Friday 8 April 2022

ସଚିବାଳୟ ସେବା ସଂଘ ନିର୍ବାଚନ ୨୦୨୨ : ନୂତନ ଆଶା ଓ ସମ୍ଭାବନା

ରାଜ୍ଯ ସଚିବାଳୟ ସେବା ବର୍ଗ (OSS) ରାଜ୍ୟ ସଚିବାଳୟର ଏକ ପ୍ରମୁଖ କ୍ୟାଡର । ଆସିଷ୍ଟାଣ୍ଟ୍ ସେକ୍ସନ ଅଫିସର (ASO) ଠାରୁ ଆରମ୍ଭ କରି ଅତିରିକ୍ତ ଶାସନ ସଚିବ (Addl. Secretary) ପର୍ୟ୍ଯନ୍ତ ପଦବୀରେ ଥିବା ଏହି ଅଧିକାରୀ ସବୁ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଗାମୀ ଦିନରେ ଓସାର ଦାୟୀତ୍ୱ ନେବାକୁ ଥିବା ପଦାଧିକାରୀ ମାନଙ୍କ ଠାରୁ ଜଣେ ସାଧାରଣ ସଭ୍ଯ ଅନେକ କିଛି ଆଶା ରଖେ। ବିଭିନ୍ନ ପ୍ରାର୍ଥୀ କିଛି କିଛି ନିର୍ବାଚନ ପ୍ରତିଶ୍ରୁତି ଛାପିଛନ୍ତି। ହୁଏତ ସେଗୁଡ଼ିକ ପାରମ୍ପରିକ ଢାଞ୍ଚାରେ ଚାଲିଛି। କିନ୍ତୁ ବାସ୍ତବିକ ସମସ୍ୟା ଆଉକିଛି। ଆସନ୍ତୁ ଆଲୋଚନା କରିବା। 

କ୍ୟାଡର : 
ମୋଟ ୨୯୯୬ ପଦବୀ ସ୍ଥାନରେ ମାତ୍ର ୨୦୦୦ ଅଧିକାରୀ ଅଛନ୍ତି। ଅନ୍ୟ ପକ୍ଷରେ ଦୀର୍ଘ ୨୦ ବର୍ଷ ଧରି ନିଯୁକ୍ତି ବନ୍ଦ ଥିବାରୁ ଆସନ୍ତା ୨୦୨୪ ତଥା ୨୦୩୫ ମସିହାରେ ଅବସର ଜନିତ ଏକ ବିରାଟ ଶୂନ୍ଯସ୍ଥାନ ସ୍ରୁଷ୍ଟି ହେବ। ପଦୋନ୍ନତି ପାଇ ଅନୁଶାସନ ସଚିବ ସ୍ତରକୁ ଯିବା ପରେ ଫାଇଲ କାମ ପାଇଁ ଅଧିକାରୀ ନାହାଁନ୍ତି। ସେହିପରି ପଦବୀ ସମାନୁପାତିକ ବ୍ୟତିକ୍ରମ ଯୋଗୁଁ ଅନେକ ଅଧିକାରୀ ୨୦-୨୫ ବର୍ଷ ଧରି ପଦୋନ୍ନତି ପାଇନାହାଁନ୍ତି। ଅବସର ବେଳକୁ ଡେସ୍କ ଅଫିସର କିମ୍ବା ଅନୁଶାସନ ସଚିବ ରେ ହିଁ ସନ୍ତୁଷ୍ଟ ହେବାକୁ ପଡୁଛି। 

ସଚିବାଳୟରେ ଅନୁଶାସନ ସଚିବ ଠାରୁ ଆରମ୍ଭ କରି ଉଚ୍ଚ ପଦବୀରେ ଅନ୍ୟ କ୍ୟାଡରର ଅଧିକାରୀ ମଧ୍ଯ ଅଛନ୍ତି। କିନ୍ତୁ ସମସ୍ତଙ୍କୁ ଯେପରି ସୁବିଧା ସୁଯୋଗ ମିଳୁଛି, ଓଏସଏସ କ୍ୟାଡର ଅଧିକାରୀ କେଉଁଠି ନା କେଉଁଠି ଅବହେଳିତ ହେଉଛନ୍ତି। କ୍ଷେତ୍ରୀୟ କାର୍ଯ୍ୟାଳୟର ସହାୟକ ପଦବୀରୁ ଜଣେ ORS ପାଇପାରୁଛି ଏବଂ ୪-୫ ବର୍ଷ ମଧ୍ୟରେ OAS କ୍ୟାଡର କୁ ପ୍ରବେଶ କରିପାରୁଛନ୍ତି। କହିବାର ଉଦ୍ଦେଶ୍ଯ, ରାଜ୍ୟ ପ୍ରଶାସନ ର ମସ୍ତିଷ୍କ କୁହାଯାଉଥିବା ଏହି ସଚିବାଳୟର ମୂଳ ଅଧିକାରୀଗଣ ଯଦି ଚାକିରୀ କାଳ ମଧ୍ୟରେ ଭଲ ପଦୋନ୍ନତି, ଭଲ ଦରମା, ଭଲ ପରିବେଶ, ଭଲ ସମ୍ଭାବନା ଦେଖି ନପାରିବେ ତେବେ ଦୁଃଖ ନିଶ୍ଚିତ। ଏ କ୍ଷେତ୍ରରେ ସଚିବାଳୟ ସେବା ସଂଘ ତରଫରୁ ଅନେକ ଥର  Cadre Review ପାଇଁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଆନ୍ତରିକତା ସହିତ କିଛି ବିଜ୍ଞ ଓ ଅଭିଜ୍ଞ ଅଧିକାରୀଙ୍କ ପରାମର୍ଶ ରେ ସମଗ୍ର କ୍ୟାଡର କୁ ସୁହାଇଲା ଭଳି ଏକ ସୁନ୍ଦର ପ୍ରସ୍ତାବ ସରକାର ନିକଟରେ ଉପସ୍ଥାପନ କରାଯିବାର ଆବଶ୍ଯକତା ଅଛି। 

ଦାବୀ : 
  • ପ୍ରାରମ୍ଭିକ ଏଏସଓ ପଦବୀର ନାମକରଣ କେବଳ ସଚିବାଳୟ ରେ ରହୁ ନଚେତ ସଚିବାଳୟ ପାଇଁ ସ୍ୱତନ୍ତ୍ର ନାମକରଣ କରଯାଉ। କାରଣ, ବେଳେବେଳେ ଦେଖାଯାଏ, ଖବର କାଗଜରେ ଲେଖାଥାଏ "ଲାଞ୍ଚ ନେଇ ଏଏସ୍ଓ ଭିଜିଲାନ୍ସ ଦ୍ୱାରା ଗିରଫ"। କିନ୍ତୁ ଏହା ସଚିବାଳୟ ଏଏସ୍ଓ ନୁହେଁ ବରଂ  HOD  କିମ୍ବା ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ। 
  • ଏଏସଓ ଗ୍ରୁପ-ବି ଅଣ ଗେଜେଟେଡ ନହୋଇ ଆରମ୍ଭରୁ ୪୬୦୦ ଗ୍ରେଡ ପେ ଅର୍ଥାତ୍ Level-10 ହେଉ। ଫଳରେ ଅଫିସର ଶବ୍ଦର ମର୍ଯ୍ୟାଦା ରହିବ। 
  • ଓଡିଶା ସିଭିଲ ସର୍ଭିସ ପରୀକ୍ଷା ମାଧ୍ୟମରେ ଏଏସଓ ପଦବୀ ପ୍ରତିବର୍ଷ ନିଯୁକ୍ତି କରାଯାଉ। 
  • ସବୁ କ୍ୟାଡରରୁ Induction ଦ୍ୱାରା ଅନ୍ୟ କ୍ୟାଡର କୁ ଯିବାର ବ୍ୟବସ୍ଥା ଥିବାବେଳେ OSS  କ୍ୟାଡର ରେ ସେ ସୁବିଧା ନାହିଁ। ବରଂ ଏହି କ୍ୟାଡର କୁ ଅନ୍ୟ ମାନେ ଆସୁଛନ୍ତି। ଏଥିରେ ମଧ୍ଯ ORS /OT&AS ଭଳି ୬ ବର୍ଷ ପରେ  OAS/OFS ପଦବୀ କୁ ପଦୋନ୍ନତି ମିଳିବାର ସୁଯୋଗ ରହୁ। 

ଦରମା ଓ ଅନ୍ୟ ଆର୍ଥିକ ସୁବିଧା :
ଯଦିଓ ରାଜ୍ଯ ସ୍ତରରେ ସବୁ କର୍ମଚାରୀ ଦରମା ଓ ଅନ୍ଯାନ୍ଯ ଆର୍ଥିକ ସୁବିଧାରେ ଆହୁରି ସୁଧାର ଚାହୁଁଛନ୍ତି, ସଚିବାଳୟ ସେବାସଂଘ କିନ୍ତୁ ଏହି ଆନ୍ଦୋଳନର ମୁଖ୍ଯ ପୁରୋଧା ହେବା ଉଚିତ୍। 

ଦାବୀ :
  • ରାଜ୍ୟ ସରକାର ସପ୍ତମ ବେତନ ହାରରେ ଘରଭଡ଼ା ଦିଅନ୍ତୁ। 
  • ଗ୍ରାଚୁ୍ଇଟି ପାଇଁ ସର୍ବୋଚ୍ଚ ସୀମା ୧୫ ଲକ୍ଷରୁ  ୨୦ ଲକ୍ଷକୁ ବ୍ରୁଦ୍ଧି କରନ୍ତୁ। 
  • ପୁରୁଣା ପେନସନ୍ ନିୟମ ଲାଗୁ କରନ୍ତୁ ଓ  NPS  ହଟାନ୍ତୁ। 
  • ବର୍ତ୍ତମାନ ର ଅନୁକମ୍ପା ମୂଳକ ନିଯୁକ୍ତି (RA)  ନିୟମ କୁ ରଦ୍ଦ କରି ସହଜ କରାନ୍ତୁ। 

ସ୍ୱାସ୍ଥ୍ୟ ଓ ଅବସର ବିନୋଦନ :
  • ସ୍ୱାସ୍ଥ୍ୟ ବୀମା ସହିତ  Cashless Health Card  ପ୍ରଚଳନ କରନ୍ତୁ।
  • ଜରୁରୀକାଳୀନ ଆଡମିଶନ ପାଇଁ କ୍ୟାପିଟାଲ ହସ୍ପିଟାଲରେ ସଚିବାଳୟ କର୍ମଚାରୀ ମାନଙ୍କ ପାଇଁ ଦୁଇଟି କ୍ୟାବିନ ସଂରକ୍ଷିତ ରହୁ। 
  • ସାମୁହିକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ପ୍ରତି ୬ ମାସରେ ଆୟୋଜନ କରାଯାଉ।
  • ସଚିବାଳୟ Health Dispensary ର Renovation ସହିତ ସବୁବେଳେ ଡାକ୍ତର ଉପଲବ୍ଧ କରାଇବାକୁ ପଦକ୍ଷେପ। 
  • ଓସା ହାଉସ ପରିସରରେ କ୍ରିଡା ତଥା ବ୍ୟାୟାମ ର ସୁବିଧା କରାଯାଉ। 

କାର୍ଯ୍ୟକ୍ଷେତ୍ର : ରାଜ୍ୟ ସରକାରଙ୍କ ୪୦ ଟି ବିଭାଗରେ ପ୍ରାୟ ୭୫୦ ଉପବିଭାଗ (Section) କାର୍ୟ୍ଯ କରୁଛି। ଅଥଚ ଏଥିପାଇଁ ମାତ୍ର ୧୫୮୯ଟି ଏଏସ୍ଓ ପଦବୀ ଅଛି। ସମୟକ୍ରମେ ପଦୋନ୍ନତି ଯୋଗୁଁ ଅନେକ ପଦବୀ ଖାଲି ହେଉଛି, ସେପଟେ ନିୟମିତ ନିଯୁକ୍ତି ହେଉନାହିଁ। ତେଣୁ ବର୍ତ୍ତମାନ ଭଳି ମାତ୍ର ୭୦୦ ଏଏସ୍ଓ ସଂପୂର୍ଣ୍ଣ କାର୍ୟ୍ଯ ସମ୍ଭାଳିବା ସହିତ ସେକ୍ସନ ଅଫିସର ଓ ଡେସ୍କ ଅଫିସର ମଧ୍ଯ ସିଧାସଳଖ ଗୋଟିଏ ସେକ୍ସନ ରେ ସବୁ କାମ କରୁଛନ୍ତି। ପ୍ରାୟ ଅନୁଶାସନ ସଚିବ ମାତ୍ର ୩-୪ ମାସ ପୂର୍ବରୁ ପଦୋନ୍ନତି ପାଇ ଅବସର ନେବାକୁ ଥିବା ରୁ ସମ୍ପୂର୍ଣ୍ଣ ଦାୟୀତ୍ୱ ନେଇପାରୁନାହାନ୍ତି। ସେହିପରି ପଦବୀ ଅନୁଯାୟୀ ସମସ୍ତଙ୍କୁ ଯାଗା ମିଳୁନି।ଜଣେ ସେକ୍ସନ ଅଫିସର ନିଜେ ଜେରକ୍ସ କରୁଛି, ଚିଠି ଇସୁ  କରି ମେଲ କରୁଛି ଇତ୍ୟାଦି। 

ଦାବୀ :
  • ନିୟମତ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହୁ। 
  • ପ୍ରତ୍ୟେକ ସେକ୍ସନର ମୁଖ୍ଯ ଭାବରେ ଜଣେ ଜଣେ ଅନୁଶାସନ ସଚିବ ରୁହନ୍ତୁ। ତେଣୁ ବର୍ତ୍ତମାନ ର ୩୨୫ ପଦବୀ କୁ ୭୫୦ କରାଯାଉ। 
  • ଏଏସ୍ଓ, ଏସ୍ଓ ଏବଂ ଡିଓ ପଦବୀ ରୁ ଯେ କୌଣସି ଦୁଇଟି ପଦବୀ ରହୁ। 
  • ପ୍ରତି ବିଭାଗର ସାଂସ୍କୃତିକ ପରିଷଦ ପାଇଁ ଗୋଟିଏ ରୁମ ତଥା ମହିଳା ମାନଙ୍କ ପାଇଁ କମନ ରୁମ ଦିଆଯାଉ। 
  • ମାନସିକ ସନ୍ତୁଳନ ପାଇଁ ଏବଂ ପରିବାରକୁ ଅଧିକ ସମୟ ଦେବା ପାଇଁ ସାପ୍ତାହିକ କାର୍ୟ୍ଯ ଦିବସ ୫ ଦିନ ହେଉ। 
  • ବାରମ୍ବାର ସଚିବାଳୟ ଏଏସ୍ଓ ଙ୍କୁ  field deployment ବନ୍ଦ କରୀଯାଯାଉ। 

କ୍ୱାର୍ଟର ସୁବିଧା :
ବର୍ତ୍ତମାନ ଜିଏ ପୁଲ କ୍ୱାର୍ଟର ଗୁଡିକ ଅନଲାଇନ ମାଧ୍ୟମରେ ଆବଣ୍ଟନ କରାଯାଉଛି। କିନ୍ତୁ ଏଥିରେ ସଚିବାଳୟ, ବିଭାଗୀୟ ମୁଖ୍ଯ କାର୍ଯ୍ୟାଳୟ ଓ ଜିଲ୍ଲା ସ୍ତରୀୟ କର୍ମଚାରୀ ମାନଙ୍କ ପାଇଁ ସୁଯୋଗ ଥିବାରୁ ଭୁବନେଶ୍ୱର ମଧ୍ୟରେ ସବୁ କଲୋନୀ ମାନଙ୍କରେ ବିଭିନ୍ନ କ୍ୟାଡରର ଲୋକମାନେ ରହୁଛନ୍ତି। ବେଳେବେଳେ ସାମାଜିକ ଜୀବନ ଉପରେ ଏହା ପ୍ରଭାବ ପକାଉଛି ଏବଂ ସଂପୂର୍ଣ୍ଣ ସୁଯୋଗ ମଧ୍ଯ ମିଳୁନାହିଁ। ଏଥିସହିତ କ୍ୱାର୍ଟର Occupation ତଥା Vacation ସମୟରେ ବିଭିନ୍ନ ଅଫିସ ଦୌଡିବାକୁ ପଡୁଛି। 

ଦାବୀ :
  • ସଚିବାଳୟ କର୍ମଚାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଆବାସିକ କଲୋନୀ 
  • ଗୋଟିଏ  Single Window  ମାଧ୍ୟମରେ ସମସ୍ତ କାଗଜପତ୍ର କାମ କରିବାର ସୁବିଧା କରାଯାଉ। 

ପାର୍କିଂ -
ସଚିବାଳୟ ରେ କାର୍ୟ୍ଯ କରୁଥିବା ସବୁ କ୍ୟାଡରର କର୍ମଚାରୀ ନିଜର ଗାଡି ପାର୍କିଂ ପାଇଁ ଅନେକ ସମସ୍ୟା ସମ୍ମୁଖୀନ ହେଉଛନ୍ତି। କାର ଗୁଡିକ ୫ ନଂ ଗେଟ ବାହାରେ ରହୁଥିବା ବେଳେ, ବାଇକ ଗୁଡିକ ସମ୍ପୂର୍ଣ୍ଣ ଖରାରେ ରହୁଛି। ୧୦:୩୦ ରୁ ଟିକେ ବିଳମ୍ବ ହେଲେ, ବାଇକ ପାର୍କିଂ ପାଇଁ ସ୍ଥାନ ଖୋଜିବାକୁ ପଡୁଛି। ଅତୀତରେ ସେତେ ପରିମାଣର କାର ବାଇକ ବ୍ଯବହାର ହେଉନଥିଲା। କିନ୍ତୁ ଏବେ ପ୍ରାୟ ଅଧିକାରୀ କାର ବ୍ଯବହାର କଲେଣି। ବାଇକ ସଂଖ୍ଯା ମଧ୍ଯ ଯଥେଷ୍ଟ। 

ଦାବୀ : 
  • ଲୋକସେବା ଭବନ ଭିତରେ ବହୁତଳ ପାର୍କିଂ ବ୍ୟବସ୍ଥା ହେଉ। 
  • ଉଭୟ କାର ଓ ବାଇକ ପାଇଁ ଯଥେଷ୍ଟ ସ୍ଥାନ ସଂରକ୍ଷିତ ରହୁ। 

ମହିଳା ଓ ଦିବ୍ୟାଙ୍ଗ ପାଇଁ :
ଯେକୌଣସି କର୍ମକ୍ଷେତ୍ରରେ ମହିଳା ତଥା ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ରହିବା ଦରକାର। 

ଦାବୀ :
  • ମହିଳା ମାନଙ୍କ ପାଇଁ ଶିଶୁ ଯତ୍ନ ଛୁଟିଦିବସ (Childcare Leave) ୭୩୦ କୁ ବ୍ରୁଦ୍ଧି କରିଯାଉ। 
  • ସଚିବାଳୟ ରେ ମହିଳା କର୍ମଚାରୀ ସେମାନଙ୍କ ଶିଶୁ ମାନଙ୍କୁ ରଖିବା ପାଇଁ Cretch ନିର୍ମାଣ କରାଯାଉ। 
  • ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ହେଉ। 

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଶାସନିକ ଢାଞ୍ଚାରେ ଅନେକ ପରିବର୍ତ୍ତନ ଆସିଛି। ତେଣୁ ସଚିବାଳୟ ର ଯେକୌଣସି ବିଭାଗରେ କାମ କରୁଥିବା ୪-୫ ପ୍ରକାର କ୍ୟାଡର ରେ ସମନ୍ୱୟ ରଖି ଚଳିବାକୁ ଚେଷ୍ଟା କରୁଥିବା ଏହି କ୍ୟାଡରର ପଦବୀରେ ସମାନୁପାତିକ ବ୍ୟତିକ୍ରମ ଯୋଗୁଁ ଅନେକ ସମସ୍ୟା ସ୍ରୁଷ୍ଟି ହେଉଛି। ଉପରୋକ୍ତ ସମସ୍ତ ଦାବୀ ସମସ୍ତେ ଜାଣନ୍ତି। କିଛି ବ୍ଯକ୍ତିଗତ ଦାବୀ ଏବଂ ଆଉକିଛି ସାମୁହିକ। ସାମାନ୍ୟ ଉଦ୍ୟମ ବଳରେ ଅନେକ ଦାବୀ ପୂରଣ ହୋଇପାରନ୍ତା। ସାରା ରାଜ୍ୟର କର୍ମଚାରୀ ସଂଗଠନ ସଚିବାଳୟ ସେବା ସଂଘ ଉପରେ ବିଶ୍ୱାସ ରଖନ୍ତି। ଦରକାର ସମୟରେ ସହଯୋଗ ମଧ୍ଯ କରିବେ। ତେଣୁ ସର୍ବପ୍ରଥମେ ସଂଘୀୟ ଚିନ୍ତାଧାରାରେ କାର୍ଯ୍ୟଧାରା ଆଗେଇନେବା ପ୍ରଥମ କାମ ହେଉ। 

ଗତଥରର ନିର୍ବାଚିତ ପ୍ରତିନିଧି ମାନଙ୍କ ବ୍ୟକ୍ତିଗତ କନ୍ଦଳ ତଥା ସ୍ୱାର୍ଥ ଯୋଗୁଁ ଦୀର୍ଘ ୫ ବର୍ଷ ଧରି ଓସାର କାର୍ୟ୍ଯ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା। କିନ୍ତୁ ସମସ୍ତଙ୍କ ପାଇଁ ଖୁସି ଖବର ଯେ, ସମସ୍ତ ଯୁବ କର୍ମଚାରୀ ନିଜେ ୧୦୦ ଟଙ୍କା ଲେଖାଏଁ ସଭ୍ଯ ଚାନ୍ଦା ଦେଇ ଓସା ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି। ବିଶେଷତଃ ଯୁବ ଗୋଷ୍ଠୀ ଆଗଭର ହୋଇ ଓସାର ପୂର୍ବ ଗୌରବ ଫେରାଇଆଣିବାର  ସଂକଳ୍ପ ନେଇଛନ୍ତି। ବିଗତ ୫ ବର୍ଷ ଧରି ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରେ ମିଳାମିଶା କରି ଓସାର କାର୍ଯ୍ୟକ୍ରମ ସୁରୁଖୁରୁରେ ଚଳାଇବା ପାଇଁ ଉଦ୍ଦ୍ୟମ କରିବା ସତ୍ତ୍ବେ ସଫଳ ନହେବାରୁ, ନିଜେ ଏହି ଯୁବଗୋଷ୍ଠୀ ସାମ୍ନା କୁ ଆସିଛନ୍ତି। ରାଜନୀତି ବଦଳରେ ସଂଘୀୟ ଚିନ୍ତାଧାରା କୁ ବିଶ୍ବାସ ରଖୁଥିବା ଏହି ଗୋଷ୍ଠୀ ଏକତ୍ର ହୋଇ ନିର୍ବାଚନ ଲଢୁଛନ୍ତି। ନୂତନ କରି ଯୋଗଦେଇଥିବା ୮୦୦ ଏବଂ ୫୦୦ ଅଧିକାରୀ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞ। ନିଜର ଉଚ୍ଚ ଶିକ୍ଷା, ଦେଶହିତକର ଚିନ୍ତାଧାରା ଏବଂ ସର୍ବୋପରି କିଛି ପରିବର୍ତ୍ତନ ଆଣିବାର ନିଶା ଏମାନଙ୍କୁ ଏକଜୁଟ କରିଛି। ଯାହା ଫଳରେ ଗତ ନିର୍ବାଚନ ଗୁଡିକରେ ୪-୫ ଗୋଷ୍ଠୀ ନିର୍ବାଚନ ଲଢୁଥିବା ବେଳେ ଯୁବଗୋଷ୍ଠୀ ର ଶକ୍ତି ଓ ଉତ୍ସାହ କୁ ସମ୍ମାନ ଦେଇ ଅନେକ ଆଶାୟୀ ନିର୍ବାଚନ ରୁ ଓହରି ଯାଇଛନ୍ତି। ଅପରପକ୍ଷରେ ପଛରେ ରହି ସବୁ ପ୍ରକାର ସହଯୋଗ ଦେବାର ପ୍ରତିଶ୍ରୁତି ସହିତ ସମର୍ଥନ କରୁଛନ୍ତି। ୨୦୧୬ ବ୍ୟାଚର ୭ ଜଣ ଏବଂ ୨୦୧୯ ବ୍ୟାଚର ୨ ଜଣ ଏହି ନିର୍ବାଚନ ଲଢୁଛନ୍ତି। ଯଦିଓ ଏହି ଦୁଇ ବ୍ୟାଚର ଅନେକ ଓସାର ଦାଯୀତ୍ବ ନେବାକୁ ଆଗ୍ରହୀ ତଥାପି ଏକ ସନ୍ତୁଳିତ ଗୋଷ୍ଠୀ ଚୟନ କରାଯାଇଛି। ଅନ୍ୟମାନେ ଏମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ମଧ୍ଯ କରୁଛନ୍ତି। ବରିଷ୍ଠ ଅଧିକାରୀ ମାନେ ଆନ୍ତରିକତା ସହିତ ଏକ ବିରାଟ ପରିବର୍ତ୍ତନ ଚାହାଁନ୍ତି। ଆଉ ସବୁବେଳେ ପରିବର୍ତ୍ତନ ହିଁ ସମାଜ ପାଇଁ ମଙ୍ଗଳମୟ ହୋଇଥାଏ। ଅନେକ ସମୟରେ ବ୍ଯକ୍ତି କୁ ଦେଖି ଭୋଟ ଦିଆଯାଏ। ଯାହାକି ଗତ ନିର୍ବାଚନ ରେ ହୋଇଥିଲା। କିନ୍ତୁ ପ୍ୟାନେଲ ହିସାବରେ ଗୋଟିଏ ଗୋଷ୍ଠୀର ୬ ଜଣ, ଆଉ ଗୋଟିଏରୁ ୨ ଜଣ ଏବଂ ଯୁବଗୋଷ୍ଠୀର ୧ଜଣ ନିର୍ବାଚିତ ହୋଇଥିଲେ। ଯେହେତୁ ସମସ୍ତେ କ୍ୟାଡର ପାଇଁ ହିଁ ନିର୍ବାଚିତ ହୋଇଥିଲେ, କିନ୍ତୁ ବ୍ୟକ୍ତିଗତ ଆକ୍ରୋଶ ରଖି ସଂଘକୁ ଚଲାଇଦେଲେ ନାହିଁ। ଏଣୁ ଉଭୟ ଗୋଷ୍ଠୀ କୁ ହଟାଇ ନିଜ ଶିଂଘରେ ମାଟି ତାଡିବାକୁ ସଂକଳ୍ପ ନେଇଛନ୍ତି। 

ସେହିପରି ବିପକ୍ଷରେ ଗତଥରର ସାଧାରଣ ସଂପାଦକ ତାଙ୍କର ଏକ ପ୍ୟାନେଲକୁ ନିର୍ବାଚନ ଲଢେଇରେ ଅବତୀର୍ଣ୍ଣ କରାଇଛନ୍ତି। ତାଙ୍କର ଦାବୀ ଅନୁଯାୟୀ, ନିଜ ପ୍ୟାନେଲ ପ୍ରାୟ ସବୁକ୍ଷେତ୍ର ରୁ ପ୍ରତିନିଧିତ୍ବ କରୁଛି। ବରିଷ୍ଠ, ଯୁବ ତଥା ମହିଳା ସମସ୍ତଙ୍କୁ ନେଇ ଏକ ସନ୍ତୁଳିତ ଦଳ ଗଠନ କରାଯାଇଛି। ନିଜ ନିର୍ବାଚନ ଇସ୍ତାହାରରେ ମଧ୍ଯ ଅନେକ କିଛି ଦାବୀ ପୂରଣର  ପ୍ରତିଶ୍ରୁତି ଦେଇଛନ୍ତି। 

ଏ ପରିପ୍ରେକ୍ଷୀରେ, ସାଧାରଣ ଭୋଟର ହିସାବରେ ବିଗତ ଦିନର କିଛି ତ୍ରୁଟିର ପୁନରାବୃତ୍ତି ନହେବା ପାଇଁ ସମସ୍ତଙ୍କୁ କିଛି ପ୍ରସ୍ତାବ ରହିବ। 

ଭୋଟର ମାନଙ୍କ ପାଇଁ : 
ଏକ ନିର୍ଦ୍ଦିଷ୍ଟ ଚିନ୍ତାଧାରାର  Teamwork  ପାଇଁ ସମସ୍ତ ୯ଟି ଭୋଟ କେବଳ ନିଜ ପସନ୍ଦର ଗୋଟିଏ ପ୍ୟାନେଲ କୁ ହିଁ ଦିଅନ୍ତୁ। ଯଦି ବ୍ୟକ୍ତିଗତ ପ୍ରାର୍ଥୀଙ୍କ ପାରଦର୍ଶୀତା ଦେଖି, ଭୋଟ ଦିଆଯାଏ ତେବେ ପୁଣି ଏକ ମିଶ୍ରିତ ଦଳ କ୍ଷମତା କୁ ଆସିବେ। ସେମାନଙ୍କର କନ୍ଦଳ ଯୋଗୁଁ ଆମର କ୍ୟାଡର ହିଁ କ୍ଷତିଗ୍ରସ୍ତ ହେବ। କିନ୍ତୁ ଗୋଟିଏ ପ୍ୟାନେଲ ଆସିଲେ, ଆମେ ସେମାନଙ୍କୁ ଉତ୍ତରଦାୟୀ କରିପାରିବା। ସେହିପରି ବର୍ଷ ତମାମ ସଂଘକୁ ଏକାଠି କରିବା ହେଉ, ବିଭିନ୍ନ ଫୋରମରେ ଦାବୀ ପାଇଁ ଏକତ୍ରୀତ ହେଲାବେଳେ ହେଉ ଯେଉଁମାନେ ଆଗଭର ହେଉଥିଲେ ସେମାନଙ୍କୁ ହିଁ ନିର୍ବାଚିତ କରନ୍ତୁ। ଆପଣ ସମସ୍ତେ ସଭ୍ୟ ସମାଜର ଜଣେ ଜଣେ ଶିକ୍ଷିତ ତଥା ଉଚ୍ଚ ପଦସ୍ଥ ଅଧିକାରୀ। ଆସନ୍ତା ଅପ୍ରେଲ ୧୨ ତାରିଖରେ ଭୋଟ ନିଶ୍ଚିତ ଦିଅନ୍ତୁ। ନଚେତ୍ କାହାକୁ ସମାଲୋଚ଼ନା କରିବାର ଅଧିକାର ଆପଣ ହରାଇ ବସିବେ। 

ସମ୍ଭାବ୍ୟ ବିଜୟୀ ପ୍ରାର୍ଥୀଙ୍କ ପାଇଁ : 
ସଂଘର ସମସ୍ତ ଦାବୀ ଏକାଧାରାରେ  ପୂରଣ ହେବା ସମ୍ଭବ ନୁହେଁ। କିନ୍ତୁ ଓସାର ପୂର୍ବ ଗାରିମା ଫେରାଇ ଆଣିବାକୁ ସର୍ବପ୍ରଥମେ ଚେଷ୍ଟା କରନ୍ତୁ। ସଂଘର ମର୍ଯ୍ୟାଦା ରହିଲେ ସଂଘର ସଭ୍ଯ ମାନଙ୍କ ମର୍ଯ୍ୟାଦା ରହିବ। ସଚିବାଳୟ ସେବାର କୌଣସି ସଭ୍ଯ ରାଜନୀତି କରନ୍ତି ନାହିଁ। ଏହା ଏକ  Service Association. ।  ସଭ୍ଯ ସମାଜର  ଏହି ଶିକ୍ଷିତ ମାନେ ସମସ୍ତ ପ୍ରକାର କନିଷ୍ଠ/ବରିଷ୍ଠ, ନିଯୁକ୍ତି ବ୍ୟାଚ, ଜାତିଭେଦ ତଥା ବ୍ଯକ୍ତି ସ୍ୱାର୍ଥରୁ ବହୁ ଉର୍ଦ୍ଧ୍ବ ରେ। ତେଣୁ ନିର୍ବାଚିତ ୨ ବର୍ଷ ର କାର୍ୟ୍ଯ ହିଁ ଆପଣଙ୍କୁ ପରିଚୟ ଦେବ। ଗୋଟିଏ ସ୍ଥାନ ରେ କାମ କରୁଥିବା ୨୦୦୦ ଲୋକ ଆପଣଙ୍କୁ ସବୁବେଳେ ଦେଖୁଛନ୍ତି, ଆପଣଙ୍କ କାର୍ଯ୍ୟକ୍ରମ କୁ ବହୁତ ପାଖରୁ ଆଲୋଚନା କରୁଛନ୍ତି। ତେଣୁ ତଥାକଥିତ ରାଜନୀତିରୁ ଉର୍ଦ୍ଧ୍ବକୁ ଯାଇ ସଂଘର ଉତ୍ତରୋତ୍ତର ଉନ୍ନତି ପାଇଁ ଯଥାସାଧ୍ଯ ଉଦ୍ୟମ କରନ୍ତୁ। 

- ଓସା ହାଉସରେ ନିୟମିତ Office Bearers  ବସି ଆଲୋଚନା କରନ୍ତୁ। 
- ଆଗାମୀ ଦୁଇ ବର୍ଷ ପାଇଁ କାର୍ଯ୍ୟକ୍ରମ ର ଖସଡା ବନାନ୍ତୁ। 
- ଓସା ହାଉସର  Renovation କରାଇ ସୁସ୍ଥ ପରିବେଶ ସ୍ରୁଷ୍ଟି କରନ୍ତୁ। - ନିୟମିତ କାର୍ୟ୍ଯ ନିର୍ବାହୀ ବୈଠକ, ସାଧାରଣ ପରିଷଦ ଓ ସାଧାରଣ ସଭା ବୈଠକ ଏବଂ ଆଯୋଜନ କରି ସମସ୍ତ ପ୍ରସ୍ତାବ କୁ ବିଚାରକୁ ନିଅନ୍ତୁ। 
- ସଂଘର ପାଣ୍ଠି ପରିଚାଳନା ରେ ସ୍ୱଚ୍ଛତା ଆଣନ୍ତୁ। 
- ସଂଘର ବାର୍ଷିକ ମାଗାଜିନ "ଓସାଲୋକ" ପ୍ରତି ବର୍ଷ ପ୍ରକାଶ କରାଯାଉ।
- ଏକ ୱେବସାଇଟ ମାଧ୍ୟମରେ ସଂଘର Mission and Vision  ପ୍ରକାଶ କରାଯାଉ। 
- ନୂତନ କରି ଯୋଗ ଦେଉଥିବା ଏଏସ୍ଓ ବନ୍ଧୁ ମାନଙ୍କୁ ସ୍ୱାଗତ ତଥା ଅବସର ନେଉଥିବା ସାଥୀ ମାନଙ୍କ ନିମନ୍ତେ ବିଦାୟ ସମ୍ବର୍ଦ୍ଧନା ଆୟୋଜନ କରାଯାଉ। 
- ଦୂର ଦୂରାନ୍ତରୁ ଆସୁଥିବା ଅବସରପ୍ରାପ୍ତ ଅଧିକାରୀ ମାନଙ୍କ ପାଇଁ ଓସା ହଉସରେ ଅତିଥୀ ଭବନ ନିର୍ମାଣ ହେଉ। 
- ବିଭିନ୍ନ ପର୍ବ ପର୍ବାଣୀରେ ଯଥା ନବବର୍ଷ, ହୋଲି ଇତ୍ୟାଦି ପାଳନ କରାଯାଉ। 
- ସର୍ବୋପରି ନିୟମିତ ଭାବେ ସଂଘର ଦାବୀ ସରକାରଙ୍କୁ ଦିଆଯାଇ ଅଗ୍ରଗତି ସଂପର୍କରେ ସଭ୍ଯ ମାନଙ୍କୁ ଅବଗତ କରାଯାଉ। 
- ଗତ ୫ ବର୍ଷ ର ସ୍ଥାଣୁତାର କାରଣ ଖୋଜି ଭବିଷ୍ଯତ ରେ ଏଭଳି ନହେବା ପାଇଁ ସଂଘର ସମ୍ବିଧାନ (By-law) ରେ ଆବଶ୍ଯକ ସଂଶୋଧନ କରାଯାଉ। 

ଓଡିଶା ସଚିବାଳୟ ସେବା ସଂଘ (OSSA) ଏକ ନୂତନ ଚିନ୍ତାଧାରା, ନୂତନ ଆଶା ତଥା ନୂତନ ସମ୍ଭାବନା ଅପେକ୍ଷାରେ। 

ନିର୍ବାଚନ : 
୧୨ ଅପ୍ରେଲ, ୨୦୨୨ (ମଙ୍ଗଳବାର) 
ସମୟ : ସକାଳ ୮:୩୦ ଘଟିକା ରୁ ଅପରାହ୍ନ ୪ ଘଟିକା
ସ୍ଥାନ : ଓସା ହାଉସ୍, କେଶରୀ ଟକିଜ ପଛପାଖ


No comments: