Sunday 26 March 2023

ସରକାରୀ ଚାକିରୀ - ନିଯୁକ୍ତି ଆୟୋଗ - ନ୍ୟାୟପାଳିକା ର ଚକ୍ରବ୍ୟୁହରେ ଚାକିରୀ ଆଶାୟୀ ହତୋତ୍ସାହିତ

ରାଜ୍ୟ ସଚିବାଳୟ (ଲୋକସେବା ଭବନ) ପରିସରରେ ନବନିର୍ମିତ ରାଜ୍ୟ କନଭେନସନ ସେଣ୍ଟର ଫାଟକ ଦେଇ ଯଦି କେହି ନିୟମିତ ଭାବରେ ଯାତାୟାତ କରୁଥାଏ, ପ୍ରତିଦିନ କିଛି ନା କିଛି ନବନିଯୁକ୍ତ ଅଧିକାରୀ / କର୍ମଚାରୀ ମାନଙ୍କ ପାଇଁ ଦିଗଦର୍ଶନ କାର୍ଯକ୍ରମ ଆୟୋଜନ ହେଉଥିବାର  ପରିଲକ୍ଷିତ ହେଉଥିବ। ଏଥିରୁ ସ୍ପଷ୍ଟ, ଗତ କିଛି ବର୍ଷ ଧରି ସରକାର ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନେଇଛନ୍ତି। 
ସେହିପରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଏକ ସ୍ୱତନ୍ତ୍ର ନିଯୁକ୍ତି ସେଲ (Recruitment Cell) ଗଠନ କରାଯାଇ ସମସ୍ତ ବିଭାଗ ରେ ଖାଲି ପଡିଥିବା ପଦବୀ ଗୁଡିକୁ ପୂରଣ ଦିଗରେ ଧ୍ଯାନ ଦେଉଛନ୍ତି। ଆଗାମୀ ୨୦୨୩-୨୪ ବର୍ଷରେ ବହୁ ସଂଖ୍ଯକ ସରକାରୀ କର୍ମଚାରୀ ଅବସର ନେଉଥିବାର ଆକଳନ କରାଯାଉଛି। ତେଣୁ ନୂତନ ନିଯୁକ୍ତି ନହେବା ପର୍ୟ୍ଯନ୍ତ କାମ କରିବା ପାଇଁ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ଓଏସଡି (Officer on Special Duty) ଭାବେ ନିଯୁକ୍ତ କରିବାକୁ ସରକାର ବାଧ୍ଯ ହେଉଛନ୍ତି। ସେପଟେ ବେସ ଲେବଲ କାମ ପାଇଁ ଆଉଟସୋର୍ସିଂ ନିଯୁକ୍ତିର ସହାୟତା ନେବାକୁ ପଡୁଛି। 
ତେବେ ଆମର ଆଲୋଚନା ଏକ ଭିନ୍ନ ଦିଗରେ। ମୋଟ ଉପରେ ସମସ୍ତ ପ୍ରକାର ସରକାରୀ ଚାକିରୀରୁ ୪ ଟି ମୁଖ୍ଯ ଭାଗରେ ବିଭକ୍ତ କରାଯାଇଛି। 
(୧) ଗ୍ରୁପ - ଏ (୨) ଗ୍ରୁପ - ବି (୩) ଗ୍ରୁପ - ସି (୪) ଗ୍ରୁପ - ଡି
ଏମାନଙ୍କ ମଧ୍ଯରୁ ମଝି ଦୁଇଟି ଗ୍ରୁପ ରାଜ୍ଯ ଅମଲାତନ୍ତ୍ରର ମୌଳିକ କାର୍ୟ୍ଯ ସଂପାଦନରେ  ମୁଖ୍ଯ ଭୁମିକା ଗ୍ରହଣ କରନ୍ତି । ଏମାନଙ୍କ ବିକଳ୍ପ ଭାବେ କୌଣସି ଓଏସଡି କିମ୍ବା ଆଉଟସୋର୍ସିଂ କର୍ମଚାରୀ ଯଦି ବ୍ଯବହାର କରାଯାଏ ତେବେ ସରକାରୀ ଗୋପନୀୟତା ତଥା ଦାୟିତ୍ୱ ବୋଧ ଉପରେ ପ୍ରଶ୍ନବାଚୀ ସ୍ରୁଷ୍ଟି ହେବାର ଆଶଙ୍କା ଥାଏ। ଏଣୁ ବଡ ବଡ ପଦବୀରେ ଉପଦେଷ୍ଟା, କିମ୍ବା ପିଅନ ତଥା ଡାଟା ଏଣ୍ଟ୍ରି ଓ ଅଫିସ ଆସିଷ୍ଟାଣ୍ଟ୍ ହିସାବରେ ଆଉଟସୋର୍ସିଂ ରଖାଯାଏ। କିନ୍ତୁ ଫାଇଲ ଖୋଲିବାଠାରୁ ଆରମ୍ଭ କରି ଏହାର ସୁରକ୍ଷା ଦାୟିତ୍ୱ କେବଳ ଜଣେ ନିୟମିତ ସରକାରୀ କର୍ମଚାରୀ କୁ ଦିଆଯାଏ। କିନ୍ତୁ ପ୍ରାୟ ସମସ୍ତ ବିଭାଗରେ ଏହି ମୌଳିକ ପଦବୀ (Base Level Post) ବହୁ ସଂଖ୍ୟାରେ ଖାଲି ପଡିଛି। ସରକାର ଏଥିପାଇଁ ଯେତେ ଚେ଼ଷ୍ଟା କରୁଛନ୍ତି, ଅପର ପକ୍ଷରେ କିଛି ନା କିଛି କାରଣ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିବା ପରଠାରୁ  ସଂରକ୍ଷଣ କୋଟା, ପରାକ୍ଷା ପଦ୍ଧତି, ବୟସ ସୀମା, ଚୟନ ପଦ୍ଧତି ଆଦି ବିଭିନ୍ନ କାରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ର ବିଭିନ୍ନ ସ୍ତରରେ ଅଦାଲତରେ ମାମଲା ଦାୟର କରାଯାଉଛି। କୌଣସି ପରିସ୍ଥିତି ରେ କାହାର ମୌଳିକ ଅଧିକାର କ୍ଷୁଣ୍ଣ ନହେବା ନ୍ୟାୟରେ ସମସ୍ତ ମାମଲା ମାନ୍ୟବର ଅଦାଲତ ଗ୍ରହଣ କରି ନେଉଛନ୍ତି। ଏ ଲଢେଇ କେତେବେଳେ ପରୀକ୍ଷାର୍ଥୀ ଓ ନିଯୁକ୍ତି ଆୟୋଗ ମଧ୍ୟରେ ହେଉଥିବା ବେଳେ ଆଉ କେତେବେଳେ ପରୀକ୍ଷାର୍ଥୀ ଓ ସରକାର ଙ୍କ ନିୟମ ସହିତ ହେଉଥାଏ। ଫଳରେ ଗୋଟିଏ ପରୀକ୍ଷାର ଫଳାଫଳ ବାହାରିବା ପାଇଁ ୩ରୁ ୪ବର୍ଷ ସମୟ ଲାଗିଯାଏ। ଏମିତିରେ କିଛି ପରୀକ୍ଷା ନିୟମିତ ଭାବେ ପ୍ରତିବର୍ଷ ହେଉନଥିବାରୁ କୌଣସି କ୍ୟାଡରରେ ଦୁଇଟି ବ୍ୟାଚ ମଧ୍ୟରେ ପ୍ରାୟ ୧୦-୧୫ ବର୍ଷ ବ୍ୟବଧାନ ରହିଯାଏ। 

ନିକଟରେ ସଚିବାଳୟରେ ଦୁଇ ପ୍ରକାର ପଦବୀ ପାଇଁ ଦୁଇ ପ୍ରମୁଖ ନିଯୁକ୍ତି ଆୟୋଗ ପ୍ରକ୍ରିୟା ଜାରି ରଖିଛନ୍ତି। 
୧) ସହାୟକ ଉପବିଭାଗ ଅଧିକାରୀ (ASO)  : OPSC
 ୨) ଜୁନିଅର ଏକଜିକ୍ୟୁଟିଭ ଆସିଷ୍ଟାଣ୍ଟ୍ (JEA) : OSSC

ଦୀର୍ଘ ୨୦ ବର୍ଷ ପରେ ଏଏସଓ ପାଇଁ ୨୦୧୨ ରେ ନିଯୁକ୍ତି ବିଜ୍ଞାପନ ବାହାରିଥିଲା। କିନ୍ତୁ ଅଦାଲତରେ ମାମଲା ଯୋଗୁଁ ପ୍ରାୟ ୪ ବର୍ଷ ପରେ ୨୦୧୬ ଅକ୍ଟୋବର ରେ ୮୧୧ ଜଣଙ୍କୁ ନିଯୁକ୍ତି ଦିଆଗଲା। ଏଥି ମଧ୍ୟରେ ଗୋଟିଏ ସ୍ପେଶାଲ ଡ୍ରାଇଭ୍ ରେ ୧୩୯ ଜଣଙ୍କୁ ଫେବୃଆରୀ ୨୦୧୬ ତଥା ନିୟମିତ ନିଯୁକ୍ତି ରେ ୫୦୦ ଜଣଙ୍କୁ ଜୁଲାଇ ୨୦୧୯ ରେ ନିଯୁକ୍ତି କରାଯାଇଛି। ଏହି ଦୁଇଟି ନିଯୁକ୍ତି ପ୍ରକ୍ରିୟା ଖୁବ୍ କମ୍ ସମୟରେ ପରିଚାଳିତ ହୋଇପାରିଲା। କିନ୍ତୁ ପୁନର୍ବାର ୨୦୨୨ ମସିହା ନିଯୁକ୍ତି ପ୍ରକ୍ରିୟା ଅଦାଲତକୁ ମାମଲାରେ ଛନ୍ଦି ହୋଇଯାଇଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହାର ଶୁଣାଣି କରି ରାୟ କୁ ସଂରକ୍ଷିତ ରଖିଛନ୍ତି। ଏବେ କାହା ପାଖରେ କିଛି ଉପାୟ ନାହିଁ। ରାୟ ଆସିଗଲେ ଯେ ନିଯୁକ୍ତି ସୁରୁଖୁରୁରେ ହୋଇଯିବ, ସେ ଆଶା ମଧ୍ଯ କମ୍। କାରଣ ଏହି ରାୟ ଉପରେ ପୁନଃ ମାମଲା ଦାୟର ହେବାର ସମ୍ଭାବନା ରହିଛି। ପ୍ରାୟ ୩୦୦୦ ଅଧିକାରୀଙ୍କୁ ନେଇ ଗଠିତ ଓଏସଏସ କ୍ୟାଡରର ୮୦୦ରୁ ଉର୍ଦ୍ଧ୍ବ ମୂଳ ପଦବୀ ଯଦି ଖାଲି ରହିବ, ତେବେ କାର୍ଯ୍ୟ ଭାର କେତେ ବଢୁଥିବ ତାହା ସହଜରେ ଅନୁମେୟ। 

ସେହିପରି ସଚିବାଳୟ ଷ୍ଟେନୋ କ୍ୟାଡରର ରିଷ୍ଟ୍ରକ୍ଚରିଙ୍ଗ କରି ସ୍ରୁଷ୍ଟି ହୋଇଥିବା ନୂତନ ପଦବୀ "ଜୁନିଅର ଏକଜିକ୍ୟୁଟିଭ ଆସିଷ୍ଟାଣ୍ଟ୍" ର ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବିଳମ୍ବିତ। ଆବଶ୍ଯକ ସଂଖ୍ଯକ ପିଲା ଟାଇପ ଟେଷ୍ଟ ରେ ବିଫଳ ହେବାରୁ ପୁଣି ଥରେ ଆଉ ସମାନ ସଂଖ୍ଯକ ପିଲାମାନଙ୍କୁ କମ୍ପୁଟର ଟାଇପ ଟେଷ୍ଟ କରାଇଥିଲେ। ଏହାର ବିଳମ୍ବ ଯୋଗୁଁ ପରୀକ୍ଷାର୍ଥୀ ବେଶ ଚିନ୍ତିତ। ଏହାର ଫଳାଫଳ ମଧ୍ଯ କିମ୍ଭୁତ କିମାକାର ହେବାର ସମ୍ଭାବନା ଅଛି। କାରଣ ଲିଖିତ ପରୀକ୍ଷା ର ମାର୍କଙ୍କୁ ବିଚାର ନ କରି କେବଳ ଟାଇପ ଟେଷ୍ଟ ମାର୍କ ଅନୁଯାୟୀ ଚୟନ କରାଯିବ। ଫଳରେ ଲିଖିତ ପରୀକ୍ଷାରେ ବହୁତ କମ୍ ମାର୍କ ରଖିଥିବା ପିଲା ଚୟନ ହୋଇପାରେ। କାରଣ ଭଲ ପାଠପଢା କରୁଥିବା ପିଲା କେବେ ବି କମ୍ପୁଟର ଟାଇପ ସେତେଟା ଭଲ କରିନପାରେ । ସେ ଯାହା ହେଉ, ପ୍ରକ୍ରିୟା ଠିକ୍ ଥାଉ କି ଭୁଲ୍ କିନ୍ତୁ ବିଜ୍ଞାପନ ରେ ଆଗରୁ ସୂଚନା ଥିବାରୁ, ସମସ୍ତେ ଏ ସମ୍ପର୍କରେ ଅବଗତ। 

କିନ୍ତୁ ସଚିବାଳୟ ଏଏସଓ ପରୀକ୍ଷା ରେ ଓପିଏସସି ଚଞ୍ଚକତା କରିଥିବାର ଯେଉଁ ଅଭିଯୋଗ ଆସିଛି, ତାହାର ଜବାବ ସୁଆଲ କରିଯାଇଛି । କେବଳ ରାୟକୁ ଅପେକ୍ଷା। ଏଥିଲେ ଲିଖିତ ପରୀକ୍ଷା ମୁଖ୍ଯ ମାନଦଣ୍ଡ ହୋଇଥିବାବେଳେ ବିଷୟ ଭିତ୍ତିକ କଟ ଅଫ ପ୍ରଚଳନ ଦ୍ୱାରା କମ୍ ମାର୍କ ରଖିଥିବା ପିଲା ଚୁଡାନ୍ତ ଚୟନ ହେବା କାହିଁକି ଟିକେ ହଜମ ହେଉନି। ସମସ୍ତଙ୍କର ଅଦାଲତଙ୍କ ଉପରେ ଭରସା ଅଛି। 

କିନ୍ତୁ ଏହା ହିଁ ସତ୍ଯ ଯେ ସରକାରୀ ଚାକିରୀ ପାଇଁ ସରକାରୀ ନିୟମ - ନିଯୁକ୍ତି ଆୟୋଗ ପରୀକ୍ଷା ପରିଚାଳନା - ନ୍ୟାୟପାଳିକା ବିଚାର ର ଚକ୍ରବ୍ୟୁହରେ ବିଚରା ଆଶାୟୀ ପରୀକ୍ଷାର୍ଥୀ ଆଜି ଆଶାହରା ଓ ହତୋତ୍ସାହିତ। 

 ଏଣୁ ସରକାରଙ୍କ ତରଫରୁ ଏ ପ୍ରତି ବିଶେଷ ଧ୍ଯାନ ଦେବାର ଆବଶ୍ୟକତା ରହିଛି। 

No comments: