Saturday 8 May 2021

Success story of Para Badminton star Deep Ranjan Bisoyee (ASO) :

Deep Ranjan Bisoyee at present working as Assistant Section Officer in Finance Department, Govt of Odisha has established a unique identity in the field of Badminton.

Today his success story is published in daily newspaper "Sambad". On behalf of OSS Cadre, we wish his future more successful. 

Courtesy : Sambad Dt. 08.05.2021


ବିଜୟ ପଥର ନାୟକ ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ ତାରକା ଦୀପ ରଞ୍ଜନ

ପ୍ରତିକୂଳ ପରିସ୍ଥିତି ରୋକିପାରିନି ଅଭିଯାନ


ରାଉରକେଲା, (ଦେବବ୍ରତ ଗଡ଼ତିଆ): ଜନ୍ମରୁ ଦିବ୍ୟାଙ୍ଗ। ଉଭୟ ଗୋଡ଼‌ର ପାଦ ସ୍ବାଭାବିକ୍‌ ନଥିଲା। ଅର୍ଥାଭାବ ମଧ୍ୟରେ ଦିନ ବିତୁଥିବା ବେଳେ ହଠାତ୍‌ ବାପାଙ୍କ ଦେହାନ୍ତ ସବୁକିଛି ଉଜାଡ଼ି ଦେଲା। ପରିବାର ଭରଣପୋଷଣ ଦାୟିତ୍ବ ତାଙ୍କ ମୁଣ୍ଡ ଉପରେ ଆସିବାରୁ କଲେଜ ଛାତ୍ର ସମୟରୁ ଟ୍ୟୁସନ ପଢ଼ାଇବା ଆରମ୍ଭ କଲେ। ନିଜେ ପାଠରେ ବ୍ରତୀ ରହି ସରକାରୀ ଚାକିରି ପାଇଲେ। ଚିରାଚରିତ ଚାକିରି ଜୀବନ ଅତିବାହିତ ନକରି ପ୍ରତିଯୋଗିତାମୂଳକ ଦିବ୍ୟାଙ୍ଗ ବ୍ୟାଡମିଣ୍ଟନ୍‌ କ୍ଷେତ୍ରରେ ନାଁ କରିବାର ଇଚ୍ଛା ଜାଗ୍ରତ ହେଲା। ଦିନରାତି ପରିଶ୍ରମ କଲେ, ଫଳସ୍ବରୂପ ସେ ଆଜି ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ବ୍ୟାଡମିଣ୍ଟନ ଖେଳାଳି ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଏହା ଅଶି ଦଶକର କୌଣସି ହିନ୍ଦୀ ସିନେମାର କାହାଣୀ ନୁହେଁ, ବରଂ ଦୃଢ଼ ଇଚ୍ଛା ଶକ୍ତି ଓ ଯାବତୀୟ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସ୍ଥାନୀୟ ଫର୍ଟିଲାଇଜରର ଏସ୍‌ଏଲ୍‌ ୪ (ଷ୍ଟାଣ୍ଡିଂ ଲୋଅର୍‌-୪) ବର୍ଗର ଦିବ୍ୟାଙ୍ଗ ବ୍ୟାଡମିଣ୍ଟନ୍‌ ଖେଳାଳି ଦୀପ ରଞ୍ଜନ ବିଶୋୟୀ।

ଦୀପ ରଞ୍ଜନଙ୍କ ପରିବାର କହିଲେ ବାପା ରାମଚନ୍ଦ୍ର ବିଶୋୟୀ, ମା’ ସାରଳା ରାଣୀ ଓ ସାନ ଭାଇ ରଶ୍ମି ରଞ୍ଜନ। ବାପା ଆର୍‌ଏସ୍‌ପିରେ ଏକ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟରତ ଥିଲେ। ଦୀପ ରଞ୍ଜନ ଆଜନ୍ମ ଦିବ୍ୟାଙ୍ଗ ଥିବା ବେଳେ ସଫଳ ଅସ୍ତ୍ରୋପଚାର ପାଇଁ ପାଖରେ ଅର୍ଥର ଅଭାବ ଥିଲା। ଦୀପ ରଞ୍ଜନଙ୍କୁ ପ୍ରାୟ ଏକ ବର୍ଷ ବେଳକୁ କଷ୍ଟେମଷ୍ଟେ ଅର୍ଥ ଯୋଗାଡ଼ କରି ଅସ୍ତ୍ରୋପଚାର କରାଯାଇଥିଲା; ମାତ୍ର ତାହା ସଂପୂର୍ଣ୍ଣ ସଫଳ ହେଲାନି। ଦିନ ଗଡ଼ିଚାଲିଲା, ଅପରପକ୍ଷରେ ଅର୍ଥାଭାବ ଲାଗି ରହିଥିଲା। ୨୦୦୪ ମସିହାରେ ଦୀପ ରଞ୍ଜନ ଯୁକ୍ତ ୩ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ର ଥିବା ସମୟରେ ବାପାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ପରିବାର ବୋଝ ତାଙ୍କ ମୁଣ୍ଡରେ ପଡ଼ିବାରୁ ସେ ଟ୍ୟୁସନ କରି ପରିବାର ଭରଣପୋଷଣ କଲେ। ଯଦିଓ ଡାକ୍ତର ହେବାର ସପ୍ନ ଥିଲା, ମାତ୍ର ଅର୍ଥାଭାବ ପ୍ରସ୍ତୁତିରେ ବାଧକ ସାଜିଥିଲା। ଏଣୁ ଡାକ୍ତର ହେବାର ସ୍ବପ୍ନକୁ ଭୁଲି ସ୍ନାତକ ପରେ ୨୦୦୬ ମସିହାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ରେ ସେଲ୍‌ସ ବିଭାଗରେ ଯୋଗଦେଇଥିଲେ। ପ୍ରାୟ ୬ ବର୍ଷ ଧରି ଏକାଧିକ ବେସରକାରୀ ଚାକିରି‌ କରି ରୋଜଗାରରେ ପରିବାର ପାଳିଥିଲେ। ଏହି ସମୟରେ ସେ ପ୍ରତିଦ୍ବନ୍ଦିତାମୂଳକ ପରୀକ୍ଷା ପାଇଁ ବି ନିଜକୁ ପ୍ରସ୍ତୁତ ମଧ୍ୟ କରୁଥିଲେ। ୨୦୧୨ ମସିହାରେ ସେ ବ୍ୟାଙ୍କ୍‌ ଅଫ୍‌ ବରୋଦାରେ ନିଯୁକ୍ତି ପାଇ ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା କଚାରୁ ଶାଖାରେ ଯୋଗଦେଇଥିଲେ। ତେ‌ବେ ମାତ୍ର ୩ ମାସ ପରେ ଅନୁଗୁଳ କଣ୍ଟିଆପୋଷିକୁ ତାଙ୍କର ବଦଳି ହୋଇଥିଲା। ଯଦିଓ ସେ ଛୋଟବେଳେ ଫୁଟ୍‌ବଲ, କ୍ରିକେଟ, ବ୍ୟାଡମିଣ୍ଟ୍‌ନ ଖେଳୁଥିଲେ, ମାତ୍ର ବିଶେଷ ରୁଚି ନଥିଲା।

ଅନୁଗୁଳରେ ରହଣୀ ସମୟରେ ସମୟ ଅତିବାହିତ କରିବାକୁ ବ୍ୟାଡମିଣ୍ଟ୍‌ନ ଖେଳୁଥିବା ବେଳେ ଦିବ୍ୟାଙ୍ଗ ବ୍ୟାଡମିଣ୍ଟ୍‌ନ ଜଗତରେ ସୁନାମ ଅର୍ଜନ କରିଥିବା ଓଡ଼ିଆ ଖେଳାଳି ଅମରେନ୍ଦ୍ର ବେହେରା, ଶିବ ପ୍ରସାଦ ଦାସ ଓ ପ୍ରମୋଦ ଭଗତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି ତିନି ମହାନ ବ୍ୟକ୍ତିତ୍ବଙ୍କଠାରୁ ପ୍ରେରଣା ପାଇ ବ୍ୟାଡ୍‌ମିଣ୍ଟନ୍‌ ଖେଳିବାକୁ ମନସ୍ଥ କରିଥିଲେ। ତେବେ ଅନୁଗୁଳରେ ସେଭଳି ସୁଯୋଗ ମିଳିନଥିଲା। ୨୦୧୪ ମସିହାରେ କଟକ ମୁଖ୍ୟ ଶାଖାକୁ ବଦଳି ହୋଇଥିଲା। ୱାଇଏମ୍‌ସିଏ(କଟକ) ସ୍ଥିତ ସିମେଣ୍ଟ୍‌ କୋର୍ଟରେ ସେ ଅଭ୍ୟାସ କରିବା ଆରମ୍ଭ କରିଥିଲେ। ତେବେ ସେତେବେଳ ପର୍ଯ୍ୟନ୍ତ ତାଙ୍କର ପେସାଦାର ପ୍ରଶିକ୍ଷକ ଆରମ୍ଭ ହୋଇନଥିଲା। ୨୦୧୬ ମସିହାରେ ଭୁବନେଶ୍ବରକୁ ସ୍ଥାନାନ୍ତର ହେବାପରେ ଚିନ୍ତାମଣୀଶ୍ବର ସ୍ଥିତ ଏକ ବ୍ୟକ୍ତିଗତ ବ୍ୟାଡମିଣ୍ଟ୍‌ନ କୋର୍ଟରେ ଅଭ୍ୟାସ କରିଥିଲେ। ଏହାଥିଲା ତାଙ୍କର ପ୍ରଥମ ତଥା ବିଧିବଦ୍ଧ ଇନ୍‌ଡୋର୍‌ ଅଭ୍ୟାସ। ୨୦୧୬ ଡିସେମ୍ବର ଶେଷ ଆଡ଼କୁ ସେ ସଚିବାଳୟର ଅର୍ଥ ବିଭାଗରେ ସରକାରୀ ନିଯୁକ୍ତି ପାଇବାପରେ ଅଭ୍ୟାସ ପାଇଁ ଅଧିକ ସମୟ ଦେଇଥିଲେ। ଦୀପ ରଞ୍ଜନ ସଂପ୍ରତି ଉଡାନ୍‌ ବ୍ୟାଡମିଣ୍ଟ୍‌ନ ଏକାଡେମୀରେ ଅଭ୍ୟାସ କରୁଛନ୍ତି। ୨୦୧୬ ପର୍ଯ୍ୟନ୍ତ ସେ କେବେହେଲେ ପଞ୍ଜିକୃତ ଜାତୀୟ ପ୍ରତିଯୋଗିତାରେ ଭାଗନେଇଥିଲେ। ଏମିତିକି କେବେହେଲେ ଇନ୍‌ଡୋର ପ୍ରତିଯୋଗିତାରେ ବି ଅଂଶଗ୍ରହଣ କରିନଥିଲେ।

୨୦୧୭ ମସିହାରେ ଜାତୀୟ ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଭାଗନେବାର ସୌଭାଗ୍ୟ ଜୁଟିଥିଲା‌। ପାରାଲିମ୍ପିକ କମିଟି ଅଫ୍‌ ଇଣ୍ଡିଆ (ପିସିଆଇ) ଆୟୋଜିତ ଜାତୀୟ ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଯୁଗଳରେ କାଂସ୍ୟ ପଦକ ହାସଲ କରିଥିଲେ। ଉକ୍ତବର୍ଷ ବ୍ୟାଡ୍‌ମିଣ୍ଟନ୍‌ ଆସୋସିଏସନ ଅଫ୍‌ ଇଣ୍ଡିଆ(ବାଇ) ପକ୍ଷରୁ ହାଇଦ୍ରାବାଦରେ ଆୟୋଜିତ ଜାତୀୟ ରୢାଙ୍କିଂ ପ୍ରତିଯୋଗିତାରେ ଯୁଗଳରେ ସ୍ବର୍ଣ୍ଣ ପଦକ ଓ ଏକକ ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ। ଗୋଟିଏ ବର୍ଷରେ ଦୁଇଟି ଜାତୀୟ ପ୍ରତିଯୋଗିତାରେ ଉତ୍କୃଷ୍ଟମାନର ପ୍ରଦର୍ଶନ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଆଣିଦେଇଥିଲା। ଉକ୍ତ ବର୍ଷ ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଥାଇଲାଣ୍ଡ୍‌ ଓପନ ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଭାଗନେଇଥିଲେ; ମାତ୍ର ସେଠାରେ ତାଙ୍କୁ ସଫଳତା ମିଳିପାରିନଥିଲା। ଏହାପରେ ସେ ୨୦୧୮-୧୯ ମସିହାରେ ଆହତଜନିତ ସମସ୍ୟା ଯୋଗୁଁ ଏକାଧିକ ପ୍ରତିଯୋଗିତାରେ ଭାଗନେଇପାରିନଥିଲେ। ତେବେ ଯେଉଁ କେତୋଟି ଜାତୀୟ, ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେଇଥିଲେ ସେଥିରେ ଆକାଂକ୍ଷିତ ସଫଳତା ମିଳିପାରିନଥିଲା। ବାରମ୍ବାର ଆହତ ହେବାସତ୍ତ୍ବେ ସେ ବ୍ୟାଡ୍‌ମିଣ୍ଟନ କୋର୍ଟ ଛାଡ଼ିନଥିଲେ। ଘଣ୍ଟାଘଣ୍ଟା ଧରି ଅଭ୍ୟାସ, ବ୍ୟାୟାମ କରି ନିଜକୁ ଫିଟ୍‌ କରିଥିଲେ। ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ଦୁବାଇ ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ ଇଣ୍ଟରନ୍ୟାସନାଲରେ ଯୁଗଳ ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ। ଏକକ ବର୍ଗରେ ମଧ୍ୟ ସେ ଉନ୍ନତ ପ୍ରଦର୍ଶନ କରିଥିଲେ, ମାତ୍ର କ୍ବାର୍ଟର ଫାଇନାଲରେ ବିଶ୍ବର ନଂ ୧ ଖେଳାଳି ଲୁକାସ୍‌ ମଜୁରଙ୍କଠାରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ଦୁଃଖଦ ବିଦାୟ ନେଇଥିଲେ। ଦୁବାଇ ସଫଳତା ପରେ ଦୀପ ରଞ୍ଜନ ଦେଶରେ ସୁଖ୍ୟାତି ଅର୍ଜିଥିଲେ। ସଂପ୍ରତି ଦୀପ ରଞ୍ଜନ ବିଶ୍ବ ମାନ୍ୟତା ଏକକରେ ୩୩ ଓ ଯୁଗଳରେ ୨୬ ଏବଂ ଭାରତ ମାନ୍ୟତା ଏକକରେ ୮ ଓ ଯୁଗଳରେ ୬ଷ୍ଠ ସ୍ଥାନରେ ଅଛନ୍ତି। ଭବି‌ଷ୍ୟତରେ ଏସ୍‌ଏଲ୪ ବର୍ଗରେ ବିଶ୍ବ ବିଜେତା ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଦୀପ ରଞ୍ଜନ।

--------

ବିଶ୍ବର ଏକ ନମ୍ବର ଖେଳାଳି ହେବାର ସ୍ବପ୍ନ ରହିଛି
‘ବ୍ୟାଡ୍‌ମିଣ୍ଟନ୍‌ ହେଉଛି ଏକ ବ୍ୟୟବହୁଳ କ୍ରୀଡ଼ା। ଗୋଟିଏ ହଳ ସ୍ବତନ୍ତ୍ର ଜୋତାର ଦାମ୍‌ ୧୦ ହଜାର ଟଙ୍କା ହୋଇଥିବା ବେଳେ ଗୋଟିଏ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେବାକୁ ହେଲେ ପ୍ରାୟ ୨ ଲକ୍ଷ ଟଙ୍କା ବ୍ୟୟ କରିବାକୁ ପଡ଼ୁଛି। ନିଜସ୍ବ ଦରମାରୁ ଏତେ ପରିମାଣ ବ୍ୟୟ କରିବା ଅସମ୍ଭବ। ତଥାପି କଷ୍ଟେମଷ୍ଟେ ଅର୍ଥ ଯୋଗାଡ଼ କରି ଏ କ୍ଷେତ୍ରରେ ବ୍ୟୟ କରୁଛି। ଯଦ୍ବାରା ସଞ୍ଚୟ ବି ହୋଇପାରୁନି କିମ୍ବା ଯେଉଁ ମାନର ଅଭ୍ୟାସ ହେବାକଥା ହୋଇପାରୁନି। ଜାତୀୟ, ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ଓ ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ଛୁଟି ବି ମିଳୁନି; ଫଳରେ ଅଭ୍ୟାସରେ ସଂପୂର୍ଣ୍ଣ ମନୋନିବେଶ କରିହେଉନି। ଏ ଦିଗରେ ସରକାରୀ ସହାୟତା ମିଳିଲେ, ଅଧିକରୁ ଅଧିକ ଉପକୃତ ହୋଇପାରନ୍ତି। ତେବେ କେବେ ବି ଏସବୁ ସମସ୍ୟା ବାଟ ଓଗାଳିପାରିନି। ବିଶ୍ବର ନମ୍ବର ୧ ଖେଳାଳି ହେବାକୁ ଯେଉଁ ସ୍ବପ୍ନ ଦେଖିଛି, ତାକୁ ପୂରଣ କରିବାକୁ ମୁଁ ନିଷ୍ଠାପର ଭାବେ ପ୍ରୟାସ ଜାରି ରଖିଛି।’


No comments: