Thursday 24 March 2022

ସଚିବାଳୟରେ ଚାକିରୀ : ଅନ୍ୟର ଆଶା ଓ ନିଜର ପାରିବା ପଣିଆ

ଆମ ଗାଁ ସରପଞ୍ଚ ହେବା ପାଇଁ ଲବି କରୁଥିବା ଜଣେ ସଂପର୍କୀୟ ଦାଦା ଭୁବନେଶ୍ୱର ଆସିଥିଲେ। ଉଦ୍ଦେଶ୍ଯ ଥିଲା ସ୍ଥାନୀୟ ବିଧାୟକ ଙ୍କୁ ଦେଖା କରିବା। ସାଙ୍ଗରେ ଆସିଥିଲେ ଆଉ ୩-୪ ସଂପର୍କୀୟ ଗାଁ ଗୁରୁଜନ। ଏମାନେ ପ୍ରାୟତଃ ବିଗତ ୨୦-୩୦ ବର୍ଷ ହେଲା ଗାଁ ରେ ରାଜନୀତି କରୁଛନ୍ତି। ସେ ଦ୍ରୁଷ୍ଟିରେ ଆଜିର ଯୁବ ଗୋଷ୍ଠୀ ସେମାନଙ୍କୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଯଦି ଭୁବନେଶ୍ୱର ରେ କୌଣସି ଗାଁ ଲୋକ ଭେଟ ହୁଅନ୍ତି, ତେବେ ସବୁ ଭୁଲିଯାଏ ଆଉ ବହୁତ ଖୁସି ଲାଗେ। ବର୍ଷ ସାରା ବିଧାୟକ ଙ୍କ ସରକାରୀ କ୍ୱାର୍ଟର କୁ ଆସୁଥିଲେ ମଧ୍ଯ, ଏଜି ଛକରୁ ଆଚାର୍ଯ୍ୟ ବିହାର ଫେରିବା ବାଟରେ ବାମ ପଟରେ ସଚିବାଳୟ ଓ ବିଧାନସଭାକୁ କେବଳ ବୋଲେରୋ ଗାଡି ଭିତରୁ ଦେଖନ୍ତି ଅଥଚ ତଥାକଥିତ ସୁରକ୍ଷା ବଳୟ ଭେଦ କରି ଭିତରକୁ ଯିବାର ସ୍ୱପ୍ନ ମଧ୍ଯ ଦେଖିନଥାନ୍ତି। 
ନିକଟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସାରା ଓଡିଶାର ଆଶାୟୀ ସରପଞ୍ଚ ପ୍ରାର୍ଥୀ ମାନଙ୍କ ସୁଅ ଛୁଟିଥିଲା ରାଜଧାନୀ କୁ। ସେହି କ୍ରମରେ ଆମ ଗାଁ ର ନେତା ମାନେ ମଧ୍ଯ ଆସନ୍ତି। ହଠାତ୍ ଦିନେ ୫ନଂ ଗେଟ ପାଖରେ ଥାଇ ମୋ ପାଖକୁ ଫୋନ କଲେ। ମୋତେ ଟିକେ ଦେଖା କରିବାକୁ। ସଚିବାଳୟରେ ଏବେ ବାହାର ଲୋକଙ୍କୁ ପ୍ରବେଶ ମନା। ତେଣୁ ମୋତେ ହିଁ ଯିବାକୁ ପଡିବ। ଏପଟେ ଅଫିସ କାମ । ତଥାପି ୩୦-୪୦ ମିନିଟ ଅପେକ୍ଷା କରାଇବା ପରେ ମୁଁ ପହଞ୍ଚିଲି। ଏହି ଅପେକ୍ଷା ସମୟ ମଧ୍ୟରେ ଗେଟ ଦେଇ ଯିବା ଆସିବା କରୁଥିବା କର୍ମଚାରୀ ଓ ଅଫିସରଙ୍କ ଆମ୍ବାସଡର କାର କୁ ଦେଖୁଥାନ୍ତି। ସେମାନେ ହଠାତ୍ ନିଜକୁ ଟିକେ ଟିକେ ଗୌଣ ଅନୁଭବ କରିବା ଆରମ୍ଭ କରିଦେଲେଣି । ଗେଟର ଉଭୟ ବାମ ଓ ଡାହାଣ ପାର୍ଶ୍ୱ ରେ ୪୦ ମିଟର ଲେଖାଏଁ ସ୍ଥାନ କୁ ସମସ୍ତଙ୍କୁ ବାରଣ କରାଯାଇଥିବାରୁ ଟିକେ ଦୂରରେ ଠିଆ ହୋଇ ସବୁ ଲକ୍ଷ୍ଯ କରୁଥାଆନ୍ତି। ହଠାତ୍ ମୁଁ ଯାଇ ପହଞ୍ଚିଲି। ଗାଁ ରେ ଥିଲାବେଳେ ଯଦିଓ ଏତେ କଥାବାର୍ତ୍ତା ହେଉ ନଥିଲୁ କିନ୍ତୁ କାହିଁକି କେଜାଣି ମନ ଭିତରୁ ଏକ ପ୍ରକାର ଆନନ୍ଦ ଆସି ଯଉଥିଲା। ନିଜ ନିଜ ଭିତରେ ସେମାନେ ଅନେକ କଥା ମୋ ବିଷୟରେ ଆଲୋଚନା କରିଛନ୍ତି। ଗାଁ ର ଏକ ମଧ୍ୟବିତ୍ତ ପରିବାରର ସବୁପ୍ରକାର ପ୍ରତିକୂଳ ପରିସ୍ଥିତି କୁ ଅତିକ୍ରମ କରି ଯେତେବେଳେ ନିଜ ଗୋଡରେ ନିଜେ ଛିଡା ହେଇପାରିଛି, ମୋତେ ଆଗରୁ ଜାଣିଥିବା ସମସ୍ତ ଧନୀ, ରାଜନେତା, ବଳଶାଳୀ ବ୍ୟକ୍ତି ମଧ୍ଯ ସମ୍ମାନ କରନ୍ତି। ସେମାନେ କଥାଛଳରେ ନିଜ ପିଲାମାନଙ୍କ ଅୟସପଣ, ଅସାମାଜିକ ପ୍ରବ୍ରୁତି କୁ ତୁଳନା କରି ନିଜକୁ ଦୁଃଖୀ ଅନୁଭବ କରନ୍ତି। ଗାଁ ର ପ୍ରାୟ ସମସ୍ତ ଘରର ଅସୁବିଧା ସମୟରେ ଭଦ୍ର ଲୋକ ସାଜି ମୀମାଂସା କରୁଥିବା ଏହି ଗୋଷ୍ଠୀ ବୟସର ଅପରାହ୍ନ ରେ ନିଜ ପରିବାରର ପିଲାମାନଙ୍କୁ ନେଇ ବେଶ ଅସହାୟ। ଗାଁ ରେ ଅଜାତି ବିବାହ କଲେ ଗାଁ ସାହି ଭାଇ ରୁ ବାସନ୍ଦ ନିର୍ଦ୍ଦେଶ ଦିଅନ୍ତି ଏଇମାନେ। ଦୁଇ ଭାଇ କଳି ହେଲେ, ଅଲଗା ଅଲଗା କଥା କହି ଥାନା ପର୍ୟ୍ଯନ୍ତ କଥା ନିଅନ୍ତି ଏଇମାନେ। ହେଲେ ଆଜି ନିଜ ପୁଅ ହରିଜନ ସାହିରୁ ଗୋଟେ ଝିଅକୁ ଧରି ପଳାଇ ଆସିଛି। ସାନପୁଅ ବାହାହେଲା ପରେ ଭିନେ ହୋଇ ରହୁଛି ଏବଂ ନିଜର ଭାଗ ମାଗୁଛି। ହେଲେ ଏମାନଙ୍କୁ ବୁଝାଇବା ପାଇଁ ଗାଁ ରେ ଆଉ ଭଦ୍ର ଲୋକ କିଏ? ସମୟ ଚକରେ ଘୁରି ଘୁରି ନିଜର ଦାମ୍ଭିକ ଖୋଳପା ପିନ୍ଧି ଅନ୍ୟ ସାମ୍ନାରେ ବାଘର ପରିଚୟ ଦେଉଥିବା ବ୍ଯକ୍ତି ଟି ଆଜି ନିଜ ଭିତରେ ଅସହାୟତା ଅନୁଭବ କରୁଛି। 
ସେ ଯାହା ହେଉ, ମୁଁ ପହଞ୍ଚିବା ପରେ ସମସ୍ତଙ୍କୁ ଯଥାମାନ୍ୟ ସମ୍ମାନ ଜଣାଇ ସେମାନଙ୍କ ଆଗମନ ବିଷୟରେ ପଚାରିଲି। ଯଦିଓ ଔପଚାରିକ ଦ୍ରୁଷ୍ଟି ରୁ କୌଣସି କାମ ନାହିଁ ବୋଲି କହିଲେ, କିନ୍ତୁ ଜଣେ ଦାଦା ସଂପର୍କୀୟଙ୍କ ବୋହୁର ବଦଳି ବିଷୟ ନେଇ ପଚାରିଲେ। ହାତରେ ଥିଲା ବିଧାୟକ ଙ୍କ ଲେଟରପ୍ୟାଡ ଏବଂ ସେଥିରେ ବୋହୁର ବଦଳି ପାଇଁ ସୁପାରିଶ। ସଚିବାଳୟ ରେ ଚାକିରୀ କଲା ପରେ ପ୍ରତି ମାସରେ ଏହି ବଦଳି ସଂକ୍ରାନ୍ତିୟ ସୁପାରିଶ ଅନେକ ଦେଖିଛି। ସବୁରି ପରେ ମାନ୍ୟବର ବିଧାୟକ ଙ୍କ ଲେଖାଟି ରଖି ସଂପ୍ରୁକ୍ତ ବିଭାଗ ରେ ପହଞାଇଦେବାର ଭରସା ଦେଲି। କିନ୍ତୁ ସେଇ ସରପଞ୍ଚ ଆଶାୟୀ ଙ୍କୁ ଗୋଟିଏ କଥା ପଚାରିଲି, ଯେ ଦୀର୍ଘ ୩୦ ବର୍ଷ ସେଇ ବିଧାୟକ ପାଖରେ କାମ କଲ, କର୍ମୀ ଯୋଗାଡ କଲ ଅଥଚ ନିଜ କାମ ପଡିଲା ବେଳେ ସେ ନିଜେ ଟିକେ ଫୋନ କରିପାରୁନାହାନ୍ତି? ଏଇ ଗୋଟିଏ ଲେଟର ପ୍ୟାଡ ବଳରେ ଯଦି ବଦଳି ଏତେ ସହଜ ହେଇଥାଆନ୍ତା, ତେବେ ଆଉ ପ୍ରଶାସନିକ ସ୍ତରରେ ଏତେ ପରିଶ୍ରମ କରିବାକୁ ପଡନ୍ତା ନାହିଁ। 
ସଚିବାଳୟ ରେ ଚାକିରୀ କରିବା ପରଠାରୁ ମୋର ଯାହା ଅଭିଜ୍ଞତା କହେ, ଜଣେ ସାଧାରଣ ଜନତାର କାମ ତଳ ସ୍ତର ଅଫିସରୁ ହିଁ ଆରମ୍ଭ ହୁଏ। ସଚିବାଳୟ ରେ ସିଧାସଳଖ କାହାର କାମ ଏତେ ମାତ୍ରାରେ ହୁଏ ନାହିଁ। କିନ୍ତୁ ନିଜର ବନ୍ଧୁ ପରିଚିତ ସେକଥା ବୁଝିବେନି। କାମ ହୋଇ ନପାରିଲେ, ମୁହଁ ଫୁଲେଇବେ। ସେହି କାମଟି କରିବା ପାଇଁ ଆଉ ଗୋଟିଏ ବିଭାଗ ଯାଇ ଦୁଇ ତିନି ଅଧିକାରୀଙ୍କୁ କହିବାକୁ ପଡିବ। ସେମାନେ ପୁଣି ତଳ ଅଫିସରେ କାହାକୁ କହିବେ। ତାପରେ କାମ କେତେ ମାତ୍ରାରେ ହେଇ ପାରିବ ଜଣାନାହିଁ। 
ଗୋଟେ ଉଦାହରଣ ଦେଲେ ଜାଣି ପାରିବେ, 
ଗାଁରେ ଜଣେ ପିଲାର ଚାକିରୀ ପାଇଁ ବାସସ୍ଥାନ ପ୍ରମାଣ ପତ୍ର / ଜାତି ପ୍ରମାଣ ପତ୍ର ଆବଶ୍ଯକ। ଗାଁରେ ପ୍ରାୟ ସମସ୍ତେ ଗ୍ରାଜୁଏଟ। କିଛି ଲୋକ ସରକାରୀ ଚାକିରୀଆ ମଧ୍ଯ। ସମସ୍ତଙ୍କ ହାତରେ ମୋବାଇଲ ଏବଂ ଇଣ୍ଟରନେଟ ସୁବିଧା। ହେଲେ ଏହି ପ୍ରମାଣ ପତ୍ର ସବୁ କେମିତି ମିଳେ ତାହା କାହାକୁ ଜଣାନାହିଁ। ସାଧାରଣତଃ ତିନୋଟି ଉପାୟ ଲୋକମାନେ ଆପଣାଇ ଥାଆନ୍ତି। ୧) ନିୟମିତ ତହସିଲ ଯାଉଥିବା କୌଣସି ଓକିଲ କୁ ୩୦୦ ଟଙ୍କା ଦେଇ ଦିଅନ୍ତି। ୬-୭ ଦିନ ପରେ ସେ ତହସିଲ ରୁ ଫେରିଲା ବେଳେ ନେଇଆସେ। ୨) ନିଜ ଗାଁ ରେ ଥିବା ଜନସେବା କେନ୍ଦ୍ରରେ କହିବା ଅନୁଯାୟୀ ପୈଠ କରନ୍ତି ଓ ୫-୬ ଦିନ ପରେ ପୁଣି ସେଠାରୁ ଡାଉନଲୋଡ୍ କରନ୍ତି। ୩) ତହସିଲ ନିକଟସ୍ତ ଯେକୌଣସି ଇଣ୍ଟରନେଟ ଦୋକାନରେ ପହଞ୍ଚି ଆବେଦନ କରନ୍ତି। 

ହେଲେ କେହି ଜଣେ ବ୍ଯକ୍ତି ସିଧାସଳଖ ଫର୍ମ କିଣି, ନିଜେ ପୂରଣ କରି ଆବଶ୍ଯକ କାଗଜାତ ତହସିଲ ରେ ଦାଖଲ କରିବାର ଚିନ୍ତା ମଧ୍ଯ କରନ୍ତି ନାହିଁ। କିଛି ବର୍ଷ ତଳେ user fee  ଥିଲା। ଏବେ ତାହା ନାହିଁ। ଅନଲାଇନ ମାଧ୍ୟମରେ ନିଜ ମୋବାଇଲ କିମ୍ବା କମ୍ପୁଟର ରେ ଜଣେ ସାଧାରଣ ପାଠପଢା ପିଲା ବିନା ଖର୍ଚ୍ଚ ରେ ଆବେଦନ କରିପାରିବ। ନିୟମିତ ତାହାର status  ଜାଣି ପାରିବ। ତହସିଲଦାରଙ୍କ approval  ପରେ ନିଜେ ଡାଉନଲୋଡ୍ ମଧ୍ଯ କରିପାରିବ। ହେଲେ ପ୍ରତିଦିନ ୧.୫ଜିବି ଡାଟା ସାରିବା ପାଇଁ ରାତି ୧୨ ଯାଏ ଶୋଉନଥିବା  ପିଲାର ଏଥିପାଇଁ ସମୟ ନାହିଁ। 
ଉପର ବର୍ଣ୍ଣିିତ ଆଲେଖ୍ୟର ଉଦ୍ଦେଶ୍ଯ ଏହି ଯେ, ମନେକର ଏହି ସାମାନ୍ଯ କାମ ପାଇଁ ନିଜ ତରଫରୁ ଉଦ୍ୟମ ନକରି ସିଧାସଳଖ ମୋ ପାଖକୁ ଫୋନ ଆସେ। ତେବେ ସଚିବାଳୟର ଅନ୍ୟ ଏକ ବିଭାଗରେ ଚାକିରୀ କରିଥିବା ଅଧିକାରୀ ଯଦି ବି ସାହାଯ୍ୟ କରିବାକୁ ଚାହେଁ, ତେବେ ବହୁତ ଜଣଙ୍କ ପାଖକୁ ଯାଇ ଅନୁରୋଧ କରିବାକୁ ପଡିବ। କିନ୍ତୁ ଗାଁ ଲୋକ ସେକଥା ବୁଝିବେନି। 

ଏବେ ଆସିବା, ଗାଁ ଲୋକ ଆଣିଥିବା କାଗଜ ଖଣ୍ଡିଏ କଥାକୁ। ସେ କାମ ମଧ୍ଯ ଏତେ ସହଜ ନୁହେଁ। କିନ୍ତୁ ସମସ୍ତେ କିଛି ଆଶା ରଖନ୍ତି। ସେମାନେ ଇଛା କରିଥିଲେ, ମୁଁ ସେମାନଙ୍କୁ ସଚିବାଳୟ ଭିତରକୁ ଡାକିବି, ଅଫିସ ଟିକେ ବୁଲେଇବି, କାଗଜ ଖଣ୍ଡିକ ଯଥା ବିଭାଗରେ ନେଇ  ପହଞ୍ଚାଇବି। ହେଲେ ସଚିବାଳୟର ସୁରକ୍ଷା ଦ୍ରୁଷ୍ଟିରୁ ସେ ସବୁ ତ ସମ୍ଭବ ହେଲାନି। ଘଣ୍ଟାଏ କଥାବାର୍ତ୍ତା ପରେ  ସେମାନେ ବିଦାୟ ନେଲେ। 

ସଚିବାଳୟ ୫ନଂ ଗେଟ ପାଖରେ ଦେଖା କରିବାକୁ ଦିନରେ ଏହିପରି ୬-୭ ଥର ଆସିବାକୁ ପଡେ। ବିଭିନ୍ନ କାମରେ ବିଭିନ୍ନ ଲୋକ ଆସନ୍ତି। କିନ୍ତୁ ନିଜ ଦ୍ୱାରା ସବୁ କାମ ତ ହେଇ ପାରିବନି। ବରଂ ଗାଁ ରେ ଯାଇ ସେମାନେ ଅପବାଦ ଦିଅନ୍ତି ଯେ, ଗାଁ ର ଏତେବଡ ବୟୋଜ୍ୟେଷ୍ଠ ତଥା ବଡଲୋକ ମାନଙ୍କୁ ଗେଟ ବାହାରେ ଅପେକ୍ଷା କରାଇଲା, କିଛି ଖାଇବାକୁ ଦେଲାନି, ଅଫିସରେ ବସାଇଲାନି। 

କ୍ରମଶଃ
ବି.ଦ୍ର. - ସମସ୍ତ ଚରିତ୍ର କାଳ୍ପନିକ

No comments: