ଚାଲିଯିବାକୁ ଭାରି ଇଚ୍ଛା
ସେଇ ମାଟି ଗନ୍ଧଭରା ଜନ୍ମଭୂମିକୁ
ଲୋଟିଯିବାକୁ ସେଇ କାଦୁଅ ସଲବଲ
ଗାଁ ମୁଣ୍ଡ ଫୁଟ୍ ବଲ ପଡ଼ିଆକୁ
ପୁଣି ଥରେ ରାଗ ଜରଜର ମୁଁହରେ
ବୋଉ ଗାଧେଇ ଦଉ ଦଉ
ଦି ଚାପୁଡ଼ା ଦିଅନ୍ତା ପିଠିରେ. . . .
ସାଇକେଲ ଟା ଧରି ସଞ୍ଜବେଳେ
ଗାଁ ଦାଣ୍ଡରେ ଗଲାବେଳେ
ଗୋପାଳର ଘର ମୁହାଁ ଗୋଗୋଷ୍ଠ ଭିଡରେ
ପୁଣିଥରେ ଧକ୍କା ଲାଗି ପଡି ଯାଆନ୍ତି କି
ଛିଣ୍ଡା ପ୍ୟାଣ୍ଟ ରେ ଖଣ୍ଡିଆ ଆଣ୍ଠୁକୁ ଦେଖି
ରାଗରେ ନିଆଁ ହୋଇ ଗାଳି ଦେଉ ଦେଉ
ପୋକଶୁଙ୍ଗା ପତ୍ର ଲଗେଇ ଦିଅନ୍ତା ବୋଉ . . .
ଡହଡହ ଖରାବେଳଟାରେ
ସନିଆ , କାଳିଆ ସହିତ ମିଶି ଧନୀ ଗୁଡିଆ ବାଡିରେ
ପିଜୁଳି ଚୋରୋଉ ଚୋରୋଉ
ବୁଢ଼ା ହାତରେ ଧରାପଡି ମୁଣ୍ଡପୋତି ଘରକୁ ଯାଆନ୍ତି କି
ହାତରେ ଛାଞ୍ଚୁଣି ମୁଠାଟା ଧରି
ମୁଣ୍ଡରୁ ଗୋଡ଼ ଯାଏଁ ପୂଜା କରୁ କରୁ
କାନ୍ଦି କାନ୍ଦି ତା ଭାଗ୍ୟକୁ ନିନ୍ଦା କରି ବୋଉ
ଏ କୁଳାଙ୍ଗାର କୁ କାହିଁକି ଜନମ ଦେଲି କୁହନ୍ତା କି ? . . .
ଗାଁ ପୋଖରୀର ମାଛଧରା ବେଳ
ହୋଲି , ଦୋଳର ଘୋଡା-ହାତୀ ନାଚ
ମାଣବସା ଗୁରୁବାର ସୁଗନ୍ଧମୟ ମଣ୍ଡାପିଠାର ଆସର
ଗାଁ ସଭାରେ ପଧାନଙ୍କ ନ୍ୟାୟ ଶୁଣାଣୀ
ସବୁ ଯେମିତି ଲାଗୁଛି ନିଆରା
ପୁଣିଥରେ ଚାଲିଯାଆନ୍ତି କି ସମୟ ର ବିପରୀତ ସୁଅରେ
ସେଇ ଗାଁକୁ
ଯେଉଁଠି ଚାଲନ୍ତା ସ୍ନେହ, ପ୍ରେମ, ଦୟା, ଦଣ୍ଡ ଓ ଭୟର ଆସରା
ମୋ ଗାଁଟା ନିଆରା
ମୋ ଗାଁଟି ନିଆରା....
- ଶେଷଦେବ
ସହାୟକ ଉପବିଭାଗ ଅଧିକାରୀ