Friday 12 November 2021

Secretariat needs more ASOs

କିଛି ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ରାଜ୍ଯ ସରକାର ବିଭିନ୍ନ ବିଭାଗର ଖାଲିଥିବା ପଦବୀ ପୂରଣ ପାଇଁ ବିଶେଷ ପଦକ୍ଷେପ ନେଉଛନ୍ତି। ଫଳରେ ଗ୍ରୁପ - ସି ଓ ବି ସ୍ତରରେ ବଡ ଧରଣର ନିଯୁକ୍ତି ପ୍ରକ୍ରିୟା ଚାଲୁରହିଛି। OSSC  ନିକଟରେ ୨୦୧୬ ରୁ ବାକି ଥିବା ପ୍ରାୟ ସମସ୍ତ ପରୀକ୍ଷା କରାଇ ଚୁଡାନ୍ତ ମେଧା ତାଲିକା ପ୍ରକାଶ କରୁଅଛି। ସେହିପରି  OSSSC  ମଧ୍ଯ ଜିଲ୍ଲା ସ୍ତରୀୟ ରାଜସ୍ୱ ନିରୀକ୍ଷକ ଏବଂ ଅନ୍ୟ କେତେକ ପଦବୀ ପୂରଣ ପାଇଁ ବଡ ଧରଣର ନିଯୁକ୍ତି ପ୍ରକ୍ରିୟା ଜାରିରଖିଛି। ଆଉ ଏମିତିରେ, OPSC  ନିୟମିତ ଭାବରେ ବିଭିନ୍ନ ଗେଜେଟେଡ ପଦବୀ ପୂରଣ ପାଇଁ ପଦକ୍ଷେପ ନେଇଆସୁଛି। ଏତଦ୍ବ୍ୟତୀତ ପୁଲିସ ପଦବୀ ପୂରଣ ପାଇଁ ଚଳିତ ବର୍ଷ State Police Board  କୁ ୨୦୧୮,୨୦୧୯ ଓ ୨୦୨୦ ପାଇଁ ପରୀକ୍ଷା ଦିଆଯାଇଛି। ଅନ୍ୟ ପକ୍ଷରେ ଓଡିଶା ହାଇକୋର୍ଟ ଏବଂ ଓଡିଶା ବିଧାନ ସଭା ନିଜ ନିଜର ଏଏସ୍ଓ ପାଇଁ ଚୟନ ପ୍ରକ୍ରିୟା ଚାଲୁ ରଖିଛନ୍ତି। ତେଣୁ ୨୦୨୧ ମସିହା ନିଶ୍ଚିତ ଭାବରେ ନିଯୁକ୍ତି ପ୍ରକ୍ରିୟା ପାଇଁ ଏକ ସ୍ୱର୍ଣିମ ବର୍ଷ ବୋଲି କହିପାରିବା। 

କିନ୍ତୁ ଏ ସମଗ୍ର ନିଯୁକ୍ତି ପ୍ରକ୍ରିୟା ଭିତରେ ସଚିବାଳୟ ଏଏସ୍ଓ ଖବର ସହ ଗାଆଁ ରୁ ସହର, ହ୍ୱାଟ୍ସଆପରୁ ୟୁଟ୍ୟୁବ ବେଶ୍ ଚଳଚଞ୍ଚଳ। ଚାକିରୀ ଆଶାୟୀ ଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା, ସଚିବାଳୟ ସେମାନଙ୍କୁ ସ୍ୱାଗତ କରିବା ପାଇଁ ସେତିକି ବ୍ୟସ୍ତତା ସହ ଅପେକ୍ଷାରତ। ଚଳିତ ବର୍ଷ ସଚିବାଳୟ ସେବା ବର୍ଗରେ  ରେକର୍ଡ ସଂଖ୍ଯକ ପଦୋନ୍ନତି (ଆଜି ସୁଦ୍ଧା ୭୯୩) ଦିଆଯାଇଛି। ସେଥିମଧ୍ୟରୁ ୫୬୯ ଜଣ ଏଏସ୍ଓ ଙ୍କୁ ସେକ୍ସନ ଅଫିସର କରାଯାଇଛି। ଫଳରେ ଏଏସ୍ଓ ପଦବୀରେ ଏକ ବଡ ଧରଣର ଶୂନ୍ୟତା ସ୍ରୁଷ୍ଟି ହୋଇଛି। ବର୍ତ୍ତମାନର ତଥ୍ଯ ଅନୁସାରେ, ୧୫୮୦ ଏଏସ୍ଓ ପଦବୀରୁ ୭୧୭ ଜଣ ଥିବାବେଳେ ୮୬୩ ପଦବୀ ଖାଲି ଅଛି। ତେଣୁ ବରିଷ୍ଠ ପଦବୀଗୁଡିକ ପ୍ରାୟ ପୂର୍ଣ୍ଣ ଥିବାବେଳେ ପ୍ରାରମ୍ଭିକ ପଦବୀ ଖାଲି ଥିବାରୁ ଦୈନଦିନ କାର୍ଯ୍ୟ ରେ ଏହାର ଗଭୀର ପ୍ରଭାବ ପଡୁଛି। ଏଥିସହିତ ଆଗାମୀ ୩ ବର୍ଷରେ  ୩୭୦ ଜଣ ଅଧକାରୀ ଅବସର ନେବାର ଅଛି। ଯଦି ଖୁବ ଶୀଘ୍ର ନିଯୁକ୍ତି କରା ନଯାଏ, ଠିକ୍ ୭ ବର୍ଷ ତଳର ପରିସ୍ଥିତି ଉପୁଜିବ। ପ୍ରତି ସେକ୍ସନକୁ ସେକ୍ସନ ଅଫିସର ଜଗିଥିବେ କିନ୍ତୁ କାମରେ ସାହାଯ୍ୟ ପାଇଁ ଆସିଷ୍ଟାଣ୍ଟ୍ ସେକ୍ସନ ଅଫିସର ନଥିବେ। 

ନିକଟରେ ଓପିଏସସି ୭୯୬ ପଦବୀ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ସଚିବାଳୟ ସେବା ବର୍ଗର ପରିସ୍ଥିତି ଏମିତି ଯେ, ଦୀର୍ଘ ୨୦ ବର୍ଷ ଧରି ନିଯୁକ୍ତି ବନ୍ଦ ଥିବାରୁ ପ୍ରତି ବର୍ଷ ଶତାଧିକ ଅଧିକାରୀ ଅବସର ନେଉଥିବା ବେଳେ ପ୍ରତି ବର୍ଷ କିନ୍ତୁ ନିଯୁକ୍ତି କରାଯିବାର ପ୍ରାବଧାନ ନାହିଁ। ଫଳରେ ଏକାଥରକେ ଏକ ବଡ ସଂଖ୍ୟାର ପଦବୀ ପାଇଁ ନିଯୁକ୍ତି କରିବାକୁ ପଡୁଛି। ଯେମିତିକି, ୮୧୧ ପରେ ୫୦୦ ଏବଂ ଆଗକୁ ୭୯୬ । ଏମିତି ଅଧିକ ସଂଖ୍ଯକ ପଦବୀ ପୂରଣ ଦ୍ୱାରା ଓଡିଶା ର ଯୁବକ ଯୁବତୀ ନିଯୁକ୍ତି ତ ପାଇବେ କିନ୍ତୁ ପରବର୍ତ୍ତୀ ସମୟରେ ଚାକିରୀ ରେ  ବିଭିନ୍ନ ସୁବିଧା ସୁଯୋଗ ପାଇଁ ନିଜ ବ୍ୟାଚରେ ତାଲିକା ର ଶେଷ ଆଡକୁ ଥିବା ପିଲାମାନଙ୍କୁ ହଇରାଣ ହେବାକୁ ପଡେ। 

ଏବେ ସମାଜରେ ଏମିତି ଏକ ଟ୍ରେଣ୍ଡ ଚାଲିଚି, ଯେଉଁଥିରେ ଗୋଟେ ଚାକିରୀ ଛାଡି ଆଉ ଗୋଟିଏ ଚାକିରୀରେ ଯୋଗଦେବାର ପିଲାଙ୍କ ସଂଖ୍ଯା ପ୍ରତିବର୍ଷ ବଢୁଛି। ଫଳରେ ନିଯୁକ୍ତି ପରେ ପରେ ବହୁତ କମ୍ ସମୟରେ ପୁଣି କିଛି ପଦବୀ ଖାଲି ହେଇଯାଉଛି। ଯଦି ସଚିବାଳୟ ସେବା କ୍ୟାଡର କଥା ଦେଖିବା, ୨୦୧୬ ମସିହାରେ ଯୋଗଦେଇଥିବା ୨୦୧୧ ବ୍ୟାଚର ୮୧୧ ମଧ୍ୟରୁ ଆଉ ୬୬୬ ଜଣ ଥିବା ବେଳେ ୨୦୧୫ ବ୍ୟାଚର ୧୪୦ ମଧ୍ୟରୁ ୧୦୦ ଜଣ ଅଛନ୍ତି। ସେହିପରି ୨୦୧୯ ରେ ଯୋଗଦେଇଥିବା ୨୦୧୮ ବ୍ୟାଚର ୫୦୦ ମଧ୍ଯରୁ ଏବେ ମାତ୍ର ୪୬୩ ଜଣ ଅଛନ୍ତି। ଆଗାମୀ ଦିନରେ ମଧ୍ଯ ଅନେକ ଛାଡିବାର ସମ୍ଭାବନା ରହିଛି। ଗ୍ରୁପ-ବି ଅଣଗେଜେଟେଡ ପାହ୍ୟାର ଏହି ଏଏସ୍ଓ ଚାକିରୀ ପାଇଥିବା ମେଧାବୀ ମାନେ  ବିଶେଷତଃ ଓଡିଶା ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଅନେକ ସଫଳ ମଧ୍ଯ ହେଉଛନ୍ତି। ଟେକ୍ନିକାଲ ଯୋଗ୍ୟତା ଥିଲେ  AEE (Civil/Electrical/Mechanical) ପାଇଁ ପ୍ରସୁତ ହେଉଛନ୍ତି। 
ସେ ଯାହା ହେଉ, କ୍ୟାରିୟର ପାଇଁ ସମସ୍ତେ ସ୍ୱାଧୀନ ଭାବରେ ନିଜର ଉଦ୍ୟମ କରିବା ଦରକାର। ଆଗକୁ କିନ୍ତୁ ପଞ୍ଚାୟତ ନିର୍ବାଚନ ତଥା ଓପିଏସସି ର କାର୍ଯ୍ୟସୂଚୀକୁ ଦେଖିଲେ, ଏଏସ୍ଓ ନିଯୁକ୍ତି କିଛି ମାସ ବିଳମ୍ବ ହେବା ଜଣାପଡୁଛି। ଅବଶ୍ୟ ଏହି ସମୟରେ ପିଲାମାନେ ଅନ୍ୟ ପରୀକ୍ଷା ଗୁଡିକୁ ଧ୍ଯାନ ଦେଇପାରିବେ। ୨୦୨୧ ଶେଷ ସୁଦ୍ଧା ରାଜସ୍ବ ନିରୀକ୍ଷକ ର ୫୮୬ ଏବଂ ଓଡିଶା ହାଇକୋର୍ଟ ର ୨୦୨ ଏଏସ୍ଓ ପଦବୀ ପାଇଁ ଚୁଡାନ୍ତ ତାଲିକା ପ୍ରକାଶ ପାଇବାର ବିଶେଷ ଆଶା ରହିଛି। 
ତେଣୁ ୨୦୨୨ ରେ ମୁଖ୍ୟତଃ OSSSC ର ୨୪୮୧ ଗ୍ରୁପ-ସି ପଦବୀ ଏବଂ  OPSCର ୭୯୬ ସଚିବାଳୟ ଏଏସ୍ଓ ପଦବୀ ପାଇଁ ପରୀକ୍ଷାର୍ଥୀ ଙ୍କ ମଧ୍ୟରେ ପ୍ରସ୍ତୁତି ଜାରି ରହିବ। ଆଶା କରାଯାଏ ଜୁନ ସୁଦ୍ଧା ଏହି ଦୁଇଟି ପରୀକ୍ଷାର ସମସ୍ତ ପ୍ରକ୍ରିୟା ଶେଷ ହେଇପାରିଲେ, ଉଭୟ କ୍ଷେତ୍ରରେ ସରକାରୀ କାର୍ୟ୍ଯ ଠିକ୍ ଭାବରେ ସଂପାଦନ ହେଇପାରିବ। 

No comments: