ ତା ପୁଣି ଭିଷଣ ବର୍ଷାରେ, ନିଶ୍ଚିତ ଭାବେ ପ୍ରଶଂସାର ପାତ୍ର। ଆଉ ଦାବୀ ନିଶ୍ଚିତ ଭାବେ ଆଲୋଚ୍ୟ ଯୋଗ୍ୟ। ବର୍ତ୍ତମାନର ସରକାର ବିଗତ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ସବୁ କ୍ୟାଡରର ଦାବୀ କିଛି କିଛି ପୂରଣ କରିଥିଲେ। ଏବେ ମଧ୍ଯ କରୁଛନ୍ତି, ଆଗକୁ ଏମିତି କରିବେ ବୋଲି ଆମର ଆଶା ଓ ବିଶ୍ବାସ। ହେଲେ ଆମକୁ ଏହା ମଧ୍ଯ ସ୍ୱୀକାର କରିବାକୁ ହେବ ଯେ, କେବେ କୌଣସି ସଂଘର ଦାବୀ ସରିଯାଏନାହିଁ। ସମୟକ୍ରମେ ବର୍ତ୍ତମାନ ଠାରୁ କିଛି ଅଧିକ ଆଶା ନେଇ ଦାବୀ ଉପସ୍ଥାପନ  କରାଯାଏ। ତେଣୁ କର୍ମଚାରୀ ଏକତା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସଂଘ ନେତ୍ରୁତ୍ଵ ଠାରେ ଆଶା ଭରସା ରହିବା ଦରକାର। କୁହାଯାଏ କିଛି ସଫଳ ହେଇଗଲେ ବାହାଦୁରୀ ନେବା ପାଇଁ ଅନେକ ଆଗେଇ ଆସନ୍ତି। କିନ୍ତୁ ନହେଲା ଯାଏଁ ନେତ୍ରୁତ୍ଵ ମାନଙ୍କୁ ବହୁତ ଗାଳି ଖାଇବାକୁ ପଡେ। ସର୍ବୋପରି ମନେରଖିବାକୁ ହେବ, ପ୍ରତ୍ୟେକ କର୍ମଚାରୀ ସଂଘ ରାଜନୈତିକ ଦଳ ନୁହଁନ୍ତି। ସମସ୍ତେ ସରକାରୀ ନିୟମର ପରିସୀମା ଭିତରେ ରହି ପଦକ୍ଷେପ ନେବା ଜରୁରୀ।

ଏତିକି ମିଳିଲା ପରେ କଣ ଆଉ କିଛି ଦାବୀ ନାହିଁ? ନିୟମିତ ଚାକିରୀ କରି ପୂର୍ଣ୍ଣ ଦରମା ପାଉଥିବା କ୍ୟାଡରରେ କଣ କିଛି ଦାବୀ କରୁନାହାନ୍ତି? ନିଜର ଦାବୀ ସରକାରଙ୍କୁ ଜଣାଇବା ଅପରାଧ ନୁହେଁ। ସବୁବେଳେ ସରକାରଙ୍କ ପାଖରେ ଦାବୀ ପହଞ୍ତୁଥିବ । ମଝିରେ ମଝିରେ ଆନ୍ଦୋଳନ କରି ସରକାରଙ୍କୁ ଆଲୋଚନା ପାଇଁ ବାଧ୍ଯ କରାଯିବ। କେବଳ ସଂଘଠନରେ ଏକତା ଆବଶ୍ଯକ। ସବୁ ସଂଗଠନରେ ବିଦ୍ରୋହୀ ଗୋଷ୍ଠୀ ଥାଆନ୍ତି। କୌଣସି ନେତ୍ରୁତ୍ଵ ସମୟରେ କିଛି ଦାବୀ ହାସଲ ହେଇଯାଉ ତାହା ବିପକ୍ଷ ନେତ୍ରୁତ୍ଵ ଚାହାନ୍ତି ନାହିଁ। ତେଣୁ ବେଳେବେଳେ ଦାବୀ ହାସଲରେ ଏହା ପ୍ରତିବନ୍ଧକ ହେଇପାରେ। ଛୋଟ ଛୋଟ କାର୍ଯ୍ୟାଳୟରେ ୩୦-୪୦ କର୍ମଚାରୀଙ୍କୁ ନେଇ ନେତ୍ରୁତ୍ଵ ନେବା ଯେତିକି କଷ୍ଟକର, ସାରା ରାଜ୍ଯର ସବୁ କର୍ମଚାରୀ ସଂଗଠନ ର ନେତ୍ରୁତ୍ଵ ନେବା ସେତେ ଚ୍ୟାଲେଞ୍ଜ ମୂଳକ। ଏହା ସମସ୍ତେ ବୁଝିବା ଉଚିତ୍। 
ତେଣୁ ଏହି ଆଲେଖ୍ୟର ଆରମ୍ଭରୁ ଲେଖିଥିବା ପାନ ଦୋକାନ ଖଟି ବିଶାରଦ ମାନେ ଦୟାକରି ଉଭୟ ସରକାର ଏବଂ  ସଂଘ ନେତୃତ୍ବକୁ ବିଶ୍ବାସକୁ ଆଣନ୍ତୁ ଏବଂ ସହଯୋଗ କରନ୍ତୁ। ଉଭୟ ଚୁକ୍ତି ଭିତ୍ତିକ ପ୍ରଥା ଏବଂ ନୂତନ ପେନସନ ନିୟମ ଉଚ୍ଛେଦ ହେଉ। ଏହା ସମଗ୍ର ଓଡିଶା ରାଜ୍ଯ ସରକାରୀ କର୍ମଚାରୀ ମାନଙ୍କ ଇଚ୍ଛା। 

ଅପେକ୍ଷା, ସରକାରୀ ନିଷ୍ପତ୍ତି କୁ। 

1 comment:

Prabhupada said...

ସାର! ଅତି ସୁନ୍ଦର ଆଲୋଚନା ଓ ତଥ୍ୟ ଭିତିକ ବିବରଣୀ.