ରାଜ୍ୟ ସଚିବାଳୟରେ ବିଗତ ତିନି ବର୍ଷ ରେ ତିନୋଟି ଓପିଏସସି ପରୀକ୍ଷା ଦ୍ଵାରା ଚୟନ କରି ୧୪୫୦ ଏଏସ୍ଓ ଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଚାକିରୀ ପାଇବା ପାଇଁ ଗତବର୍ଷ ସାରା ଓଡ଼ିଶାରେ ଯେମିତି ଏକ ପ୍ରକାରର କଳରବ ଶୁଣାଯାଉଥିଲା । କଟକ - ଭୁବନେଶ୍ୱରର ସମସ୍ତ କୋଚିଂ ସେଣ୍ଟର, କାନ୍ଥବାଡ଼ କେବଳ ଏଏସଓ ପରୀକ୍ଷା ସଂପର୍କରେ ହଟଚମଟ କରୁଥିଲେ। କେଜାଣି କାହିଁକି ଏକ ପ୍ରକାର ଅପ୍ରକାଶିତ ପ୍ରାଧାନ୍ୟତା ସୃଷ୍ଟି କରାଇ ଦିଆଯାଇଥିଲା । ସତେଯେମିତି ସାରା ଭାରତ ବର୍ଷରେ ସବୁଠାରୁ ଭଲ ଚାକିରୀ। ଯଦି ଭଲ ଶବ୍ଦର ସଂଜ୍ଞା ନିଆଯାଏ, ତେବେ ଏହା ଏକ ବ୍ୟାପକ ଶବ୍ଦ। ଯେମିତି ସ୍କୁଲରେ ଶିକ୍ଷକତା ଚାକିରୀ କୁ ଏକ ସର୍ବକାଳୀନ ଆରାମଦାୟକ ଚାକିରୀର ମାନ୍ୟତା ଲୋକଲୋଚନରେ ସୃଷ୍ଟି କରାଇ ଦିଆଯାଇଥିଲା ଏବଂ ସେଥିପାଇଁ ଚାକିରୀଆ ବୋହୁ ଖୋଜୁଥିବା ପରିବାର ସ୍ଵଳ୍ପ ବେତନଭୋଗୀ ଶିକ୍ଷା ସହାୟିକାଙ୍କୁ ବେଶୀ ପସନ୍ଦ କରୁଥିଲେ। ସେମିତି ମଧ୍ୟ ୨୦୦୬ ରୂ ୨୦୧୦ ମଧ୍ୟ ପିଲା ତଥା ଅଭିଭାବକ ମାନଙ୍କ ମଧ୍ୟରେ ବି-ଟେକ୍ କ୍ୟରିୟର ପ୍ରତି ଅହେତୁକ ଆଗ୍ରହ ଦେଖିବାକୁ ମିଳିଥିଲା । ଯାହା ଫଳରେ ଜଣେ ମଧ୍ୟବିତ୍ତ ପରିବାରର ପିତାମାତାଙ୍କର କଷ୍ଟୋପାର୍ଜିତ ୧୦-୧୨ ଲକ୍ଷ ସଂଚୟକୁ ଇଞ୍ଜିନିୟରିଂ ଭଳି ଏକ ବୃତ୍ତିପାଇଁ ନିଜେ ଅଯୋଗ୍ୟ ଜାଣି ମଧ୍ୟ ଅନେକ ଛାତ୍ରଛାତ୍ରୀ ୪ ବର୍ଷ ମଉଜ କଲାପରେ ବେକାର ହୋଇ ବୁଲୁଛନ୍ତି। ତେଣୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ବିଷୟକୁ ସର୍ବୋତ୍କୃଷ୍ଟ ବୋଲି ଧାରଣା ସୃଷ୍ଟି କରାଇଦିଆଯାଏ । ଫଳସ୍ଵରୂପ ଗୋଟିଏ କାର୍ଯ୍ୟାଳୟ ରେ କାମକରୁଥିବା ଜଣେ ପିଅନ ନିଜର ଉପରିସ୍ଥ ଗ୍ରୁପ ସି କର୍ମଚାରୀ ଠାରୁ ଭଲରେ ଅଛି ବୋଲି ଭାବେ କାରଣ କିରାଣୀ ଜଣକ ୧୨ ଘଣ୍ଟା ଅଫିସରେ କାମକରୁଥିବା ବେଳେ, ପିଅନ ଜଣକ ଦିନସାରା କେବଳ ପାଣି ଦୁଇ ତିନି ବୋତଲ ଦେଇ ଦେଲା ପରେ ଗୁଲିଖଟି କରି ସମୟ ସାରିଦିଏ । ସେଥିରେ ମଧ୍ୟ ମାଗଣାରେ ୮-୧୦ କପ୍ ଚା ପିଇବାର ସୌଭାଗ୍ୟ ପାଇଥାଏ ଏବଂ ସଂଧ୍ୟା ସୁଦ୍ଧା ବିନା କାରଣରେ ଦୁଇପଇସା ପ୍ରାପ୍ୟ ମଧ୍ୟ ହୋଇଥାଏ। ତେଣୁ ସେ ତା' ନିଜ ଚାକିରୀ କୁ ଭଲ ଭାବିବା ସ୍ଵଭାବିକ । ସେହି ଏକା ସ୍ଥାନରେ ବେଳେବେଳେ ଗୃପ ସି କର୍ମଚାରୀ ଜଣକ ପାଖରେ ଦୁଇଟି ଭିନ୍ନ ଚିନ୍ତଧାରା ଆସିପାରେ । ଯେହେତୁ ସର୍ବାଧିକ କାର୍ଯ୍ୟ ସେ ହିଁ ଆରମ୍ଭ ତଥା ବିଶ୍ଳେଷଣ କରିଥାଏ, ଅଧିକ ପ୍ରାପ୍ୟ ଆଶା କରେ। ମାତ୍ର ନିଜ କ୍ୟାଡ଼ରର ତଥା କଥିତ ବଡ଼ବାବୁ ଜଣକ କେବଳ ଯଥା ପ୍ରସ୍ତାବିତ ଲେଖିଦେଇ ନିଜର କର୍ତ୍ତବ୍ୟ ସାରିଦେଲେ ମଧ୍ୟ ଅଧିକ ବେତନ ପାଆନ୍ତି । ହେଲେ ଏଭଳି ତୁଳନାତ୍ମକ ଆଲୋଚନା କୁ ବାଚାଳାମି ତଥା ବେକାର ଯୁକ୍ତି ବୋଲି ନିଶ୍ଚୟ କୁହାଯିବ । ଅଥଚ ସେହି ସମୟରେ ବଡ଼ବାବୁ ଜଣକ ଯଦି ଫାଇଲ ସହ ଜଡ଼ିତ ବ୍ୟକ୍ତି ଅଥବା ଅନୁଷ୍ଠାନ ଠାରୁ ଉପରୋକ୍ତ ଗୃପ ସି କର୍ମଚାରୀ ନାମରେ ଲାଞ୍ଚ ଅର୍ଥ ଆଦାୟ କରେ ତେବେ କାମ କରିବାର ସ୍ପ୍ରୃହା ନିଶ୍ଚୟ କମିଯିବ। କିନ୍ତୁ ଏହା ସତ୍ୟ ଯେ, ଅନ୍ତିମ ନିଷ୍ପତ୍ତି ତଥା ଚିଠି ରେ ଦସ୍ତଖତ କରିବାର କ୍ଷମତା ଉପରୋକ୍ତ କର୍ମଚାରୀ ମାନଙ୍କର ନାହିଁ । ଅଥଚ କାର୍ଯ୍ୟାଳୟରେ ସେମାନଙ୍କର କାଟତି ଅଧିକ ରହେ। ଭାରତୀୟ ସମ୍ବିଧାନ ତଥା ଶାସନ ବ୍ୟବସ୍ଥା ମଧ୍ୟରେ ଜଣେ କର୍ମଚାରୀ (ଯେକୌଣସି ପଦବୀ) କେବଳ ନିମିତ୍ତ ମାତ୍ର । ଏତେ ବଡ଼ ବିଶାଳ ଶାସନ ପଦ୍ଧତି ଭିତରେ ନିଜକୁ ସର୍ବଶ୍ରେଷ୍ଠ ଭାବିବା ମୁର୍ଖାମି ମଧ୍ୟ । ଆଉ ନିଜ ଚାକିରୀ ତଥା ବୃତ୍ତିକୁ ଦୁନିଆରେ ସବୁଠାରୁ ଭଲ ଭୋଲି ଭାବିବା ଅଲଗା କଥା କିନ୍ତୁ ଭଲ ବୋଲି ଦାବି କରିବା ଚିନ୍ତାଧାରାକୁ ସୀମିତ ପରିଧି ଭିତରେ ରହି ଅଳ୍ପରେ ସନ୍ତୁଷ୍ଟ କିମ୍ବା ତୁଳନାତ୍ମକ ଭାବରେ ଉଚ୍ଚ ମାନ୍ୟତା ପାଇବାର ଅଯୋଗ୍ୟତା କୁ ଲୁଚାଇବା ମାନସିକତା ବୋଲି ମୁଁ ଭାବେ ।
ଏବେ ଫେରିବା ମୁଖ୍ୟ ଆଲୋଚନା କୁ ।
ସମସ୍ତେ ଜାଣିଥିଲେ ମଧ୍ୟ ପ୍ରାରମ୍ଭିକ ସୂଚନା ରଖିବାକୁ ଠିକ୍ ଭାବୁଛି । ଭାରତ ତଥା ଓଡ଼ିଶାର ତ୍ରିସ୍ତରୀୟ ପ୍ରଶାସନିକ ବ୍ୟବସ୍ଥା ସଚିବାଳୟ - ବିଭାଗୀୟ ମୁଖ୍ୟ ଦପ୍ତର - କ୍ଷେତ୍ର ସ୍ତରୀୟ କାର୍ଯ୍ୟାଳୟ କୁ ନେଇ ଗଠିତ । ଉଦ୍ଦେଶ୍ୟ ହେଲା ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ ଆବଣ୍ଟନ । କିଛି କାମ ଗୋଟିଏ ସ୍ତରରେ ହୋଇପାରୁଥିଲା ବେଳେ, କିଛି ଉପର କାର୍ଯ୍ୟାଳୟର ଆଦେଶକୁ ଅପେକ୍ଷା ରଖେ। ଏହି ବ୍ୟବସ୍ଥା ଭିତରେ, ଅନେକ କିଛି ସମସ୍ୟା ରହିଛି ଏବଂ ବିଭିନ୍ନ ସମୟର ସରକାର ଭିନ୍ନ ଶୈଳୀରେ ସଂସ୍କାର ଆଣି ଥାଆନ୍ତି ।ଏହା କେତେ ଫଳପ୍ରଦ ହୁଏ, ଅସଲ ଉଦ୍ଦେଶ୍ୟ କ'ଣ - ତାହା ଭିନ୍ନ କଥା । ଏ ପରିପ୍ରେକ୍ଷୀରେ ୧୦୦% ବିରୋଧ ଯଦିଓ ଯୁକ୍ତି ଯୁକ୍ତ ମନେହୁଏନି, ନିଜର ସଂଗଠନ ମାଧ୍ୟମରେ ନିଜର ସଂଶୟ ତଥା ବିଚରଧାରାକୁ କେଉଁଠି କେମିତି ଉପର ସ୍ତରରେ ପହଞ୍ଚାଇବା ନିଜ ଭବିଷ୍ୟତ ପାଇଁ ଉଚିତ ବୋଲି ମନେ ହୁଏ । କିନ୍ତୁ ଏହା ଯେପରି ତଥା କଥିତ ସାଧାରଣ ଜନତା ଏବଂ ସରକାରୀ କର୍ମଚାରୀ ମଧ୍ୟରେ ଥିବା ଭାବଧାରା ପରିମାର୍ଜିତ ହେବା ବଦଳରେ ଆହୁରି କଦର୍ଯ୍ୟ ନହୁଏ । କାରଣ ସ୍ଵଭାବିକ ଭାବରେ ଜଣେ ସରକାରୀ କର୍ମଚାରୀ ଉଭୟ ଶାସକ ଜନପ୍ରତିନିଧି ତଥା ସାଧାରଣ ଜନତା ମଧ୍ୟରେ ଏକ କାର୍ଯ୍ୟକାରୀ ସେତୁ । ଆଉ କାର୍ଯ୍ୟରେ ବିଳମ୍ବ ତଥା ସମସ୍ୟା ହେଲେ ଜନତା ଭାବେ, ମୋ ସରକାର ଭାବୁଥିବା ଏବଂ ଚାହୁଁଥିବା କାର୍ଯ୍ୟ ରେ ସରକାରୀ କର୍ମଚାରୀ ନିଜ ସ୍ଵାର୍ଥ ପାଇଁ ବାଧା ସ୍ରୁଷ୍ଟି କରୁଛନ୍ତି। ସବୁବେଳେ ସବୁ ଯୋଜନା ସାଧାରଣ ଜନତା ପାଇଁ କରାଯାଇଥାଏ ଏବଂ ସରକାରୀ କର୍ମଚାରୀ ଙ୍କ ପାଇଁ ତାହା ବାରଣ ତଥା ଦଣ୍ଡଯୁକ୍ତ ବୋଲି ସୂଚନା ଥାଏ। ଏ କ୍ଷେତ୍ରରେ, କର୍ମଚାରୀ ନିଜକୁ ଅସହାୟ ମନେକରେ । କିନ୍ତୁ ମାନିବାକୁ ବାଧ୍ୟ । ଉଦାହରଣ ସ୍ଵରୂପ ଜଣେ ଭଲ ଆର୍ଥିକ ଅବସ୍ଥା ଥିବା ପରିବାରର ୫ ଜଣ ସମସ୍ତ ସୁବିଧା ସୁଯୋଗ ପାଉଥିବା ବେଳେ, ଜଣେ ମାତ୍ର ସ୍ଵଳ୍ପ ବେତନଭୋଗୀ ପୁଅଯୋଗୁଁ ୮ଜଣିଆ ପରିବାର ସବୁ ଯୋଜନାରୁ ବଞ୍ଚିତ।
ଇତି ମଧ୍ୟରେ ସାଧାରଣ ଜନତାଙ୍କ ସୁବିଧା ପାଇଁ ଓଡ଼ିଶା ସରକାର ଏବେ ବିଭିନ୍ନ ଜନକଲ୍ୟାଣ ଯୋଜନା କୁ ଯେମିତି ଠିକ ସମୟରେ ଠିକ ଭାବରେ ସଂପାଦିତ ହୋଇପାରିବ, ତା' ପାଇଁ, ପ୍ରଥମେ ପ୍ରଶାସନିକ ସଂସ୍କାର ପାଇଁ ସ୍ଵତନ୍ତ୍ର ଧ୍ୟାନ ଦେଉଛନ୍ତି। ଯଥା-
୧. ସବୁ ସ୍ତରରେ ୫-ଟି ପ୍ରଚଳନ
୨. ଦ୍ଵି- ସ୍ତରୀୟ ଶାସନ ବ୍ୟବସ୍ଥା (ବିଭାଗୀୟ ଦପ୍ତର ସହ ସଂପୃକ୍ତ ବିଭାଗ ମିଶ୍ରଣ)
୩. ମୋ ସରକାର
ଯଦି ସାଧାରଣ ଜନତାକୁ ପଚାରିବା, ଏହାକୁ କିଛି ନବୁଝି ମଧ୍ୟ ସମସ୍ତେ ସ୍ଵାଗତ କରିବେ । କାରଣ ସବୁକିଛି ସେମାନଙ୍କ ନିମନ୍ତେ କରାଯାଇଛି। ମାତ୍ର ସବୁ ଦିଗକୁ ବୁଝିପାରୁଥିବା ସରକାରୀ କର୍ମଚାରୀ ଏଥିରେ ଅସନ୍ତୋଷ ପ୍ରକାଶ କରେ। ଯେହେତୁ ଏ ସବୁ କାର୍ଯ୍ୟକାରୀ କରିବା ଦାୟୀତ୍ଵ ତା'ର ଏବଂ କାର୍ଯ୍ୟରେ ତୃଟିର ଅଭିଯୋଗ ଆସିଲେ ତା' ଉପରେ ହିଁ କାର୍ଯ୍ୟାନୁଷ୍ଠାନ । ଏହା ସ୍ଵଭାବିକ ମଧ୍ୟ ।
ବିଭାଗୀୟ ଦପ୍ତର ମିଶ୍ରଣ ସମ୍ବନ୍ଧରେ ଏକ ଅନୁଶୀଳନ ଗତ ମାସରେ ଏହିଠାରେ ପ୍ରକାଶିତ ହୋଇଥିଲା।
Analysis on integration of directorates: Part-1
Analysis on HOD deptt integration: Part-2
ଆଗାମୀ ଦିନରେ ବର୍ତ୍ତମାନର ବଡ଼ ଖବରକୁ ନେଇ ଏକ ବିଶେଷ ଆଲୋଚନା - ଏଏସଓ ମାନଙ୍କ ଦକ୍ଷତା ଉପରେ ମୁଖ୍ୟ ସଚିବ ଙ୍କ ପୂର୍ଣ୍ଣ ଭରସା ଶୀର୍ଷକ ଲେଖା ପ୍ରକାଶ ପାଇବ ।