ରାଜ୍ୟ ସଚିବାଳୟ ରୁ ଆରମ୍ଭ ହୋଇଛି ପ୍ରଶାସନିକ ସଂସ୍କାର । ଅନେକ ସମୟରେ ମନକୁ ଆସୁଥିବା ପରିକଳ୍ପନା ସବୁ ବର୍ତ୍ତମାନର ସରକାର ବାସ୍ତବରେ ରୂପାୟନ କରୁଛନ୍ତି। ସରକାରୀ କର୍ମଚାରୀ ଏବଂ ସାଧାରଣ ଜନତା ଉଭୟ ପରିପୂରକ। ଜଣେ ସେବା ଦେବ ଓ ଆଉଜଣେ ସେବା ପାଇବ। ଏଥିପାଇଁ ମଝିରେ ଅଛି ସରକାରୀ ବ୍ୟବସ୍ଥା ତଥା ନିୟମ କାନୁନ। ଅନେକ ସମୟରେ ସେବା ପାଇବାରେ ବିଳମ୍ବ / ବିଫଳ ହେଲେ ସାଧାରଣ ଜନତା ରାଗିଯାଇ ସରକାରୀ କର୍ମଚାରୀ କୁ ଗାଳି କରେ, ହାତ ଉଠାଏ କିମ୍ବା ଉପରିସ୍ଥ ଅଧିକାରୀଙ୍କୁ ଫେରାଦ ହୁଏ। ବେଳେ ବେଳେ ଲାଞ୍ଚ ନଦେଲେ କାମ ହୁଏନି ବୋଲି ଧାରଣା ସ୍ରୁଷ୍ଟି ହୁଏ। କିନ୍ତୁ ଏ ସବୁ ଭିତରେ ସଚ୍ଚୋଟ କର୍ମଚାରୀ ଜଣକୁ ବ୍ୟବସ୍ଥା ତଥା O.C.S (CCA) Rulesର କଟକଣା ଭିତରେ ରହିବାକୁ ପଡେ। ସମୟ କ୍ରମେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଶାସନ ବ୍ୟବସ୍ଥା ର ଉଚ୍ଚ ପଦାଧିକାରୀ ଏହାକୁ ହ୍ରୁଦୟଙ୍ଗମ କରିଛନ୍ତି। ବିଗତ ଛଅ ମାସ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି। ନିମ୍ନରେ ଏକ ସାଧାରଣ ଉଦାହରଣ ରୁ ଜାଣିହେବ।
ତହସିଲ ସେବା -
ସାଧାରଣତଃ କଟକ ଭୁବନେଶ୍ୱର ରେ ରହି ପାଠ ପଢୁଥିବା ପିଲାଟି resident / income / caste certificate ପାଇଁ ଗାଁକୁ ନ ଯାଇ ବାପାଙ୍କୁ ଜଣାଏ। ବାପା ମଧ୍ୟ ଅଯଥା ତହସିଲ ନ ଦୌଡ଼ି, ସ୍ଥାନୀୟ ଓକିଲ କୁ ୩୦୦-୪୦୦ ଟଙ୍କା ଦେଇ ଘରେ ବସୁଥିଲେ। ଏଥିପାଇଁ କିନ୍ତୁ ସରକାରୀ users fee ମାତ୍ର ୩୦ - ୫୦ ଟଙ୍କା ଥାଏ। ୟେ ଥିଲା ସାଧାରଣ ଜନତା ର ସମସ୍ୟା। ତହସିଲ ରେ କିନ୍ତୁ ଏହି କାର୍ଯ୍ୟ କରୁଥିବା କର୍ମଚାରୀ ଜଣକ ହଇରାଣ ହୁଏ। କେତେବେଳେ ଜନତା, କେତେବେଳେ ଓକିଲ ଆଉ କେତେବେଳେ ତହସିଲଦାରଙ୍କ କ୍ରୋଧର ଶୀକାର ହୁଏ। ସଂଧ୍ଯା ରେ ପୁଣି ତହସିଲଦାର / ଅତିରିକ୍ତ ତହସିଲଦାରଙ୍କୁ ଏତେ ଗୁଡିଏ ସାର୍ଟିଫିକେଟ ଦସ୍ତଖତ କରିବାକୁ ପଡିବ। ବେଳେବେଳେ ଅତି ଜରୁରୀ ଥିଲେ, ଆବେଦନକାରୀ ତହସିଲ ଅଫିସରୁ RI Office କୁ ନିଜେ ଦୌଡ଼ି କାମ କରାଇବାକୁ ପଡୁଥିଲା।
ସଂସ୍କାର -
ପ୍ରଥମେ ସବୁ ଅଂଚଳରେ ଜନସେବା କେନ୍ଦ୍ର ଖୋଲାଯାଇ ଆବେଦନ ପ୍ରକ୍ରିୟା କୁ ସରଳୀକରଣ କରାଗଲା। ସବୁ ସେବା ପାଇଁ ଅଧିକାରୀ ସ୍ତରରେ ଅବହେଳା ରୋକିବା ପାଇଁ ORTPS ACT 2012 ଅଧୀନରେ ସମୟସୀମା ଧାର୍ଯ୍ୟ କରାଗଲା। କ୍ରମେ ଅଧିକାଂଶ ସେବାଗୁଡିକୁ ଦେୟମୁକ୍ତ କରାଗଲା। ଏବେ କିନ୍ତୁ ଆଉ ଦୁଇପାଦ ଆଗକୁ ଯାଇ 5T ବ୍ୟବସ୍ଥା ରେ ଖୁବ ଅଳ୍ପ ସମୟରେ ସହଜରେ ଏହି ସେବା ମିଳିପାରିବ। ଘରେ ବସି କମ୍ପ୍ୟୁଟରରେ ଆବେଦନ କରି ଡିଜିଟାଲ ସାର୍ଟିଫିକେଟ ମିଳିପାରିବ। ଅଧିକାଂଶରେ କିଛି ସେବା ଉଚ୍ଛେଦ କରି self declaration କୁ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଅଛି। ଇ-ପାଉତି ରେ ଖଜଣା , ଇ-ଗେଜେଟ, ଇ-ସର୍ଭିିସ ବୁକ ଆଦି କ୍ଷେତ୍ରରେ technology ବ୍ଯବହାର କରାଯାଉଛି।
ସେହିପରି RTO Office ରୁ ମିଳୁଥିବା ସେବା ପାଇଁ ଦଲାଲ ବ୍ୟବସ୍ଥା ଉଚ୍ଛେଦ କରି online payment ର ବ୍ୟବସ୍ଥା କରାଯାଇଛି। ଅନ୍ୟ ବିଭାଗ ମଧ୍ୟ ସେମାନଙ୍କ ର ସେବାଗୁଡିକୁ ସରଳୀକୃତ କରିଛନ୍ତି। ପ୍ରତି ମାସର ଦରମା ଏବେ ସେହି ମାସର ଶେଷ ତାରିଖରେ ମିଳୁଛି।
ଉପରୋକ୍ତ ଉଦାହରଣ ସୂଚାଇଦିଏ ଯେ, ସରକାରୀ ବ୍ୟବସ୍ଥା ଏବେ ସଂସ୍କାର ଅଭିମୁଖୀ।
ଆଜି ପୂର୍ବ ପ୍ରଚଳିତ ସରକାରୀ ସୌଧ ସବୁର ନାମ ପରିବର୍ତ୍ତନ କରି ସେବା ଶବ୍ଦ ବ୍ୟବହାର କରାଯାଇଛି। ଦୀର୍ଘ ୬୦ ବର୍ଷ ପରେ ରଜ୍ୟ ସଚିବାଳୟ ର ନାମ ଲୋକସେବା ଭବନ ହୋଇଛି। ପୋଲିସ କମିସନରେଟ ଅଫିସ କୁ ପୋଲିସ ସେବା ଭବନ କୁହାଯିବ। ପୁରୀ ରେ ଥିବା ସମସ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ କୁ ଗୋଟିଏ ଛାତ ତଳେ ରଖି ଉକ୍ତ କାର୍ଯ୍ୟାଳୟ ର ନାମ ଲୋକସେବା ଭବନ, ପୁରୀ ରଖାଯିବ। ବିଭାଗୀୟ ମୁଖ୍ଯ ଦପ୍ତର ଗୁଡିକୁ ସଂପ୍ରୁକ୍ତ ବିଭାଗ ସହ ମିଶାଇ ସରକାରୀ ଫାଇଲ କୁ ଗତିଶୀଳ କରାଇବାକୁ ଉଦ୍ୟମ ଚାଲିଛି। ନିକଟରେ, ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଲୋକଙ୍କ ନିକଟତର ହେବାକୁ ଚେ଼ଷ୍ଟା କରୁଛନ୍ତି ।
ଏଣୁ ସମସ୍ତେ ଏବେ ପରିବର୍ତ୍ତନ ଓ ସଂସ୍କାର ପଥରେ।
ହେଲେ ବିଚରା ମଧ୍ୟବିତ୍ତ ଆୟର ସରକାରୀ କର୍ମଚାରୀ ଚାହିଁ ରହିଛି ତାର 5%DA, Revised HRA ଏବଂ 60% arrear କୁ। ସରକାରଙ୍କୁ ଦୁଃଖ ଜଣାଇବାର ମାଧ୍ଯମ, ସମସ୍ତ କର୍ମଚାରୀ ସଂଗଠନ ଏକ ପ୍ରକାର ସ୍ଥାଣୁ ପାଲଟିଗଲେଣି। ସାମାନ୍ୟତମ ଦାବି ଉପସ୍ଥାପନ ମଧ୍ୟ କରୁନାହାନ୍ତି। ଓଡିଶା ସଚିବାଳୟ ସେବା ସଂଘର ପରିସ୍ଥିତି ମଧ୍ୟ ନ କହିବା ଭଲ। ଦୀର୍ଘ ଦିନର ଏ ଅନୁଷ୍ଠାନ ଆଜି ନିଜର ସ୍ଵତ୍ଵ ହରାଇବାକୁ ଯାଉଛି । କୌଣସି ସରକାର ଏକ ସଂଗଠନ କୁ ବିଭାଜିତ କରିବାକୁ ଚେଷ୍ଟା କରେ। ଆମେ କିନ୍ତୁ ଏକଜୁଟ ହୋଇ ନିଜର ଦାବି ହାସଲ ପାଇଁ ଚେ଼ଷ୍ଟା କରିବା ଉଚିତ୍। "ଓସା"ର ଏ ଅବସ୍ଥା ଦେଖି ଅନ୍ୟ କର୍ମଚାରୀ ସଂଗଠନ ମଧ୍ୟ ଭୟରେ ସେମାନଙ୍କ କାର୍ଯ୍ୟକ୍ରମ କୁ ସୀମିତ ରଖୁଛନ୍ତି।
ସରକାରଙ୍କ ପାଖରେ ରହି ସହଯୋଗ କରିବା ଯେମିତି କର୍ତ୍ତବ୍ଯ, ସାଥି କର୍ମଚାରୀଙ୍କ ଭଲମନ୍ଦ କଥା ସରକାରଙ୍କୁ ଜଣାଇବା ମଧ୍ୟ ସଂଗଠନର ଆଉ ଏକ ଦାୟୀତ୍ୱ।