Thursday 15 April 2021

ସଚିବାଳୟ ସେବା ସଂଘ -୨

ଓଡ଼ିଶା ସଚିବାଳୟ ସେବା କ୍ୟାଡରରେ ଏବେ ସମସ୍ତ ଅଧିକାରୀ ନିଜର ଭବିଷ୍ଯତ ନେଇ ଚିନ୍ତିତ। ଦୀର୍ଘ ୨଼୦ ବ୍ଯବଧାନ ରେ ପ୍ରାୟ ୮୧୦ ଜଣ ନିଯୁକ୍ତି ପାଇବା ପରେ ଆଶା ଥିଲା ନିୟମିତ ଭାବରେ ଏଏସଓ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିବ। ଗତ ୨୦୧୮ ରେ ମଧ୍ଯ ୫୦୦ ପଦବୀ ପୂରଣ କରାଗଲା। ଏସବୁ ପୂର୍ବରୁ ୧୩୯ ଜଣ ଏଏସ୍ଓ ସ୍ପେଶାଲ ଡ୍ରାଇଭ ଚୟନ ପ୍ରକ୍ରିୟା ରେ ନିଯୁକ୍ତି ପାଇଥିଲେ। ମୋଟାମୋଟି ଭାବରେ ୧୫୬୯ ଏଏସ୍ଓ ପଦବୀରୁ ପ୍ରାୟ ୧୩୦୦ ପଦବୀ ପୂରଣ ହୋଇପାରିଛି। 

ଫଳରେ ସଚିବାଳୟର ପ୍ରାଥମିକ ସ୍ତରର କାର୍ଯ୍ୟଭାର ଏହି ଯୁବ ଏଏସ୍ଓ ଙ୍କ ହାତରେ। ଏମାନଙ୍କର କାର୍ଯଦକ୍ଷତା ମଧ୍ଯ ବେଶ ପ୍ରଶଂସନୀୟ। ଅତୀତର କାର୍ଯ୍ୟ କ୍ଷେତ୍ର ରେ ଲାଭ କରିଥିବା ଅଭିଜ୍ଞତା ସଚିବାଳୟର କାର୍ଯ୍ୟ କରିବାରେ ସେମାନଙ୍କୁ ବେଶ ସହାୟକ ହେଉଛି। ଏପରିକି ତତକାଳୀନ ମୁଖ୍ଯ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଏହି ଯୁବ ଏଏସ୍ଓ ଙ୍କ ଉପରେ ଭରସା ରଖି ଫାଇଲ ସିଧାସଳଖ ଉପ ଶାସନ ସଚିବଙ୍କୁ ଦେବାକୁ ପ୍ରସ୍ତାବ ରଖିଥିଲେ। 

ବାସ୍ତବରେ ଆଜି ସଚିବାଳୟର କାର୍ଯ୍ୟ ଶୈଳୀ ସଂପୂର୍ଣ୍ଣ ବଦଳି ସାରିଛି। ପ୍ରଯୁକ୍ତି ବିଦ୍ୟା ର ବହୁଳ ବ୍ୟବହାର ଏ ଯୁବ ଅଧିକାରୀ ଙ୍କୁ ସହାୟକ ହେଉଛି। ଚିଠି ପାଇବା ଠାରୁ ଆରମ୍ଭ କରି ସ୍କାନିଙ୍ଗ କରି ଓସ୍ଵାସ୍ ରେ ଫାଇଲ କାମ କରିବା ଓ ଅନଲାଇନ ରେ ହିଁ ଚିଠି ନମ୍ବର ପକାଇବା ଇତ୍ୟାଦି କାର୍ଯ୍ୟ ଜଣେ ଅଧିକାରୀ କରିପାରୁଛନ୍ତି। ତେଣୁ ରାତି ୮ ଯାଏ ବସିବାର ଆବଶ୍ୟକତା ହିଁ ପଡୁନାହିଁ। ୧୦ ବର୍ଷ ତଳର ଚିରାଚରିତ ଲୋକକଥା (ଦିନ ୧୨ ପରେ ବ୍ଯକ୍ତି ଗତ କାମ ସାରି ଅଫିସ ଆସିବା, ଟେବୁଲରେ ଚଷମା ଥୋଇ ଅନୁପସ୍ଥିତ ରହିବା) ଆଉ ଦେଖିବାକୁ ମିଳୁନାହିଁ। 

କିନ୍ତୁ ବାସ୍ତବରେ କାର୍ଯ୍ୟ ଶୈଳୀ ଏତେ ସହଜ ଥାଇ, ଯୁବ ଏଏସ୍ଓ ଦକ୍ଷ ଥାଇ ମଧ୍ଯ ସେମାନଙ୍କୁ ସଂଧ୍ଯା ୬:୩୦ ପୂର୍ବରୁ ଅଫିସ ଛାଡିବା ସଂଭବ ହେଉନାହିଁ। କାରଣ କାମର ବୋଝ ବଢୁଛି, ସରକାରଙ୍କ ଜନହିତକର ଯୋଜନା ତଥା ପରିଧି ଦିନକୁ ଦିନ ବଢିବାରେ ଲାଗିଛି। କିନ୍ତୁ ଏଏସ୍ଓ ପଦବୀ ଉପରେ ସେକ୍ସନ ଅଫିସର ପଦବୀ ପ୍ରାୟତଃ ୫୦୦ ଖାଲି ଅଛି। ଫଳରେ ନିଜ କାମକୁ ନିଜେ ତନଖି କରି ଉପରିସ୍ଥ ଅଧିକାରୀ ଙ୍କୁ ଦେବାକୁ ପଡୁଛି। କୁହାଯାଏ, ଯିଏ ଯେତେ ବଡ ପଦବୀକୁ ଯାଏ ତାର ଦାୟିତ୍ୱ ସେତେ ବଢିଯାଏ। ମାତ୍ର ଏଠି କେମିତି ଅଲଗା ଅନୁଭବ ହୁଏ। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଉଚ୍ଚ ପଦବୀକୁ ପଦୋନ୍ନତି ପାଇଁ ବେଳେବେଳେ କର୍ମଚାରୀ ମନା କରିଦିଅନ୍ତି। ଏହା କେବଳ ବଦଳି ପାଇଁ ନୁହେଁ ବରଂ କାର୍ଯ୍ୟ ଭାର ତଥା ଦାୟିତ୍ୱ ବଢିଯିବା ଭୟରେ। କିନ୍ତୁ ସଚିବାଳୟର ସଂପୂର୍ଣ୍ଣ କାର୍ଯ୍ୟର ତଦାରଖ ପାଇଁ ସେକ୍ସନ ର ମୁଖିଆ କେହି ନାହାଁନ୍ତି। ଏପରିକି କ୍ୟାଡରର ସର୍ବନିମ୍ନ ପଦବୀରେ ଥିବା ଏଏସ୍ଓ ଜଣକ ଆଜି ଗୋଟିଏ ଦିନ ଛୁଟି ପାଇଁ ସିଧାସଳଖ ଅତିରିକ୍ତ ଶାସନ ସଚିବ ଙ୍କ ଅନୁମତି ଦରକାର କରୁଛି। 

ଦିନକୁ ଦିନ ସେକ୍ସନ ସଂଖ୍ଯା ବଢୁଛି ଆଉ ଜଣେ ଏଏସ୍ଓ କୁ ଦୁଇ ତିନି ସେକ୍ସନ ଦାୟିତ୍ୱ ନେବାକୁ ପଡୁଛି କିନ୍ତୁ ସେକ୍ସନ ଅଫିସର ପଦବୀ ଖାଲି। ସେହିପରି ସମୟର ଆବଶ୍ଯକତା ଦ୍ରୁଷ୍ଟି ରୁ ଡେସ୍କ ଅଫିସର ପଦବୀ  ସ୍ରୁଷ୍ଟି କରାଯାଇଛି ଯାହାକି ବର୍ତ୍ତମାନର ସେକ୍ସନ ଅଫିସର ପଦବୀ କାର୍ଯ୍ୟ ସହ ସମାନ। ତେଣୁ ଏହି ଦୁଇ ପଦବୀ କୁ ଏକାଠି କରି ପ୍ରତି ସେକ୍ସନ ର ମୁଖ୍ଯ ଭାବରେ ଦାୟିତ୍ୱ ଦେବାର ସମୟ ଆସିଛି। ନିକଟରେ ସେକ୍ସନ ଅଫିସର ପଦବୀ କୁ ପଦୋନ୍ନତି ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲେ ମଧ୍ଯ ମାନ୍ୟବର ନ୍ୟାୟାଳୟ ଙ୍କ ରହିତାଦେଶ ଏଥିରେ ଅନ୍ତରାୟ ସ୍ରୁଷ୍ଟି କରିଛି। ଆଗାମୀ ବର୍ଷ ନୂତନ ଏଏସ୍ଓ ନିଯୁକ୍ତି ରେ ମଧ୍ଯ ଏହା ବାଧକ ସାଜିଛି। 

ଅପର ପକ୍ଷରେ ପ୍ରତି ମାସରେ ପ୍ରାୟ ୧୫-୨୦ ଅଧିକାରୀ ସରକାରୀ ଚାକିରୀରୁ ଅବସର ନେଉଛନ୍ତି। ଯାହାକି କ୍ୟାଡର ପାଇଁ ବିପଦ ତଥା ଭୟଙ୍କର ପରିସ୍ଥିତି ସ୍ରୁଷ୍ଟି କରିବାକୁ ଯାଉଛି। ଇତି ପୂର୍ବରୁ ସରକାର ସଚିବାଳୟର ସେବା ବର୍ଗରେ ନିଯୁକ୍ତି ନେଇ ଏକ ସଂଶୋଧନ କରିଛନ୍ତି। ଫଳରେ ସରକାର ପ୍ରତି ବର୍ଷ ଏଏସ୍ଓ ନିଯୁକ୍ତି ପାଇଁ ବାଧ୍ଯ ନୁହଁନ୍ତି। ଏହା ମଧ୍ଯ ଆଉ ଏକ ସମସ୍ୟା। 

ଠିକ୍ ସେହିପରି ବିଭାଗୀୟ ମୁଖ୍ଯ ଦପ୍ତରରେ କନିଷ୍ଠ ସହାୟକ ପଦବୀର ନିଯୁକ୍ତି କୁ ସ୍ଥଗିତ ରଖାଯାଇ ସେଠାରେ ଏଏସ୍ଓ ପଦବୀ ରଖାଯାଇଛି। କିନ୍ତୁ ଦିନକୁ ଦିନ ସେଠାରେ କର୍ମଚାରୀ ଅବସର ନେଉଛନ୍ତି ଏବଂ ନିଯୁକ୍ତି ପ୍ରକିୟା ସ୍ଥଗିତ ରହିଛି। କିଛି ଦିନ ପରେ ସେଠାରେ ମଧ୍ଯ କର୍ମଚାରୀ ଅଭାବ ଭୟଙ୍କର ରୂପ ନେବାକୁ ଯାଉଛି। 

ଏ ପରିପ୍ରେକ୍ଷୀରେ, ଯାହା ସୂଚନା ମିଳେ, ସରକାର ଉଭୟ ସଚିବାଳୟ ତଥା ବିଭାଗୀୟ ମୁଖ୍ଯ ଦପ୍ତର ପାଇଁ ଏକ ସାଧାରଣ ବର୍ଗ ( Common Cadre) ତିଆରି କରି ପାରନ୍ତି। ସଚିବାଳୟ ସହିତ ବିଭାଗୀୟ ମୁଖ୍ଯ ଦପ୍ତର କୁ ମିଶାଇବାର  ପ୍ରକ୍ରିୟା କୁ ମଧ୍ଯ ତ୍ୱରାନ୍ୱିତ କରିପାରନ୍ତି। 

କ୍ରମଶଃ...

No comments: