Wednesday 27 October 2021

ଓପିଏସି ତ ରାଜି ହେଇଗଲା, ଏବେ ପାଠ ପଢିବା ତ ???

ଓଃ !!! ସମସ୍ତେ ଆଶ୍ୱସ୍ତ

ଟିଭିର ବ୍ରେକିଂ ନିଉଜ, ୟୁଟ୍ୟୁବରେ ହଟ୍ ଅପଡେଟ, ହ୍ୱାଟ୍ସଆପ - ଟେଲିଗ୍ରାମ ରେ ଆଲୋଚନା ବିଚାର। ସମସ୍ତଙ୍କ ପାଖରେ ଆଜିର ସେହି ସ୍ବରାଷ୍ଟ୍ର ବିଭାଗ ଚିଠି। ଓପିଏସି କରିବ ଏଏସ୍ଓ ପରୀକ୍ଷା। ଅକାରଣରେ ଅଯଥା ଦ୍ୱନ୍ଦ୍ୱ ତିଆରି ହେଲା। ପୁଣି ସମାଧାନ ହେଲା। କମିଶନ, ସିଲାବସ, ପରୀକ୍ଷା ଶୈଳୀ ସବୁ ସମାନ ରହିବ। ତେଣୁ ଯଥା ପୂର୍ବଂ ତଥା ପରଂ।

ଏଏସ୍ଓ ଚାକିରୀର ମର୍ଯ୍ୟାଦା କେତେ ତାହା ସଚିବାଳୟରେ ଆଜି ଏହି ଚିଠିଟି ପ୍ରସ୍ତୁତ କରିଥିବା ଏଏସ୍ଓ / ଏସ୍ଓ ଜାଣିପାରିଥିବେ। କାରଣ ତାଙ୍କର ଏ ଚିଠି ଆଜି ସାରା ରାଜ୍ଯ ରେ ଲକ୍ଷ ଲକ୍ଷ ପିଲାମାନଙ୍କୁ ସାନ୍ତ୍ବନା ଦେଇପାରିଛି। ଏହି ଚାକିରୀ ରେ ରାଜ୍ଯ ପାଇଁ ନିଷ୍ପତ୍ତି ନିଆଯାଏ, ଅନ୍ୟ ଚାକିରୀ ରେ ନିଷ୍ପତ୍ତି ପାଳନ କରାଯାଏ। ବୋଧହୁଏ ସେଥିପାଇଁ ଏ ଚାକିରୀ ର ଏତେ ଚାହିଦା। ସେହିପରି ଟିଭିରେ ଦେଖୁଥିବା ବିଧାୟକ, ସାଂସଦ, ବରିଷ୍ଠ ପ୍ରଶାସକ ( ଆଇଏଏସ, ଓଏଏସ୍ ଇତ୍ୟାଦି) ମାନଙ୍କୁ ପାଖରୁ ଦେଖିବାର ଓ ସେମାନଙ୍କ ସହ ସିଧାସଳଖ କାମ କରିବାର ଅନୁଭବ କିଛି ନିଆରା। ସଚିବାଳୟରେ ଦିନ ବେଳେ କରିଥିବା କାମ ରାତିରେ ଘରେ ବସି ଟିଭିରେ ଦେଖିଲେ, ଶୁଣିଲେ ବହୁତ ଖୁସି ଲାଗେ, ଗର୍ବ ମଧ୍ଯ ଲାଗେ।
ପଢିବା ପିଲା ତ ସବୁବେଳେ ପଢୁଛନ୍ତି। ନପଢିବା  ପିଲା ଖାଲି ପ୍ରଶ୍ନ ପଚାରୁଛନ୍ତି। ଗୋଟିଏ ସାଧାରଣ କଥା, ଗ୍ରାଜୁଏଟ୍ ପିଲାମାନଙ୍କୁ ଦଶମ ଶ୍ରେଣୀ ପାଠର ପରୀକ୍ଷା ଦେବାର ଅଛି। ଶୁଣିଲେ ତ ସହଜ ଲାଗୁଛି। ନବମ ଦଶମ ପିଲା ଭଳି ଏମାନଙ୍କୁ  ବି ବୁଝାଇବ କଣ? କିନ୍ତୁ ଅସୁବିଧା ହେଲା, କିଏ ଭୁଲି ଯାଇଛି, କାହାର ମନେ ରହୁନି, ଆଉ କିଏ ବୁଝିନି । ଏ ସବୁର ସମାଧାନ ଅଛି। କିନ୍ତୁ ବର୍ତ୍ତମାନ ଏମିତି ଏକ ସମୟ ଚାଲିଛି ଯାହାକି ନିୟମିତ ପରୀକ୍ଷା ଦେଉଥିବା ପିଲାଙ୍କ ପାଇଁ ସମସ୍ୟା। ନିକଟରେ ରାଜସ୍ବ ନିରୀକ୍ଷକ ର କମ୍ପୁଟର ଟେଷ୍ଟ, ୨୪୮୧ ଗ୍ରୁପ-ସି ର  ପରୀକ୍ଷା, BSSO 2017 ର କମ୍ପୁଟର ଟେଷ୍ଟ, ଆଉ କାହାର ଡକୁମେଣ୍ଟ ଟେକିଂ ଇତ୍ୟାଦି।  ପ୍ରାଧାନ୍ଯ କାହାକୁ ଦେବେ? 
କିଏ ପରେ କେବେ.... 
ତେଣୁ ପୁଣି ପ୍ରଶ୍ନ ବାଣ ଆରମ୍ଭ ହେଇଗଲାଣି। ପରୀକ୍ଷା କେବେ?? 
ବିଗତ ଦିନର ଚାରୋଟି ପ୍ରଶ୍ନ ମଧ୍ୟରୁ ୩ଟି ର ଉତ୍ତର ମିଳି ସାରିଲାଣି। ଆଉ କେବଳ ଗୋଟିଏ ରହିଲା। 
କାଲି ପର୍ଯ୍ୟନ୍ତ ଯେଉଁମାନେ ଚାହୁଁଥିଲେ ପରୀକ୍ଷା ଶୀଘ୍ର ହେଉ, ଏବେ ସେମାନେ ପ୍ରାର୍ଥନା କରୁଛନ୍ତି ଯେ, ଫେବ୍ରୁଆରି ପୂର୍ବରୁ ପରୀକ୍ଷା ନହେଉ। କାରଣ, କାହାର ପଢା ଆରମ୍ଭ ହେଇନି, କାହାର ଅନ୍ୟ ପରୀକ୍ଷାସବୁ ଅଛି। ଅନେକ କହୁଛନ୍ତି, ଏଏସ୍ଓ ପରୀକ୍ଷା ଯଦି ବିଳମ୍ବ ହେବାର ଅଛି, ତେବେ ୨୪୮୧ ଗ୍ରୁପ ସି ପାଇଁ ପଢିବି । କିଏ ପୁରା ଦିନ କମ୍ପୁଟର ପ୍ରାକ୍ଟିସ କରୁଛି। ଆଗାମୀ ସମୟରେ କାହାର ଦେହ ଖରାପ ହେବ (ଭଗବାନ ନ କରନ୍ତୁ), ଅନ୍ୟ ଜରୁରୀ କାର୍ଯ୍ୟ ପଡିବ କିଛି ଭରସା ନାହିଁ। ତେଣୁ ଯେତେବେଳେ ସମୟ ମିଳୁଛି, ଯଥା ସମ୍ଭବ ପଢିଚାଲିବା ଉଚିତ। ସେହି ପାଠ ସବୁ ପରୀକ୍ଷାରେ କାମ ଦେବ। କେବଳ ଓଡିଆ ସିଲାବସ ଟିକେ ଟିକେ ଅଲଗା। 
ଏବେ ଏକ ଅଜବ ପ୍ରଥା ଚାଲିଛି। ଯଦି ସଂପୂର୍ଣ୍ଣ ଚିଠିଟି ସାମ୍ନାରେ ରଖାଯାଏ, ଅନୁରୋଧ ଆସେ ଯେ, ଟିକେ ବୁଝାଇଦିଅ। ଯେତେବେଳେ କେବଳ ସାରାଂଶ ଲେଖି ବୁଝାଇଦିଆଯାଏ, ସେତେବେଳେ କୁହାଯାଏ ଚିଠି ଦେଖାଅ। ଚିଠି ପଢି ସାରିଲେ ପୁଣି ପ୍ରଶ୍ନ ପରୀକ୍ଷା କେବେ ହେବ। ପଚାରୁଥିବା ଲୋକକୁ ଜିଜ୍ଞାସୁ କୁହାଯାଏ। ଜାଣିବାର ଇଛା ରହିବା ଏକ ଭଲ ଗୁଣ। କେବଳ କିଏ କଣ ପଚାରୁଛି ତାହା ହିଁ ପାର୍ଥକ୍ଯ। କିନ୍ତୁ ଗୋଟିଏ କଥା ମନେରଖନ୍ତୁ, ସବୁ କିଏ, କେବେ, କାହାକୁ, କାହିଁକି ର ଉତ୍ତର ତତ୍କ୍ଷଣାତ୍ ଆଶା କରିବା ବ୍ରୁଥା। ସବୁ ଜିନିଷ ଠିକ୍ ସମୟରେ ଆପଣମାନଙ୍କ ନିକଟରେ ପହଞ୍ଚିବ। ଆଜିକାଲି ଏମିତି କିଛି ଖବର ଗୋପନୀୟ ନାହିଁ, ଯାହା ଆପଣମାନେ ଜାଣିନଥିବେ, ଆଉ ମୁଁ ଜାଣିଥିବି। 
ତଥାପି ନିଜ ଜ୍ଞାନ ରେ କହିବାକୁ ଚାହେଁ, ଓପିଏସି ଯଦିଓ ଆଗାମୀ କିଛି ମାସ ପାଇଁ ନିଜର କାର୍ଯ୍ୟସୂଚୀ ତିଆରି କରି ସାରିଛି, ତଥାପି ଆଜିର ଚିଠି ପରେ ନିଶ୍ଚିତ ଚେଷ୍ଟା କରିବ ସମୟ ବାହାର କରିବାକୁ। ସରକାରଙ୍କ ତରଫରୁ ୬ ମାସର କଣ୍ଟ କୁ କୋହଳ କରାଯାଇଛି। ତେଣୁ ନିଜର ସୁବିଧା ଅନୁସାରେ ପରୀକ୍ଷା କରିବା ପାଇଁ ଓପିଏସି ତରଫରୁ ଯୋଜନା କରାଯିବ। ତେଣୁ ସମସ୍ତଙ୍କ ପାଖରେ ବହୁତ ସମୟ ଅଛି।
କିନ୍ତୁ ଏତିକି ଆଶା କରିବା, ଆଗାମୀ ଡିସେମ୍ବର ଭିତରେ ନୋଟିଫିକେସନ ଆସିବ। କାରଣ ଏବେ ପରୀକ୍ଷା ନହୋଇଥିବା ବର୍ଷ ପାଇଁ ବୟସ କୋହଳର ପ୍ରାବଧାନ ନାହିଁ। ତେଣୁ ୦୧.୦୧.୨୦୨୧ ସୁଦ୍ଧା ୨୧-୩୨ ବର୍ଷର ପିଲାମାନଙ୍କ ଠାରୁ ଦରଖାସ୍ତ ଆହ୍ବାନ କରିବାକୁ ଥିବାରୁ, ଆଶା କରାଯାଇପାରେ ନଭେମ୍ବର ଶେଷ କିମ୍ବା ଡିସେମ୍ବର ରେ ପ୍ରକ୍ରିୟା ଆରମ୍ଭ ହେବ ଏବଂ ନୋଟିଫିକେସନ ୩୧।୧୨।୨୦୨୧ ପୂର୍ବରୁ ହିଁ ଆସିବ। ଅଥଚ ପରୀକ୍ଷା କେବେ ହେବ ତାହା କହିବା ଏବେଠାରୁ ସମ୍ଭବ ନୁହେଁ।
ଆଜିଠାରୁ ଚାହିଁଲେ ମଧ୍ଯ ଜଣେ ପ୍ରସ୍ତୁତି ଆରମ୍ଭ କରିପାରିବ। ୨ ମାସରେ ସିଲାବସ ଗୋଟିଏ ଥର ସାରିବାକୁ ଚେଷ୍ଟା କରନ୍ତୁ, ଆଉ ୧ ମାସ ରିଭିଜନ କରି ପରୀକ୍ଷା ପର୍ୟ୍ଯନ୍ତ ପ୍ରାକ୍ଟିସ ଟେଷ୍ଟ ଦିଅନ୍ତୁ। କିନ୍ତୁ ସବୁଦିନ ନିୟମିତତା ରକ୍ଷା କରନ୍ତୁ। ଫଳରେ ନିଜ ଉପରେ ଭରସା ଆସିଯିବ। ସଫଳ ମଧ୍ଯ ହୋଇପାରିବେ। 

ଅଧିକ ଉପଦେଶ ଭଲ ନୁହେଁ। ସମସ୍ତଙ୍କୁ ସବୁ କଥା ଜଣାଅଛି। କେବଳ ପାଳନ କରିବା ଉପରେ ସବୁକିଛି ନିର୍ଭର କରେ। ଏ ବ୍ଲଗ ମାଧ୍ୟମରେ ମୁଁ ସମସ୍ତଙ୍କୁ ଶୁଭକାମନା ରଖୁଛି, ଭଗବାନ ତଥା ପିତାମାତାଙ୍କ ଆଶୀର୍ବାଦ ଏବଂ ନିଜର ଜ୍ଞାନ, ପରିଶ୍ରମ ବଳରେ ଆପଣମାନେ ସଫଳ ହୁଅନ୍ତୁ। ଆମର ସଚିବାଳୟ ସେବା କ୍ଯାଡରର ଗୌରବ ରକ୍ଷା କରନ୍ତୁ।

ପରବର୍ତ୍ତୀ ପୋଷ୍ଟ ମାନଙ୍କରେ କେବଳ ସିଲାବସ ଏବଂ ବିଷୟ ଭିତ୍ତିକ କିଛି ସୂଚନା ଦେବାକୁ ଚେଷ୍ଟା କରାଯିବ। 

No comments: