Monday 27 June 2022

ASO aspirants !! All the Best

ସମୟ ନିକଟତର ହେଇଆସୁଛି। ନିଜର ସ୍ୱପ୍ନ ବାସ୍ତବ ରୂପ ନେବାକୁ କିଛି ଔପଚାରିକତା ବାକି ରହିଛି। ଗୋଟିଏ ଦିନର ସେହି ୫ ଘଣ୍ଟାକ ଭିତରେ ସମୟ ଅନୁକୂଳ ହେଲେ ସଚିବାଳୟର ସୁରକ୍ଷା ବଳୟ ଭିତରକୁ ପଶି ନିଜେ ଓଡ଼ିଶା ଶାସନ କଳର ଏକ ଅଂଗ ହେବାର ଅବସର ମିଳିବ। ତା ପରେ ସରକାରୀ ଚାକିରୀ ଜନିତ ନିୟମକାନୁନ ଭିତରେ ନିଜର ଭବିଷ୍ଯତ ଗଢିବା ପ୍ରକ୍ରିୟା ଜାରି ରହିବ। ହଁ ମୁଁ ଏଠାରେ ସେହି ଏଏସ୍ଓ ପରୀକ୍ଷା କଥା କହୁଛି। 

ସମୟ ନିର୍ଘଣ୍ଟ ପ୍ରସ୍ତୁତ। ଅଗଷ୍ଟ ୨୧ ତାରିଖ। ୩ଟି ପର୍ଯ୍ୟାୟରେ ୪ଟି ବିଷୟ ର ପରୀକ୍ଷା। ୪୦୦ ମାର୍କର ପ୍ରଶ୍ନ। ବର୍ଷ ତମାମ ବିଭିନ୍ନ ଖବର ଭିତରେ ସଚିବାଳୟ ଏଏସ୍ଓ ଚାକିରୀ ସମସ୍ତଙ୍କ ପାଇଁ ଥିଲା ନିଆରା। ଅନେକ ପିଲା ନିଜର ସର୍ବସ୍ବ ଲଗାଇ ପଢା ରେ ମନୋନିବେଶ କରୁଛନ୍ତି। ଆଉ କିଛି ପିଲା ୧୦୦ରୁ ଉର୍ଦ୍ଧ୍ବ ଟେଷ୍ଟ ସିରିଜ ଦେଇ ସାରିଲେଣି। ଅନେକ ବନ୍ଧୁ ୟୁଟିଉବ୍ ମାଧ୍ୟମରେ ଆଶାୟୀଙ୍କ ମଧ୍ୟରେ ଉତ୍ସାହଆଣିବାକୁ ଚେଷ୍ଟା କରୁଛନ୍ତି। 

ଏବେ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଗଲାଣି। ମାତ୍ର ୫୪ଦିନ ବାକି ରହିଲା। ଆଶା କରିବା ସବୁ ଠିକ୍ ଠାକ୍ ଚାଲିବ। ସଠିକ୍ ସମୟରେ ପରୀକ୍ଷା ହେବ। ଖୁବ୍ ଶୀଘ୍ର ଫଳାଫଳ ବାହାରିବ। ସବୁଠାରୁ ବଡ କଥା ଏହି ବ୍ୟାଚର ନିଯୁକ୍ତି ପ୍ରକ୍ରିୟା ଯଥାସମ୍ଭବ ନ୍ୟାୟିକ ମାମଲାରେ ଛନ୍ଦି ନହେଉ, ଏହା ହିଁ ଆଶା କରିବା। ଲଗାତର ଭାବେ ୨୦୧୫ରୁ ଏମିତି ୩ ବ୍ୟାଚର ବଡ ବଡ ନିଯୁକ୍ତି ସଚିବାଳୟରେ କାର୍ଯ୍ୟଧାରାକୁ ଉର୍ଧ୍ୱମୁଖୀ କରିପାରିଛି। ଆଗାମୀ ବ୍ୟାଚଠାରୁ ମଧ୍ଯ କ୍ୟାଡର ତଥା ରାଜ୍ଯ ଶାସନକଳ ବହୁତ କିଛି ଆଶାକରେ। 

ଏବେ ଯଦି ଆଶାୟୀ ପରୀକ୍ଷାର୍ଥୀ କିଛି ଟିପ୍ସ୍ ମାଗନ୍ତି, ଏତିକି କହି ହେବ ଯେ, ଶେଷ ମୁହୂର୍ତ୍ତ ପାଇଁ ଆଉ ନୂଆ କିଛି ପଢିବା ଦରକାର ନାହିଁ। କେବଳ ଯେଉଁ ବିଷୟ ବାରମ୍ବାର ପରୀକ୍ଷାରେ କରିପାରୁନାହାନ୍ତି ଅର୍ଥାତ୍ ଦୂର୍ବଳ ଅଛନ୍ତି ତାକୁ ହିଁ ଧ୍ଯାନ ଦିଅନ୍ତୁ। ଦିନେ ଦୁଇଦିନ ବସି ଗଣିତ ତଥା ରିଜୋନିଙ୍ଗ ର ଫର୍ମୁଲା ଗୋଟିଏ ଦୁଇଟା କାଗଜରେ ଲେଖି ରଖନ୍ତୁ ଯେପରି ଖୋଜିଲେ ସାଙ୍ଗେସାଙ୍ଗେ ମିଳିପାରିବ। ଗତ ଜାନୁଆରୀରୁ ସମସ୍ତ ଖବର ଉପରେ ତଥ୍ଯ ରଖନ୍ତୁ। ଓଡିଆରେ ଯେତେ ମନେରଖିବା କଷ୍ଟ ତଥ୍ଯ ଅଛି ତାକୁ ସେହିପରି ଗୋଟିଏ ଦୁଇଟି କାଗଜରେ ଲେଖି ରଖନ୍ତୁ। ଦେଖିବେ ଆପଣଙ୍କ ଲେଖା/ନୋଟ ସରିଲା ବେଳକୁ ସେହି ବିଷୟ ଗୁଡିକ ପୂର୍ବାପେକ୍ଷା ଅଧିକ ମନେ ରହିଯାଇଥିବ। 

ଠିକ୍ ସମୟରେ ଶୁଅନ୍ତୁ, ଖାଆନ୍ତୁ। ପଢିବା ଚକରରେ ଆସନ୍ତା ଦୁଇମାସ ଶରୀର ସୁସ୍ଥ ରହିବା ବହୁତ ଜରୁରୀ। ସେହିପରି ପ୍ରାର୍ଥନା କରନ୍ତୁ ପରିବାର ବନ୍ଧୁବାନ୍ଧବ ଙ୍କର କୌଣସି ଜରୁରୀ କାର୍ୟ୍ଯ ନଆସୁ। ବାସ୍ ପରୀକ୍ଷା ଦେବା ପର୍ୟ୍ଯନ୍ତ ମନ, ଶରୀର ସୁସ୍ଥ ରହୁ। ସେହି ଉତ୍ସାହ ଲାଗିରହୁ ।  ନିଜ ହିସାବରେ ପଢା ଜାରି ରହୁ। ସଫଳତା ନିଶ୍ଚିତ। 

All the Best

No comments: